ବାହା ହେବା ପାଇଁ ୧୬ ବର୍ଷରେ ଘର ଛାଡ଼ିଥିଲେ ଆଶା
ମୁମ୍ବାଇ: କୁହାଯାଏ ଜୀବନରେ ଯଦି ସଂଘର୍ଷ ନାହିଁ ତେବେ ସଫଳତା ବି ମିଳେ ନାହିଁ । ଆଉ ଯଦି ବା ମିଳିଯାଏ, ତା’ର ସ୍ୱାଦ ସେତେ ମିଠା ଲାଗେ ନାହିଁ । ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଆଜି ଆଶାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ । ଆଶାଙ୍କ ଜୀବନ ସେତେବେଳେ ବଦଳିଯାଇଥିଲା ଯେବେ ସେ ବଡ଼ ଭଉଣୀ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସଚିବ ଗଣପତ ରାଓ ଭୋଁସଲେଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଆଶାଙ୍କୁ ସେତେବେଳେ ବୟସ ମାତ୍ର ୧୬ ବର୍ଷ । ଆଉ ଗଣପତ ଥିଲେ ତାଙ୍କ ଦୁଇଗୁଣା ବୟସର । ଗଣପତ ଲତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ପ୍ରାୟ ସମୟରେ ଆଶାଙ୍କର ତାଙ୍କ ସହ ଦେଖା ସାକ୍ଷାତ ହୁଏ । ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଫଳରେ ଆଶା ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବସିଲେ । ହେଲେ କିଛି କାରଣ ଯୋଗୁ ଆଶାଙ୍କ ଘରଲୋକ ଉଭୟଙ୍କ ସମ୍ପର୍କକୁ ବିରାଧ କଲେ । ଲତାଙ୍କୁ ମଧ୍ୟ ଏହା ଆଦୌ ପସନ୍ଦ ନଥିଲା ଯେ ଆଶା ତାଙ୍କ ସଚିବଙ୍କୁ ବାହା ହୁଅନ୍ତୁ । ସେ ଆଶାଙ୍କ ଉପରେ ବହୁତ ରାଗିଯାଇଥିଲେ । କାହାର ସମର୍ଥନ ନ ମିଳିବାରୁ ଆଶା ଗଣପତଙ୍କୁ ବାହା ହେବା ପାଇଁ ଘର ଛାଡ଼ି ପଳାଇଥିଲେ ।
ମାତ୍ର ତାଙ୍କ ବିବାହ ସଫଳ ହୋଇପାରିଲା ନାହିଁ । ଆଶା ପୁଣିଥରେ ନିଜ ଘରକୁ ଫେରିଥିଲେ । ସେତବେଳକୁ ସେ ତିନିଟି ପିଲାର ମାଆ ହୋଇସାରିଥିଲେ । ଲତା ବଡ଼ ଭଉଣୀର କର୍ତ୍ତବ୍ୟ କରି ସମସ୍ତ ପଛ କଥା ଭୁଲି ଆଶାଙ୍କୁ ସମର୍ଥନ କରିଥିଲେ । ଏହାପରେ ଆଶା ଲତାଙ୍କ ପରି ସଙ୍ଗୀତ ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିପଡ଼ିଲେ ।
୫୦-୬୦ ଦଶକରେ ଗୀତା ଦତ୍ତ, ଶମଶାଦ ବେଗମ ଓ ଲତା ମଙ୍ଗେଶସରଙ୍କ ଲୋକପ୍ରିୟତା ଆଗରେ ଆଶାଙ୍କୁ ନିଜ ସ୍ଥାନ ପାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ନିଜ ପିଲାଙ୍କ ପେଟ ପାଶିବା ପାଇଁ ଆଶା ଥାର୍? ଗ୍ରେଡ୍ ଫିଲ୍ମରେ ଗୀତ ଗାଇବାକୁ ଲାଗିଲେ । କୁହାଯାଏ ସେ ସମୟରେ ବଡ଼ ବଡ଼ ଗାୟିକାମାନେ ଯେଉଁ ଗୀତ ଗାଇବାକୁ ମନାକରୁଥିଲେ ସେହି ଗୀତଗୁଡ଼ିକ ହିଁ ଆଶାଙ୍କୁ ମିଳୁଥିଲା । ତଥାପି ଆଶା ହାର୍ ମାନି ନଥିଲେ । ଯାହା ବି କାମ ମିଳୁଥିଲା ସେ ଖୁସିର ସହ କରୁଥିଲେ । ପରେ ୧୯୫୭ରେ ଓ.ପି. ନ୍ୟାୟର ତାଙ୍କୁ ଫିଲ୍ମ “ତୁମସା ନେହିଁ ଦେଖା’ରେ ଏକ ବଡ଼ ବ୍ରେକ୍ ଦେଇଥିଲେ । ଏହାପରେ ସେ ଆହୁରି ଅନେକ ଫିଲ୍ମର ଗଇ ବଲିଉଡରେ ନିଜର ପରିଚୟ ତିଆରି କରିଥିଲେ । ଆଶାଙ୍କୁ ସଙ୍ଗୀତ ଦୁନିଆରେ ଅସଲ ପରିଚୟ ସେତେବେଳେ ମିଳିଥିଲା ଯେବେ ସେ ଆର.ଡି. ବର୍ମନଙ୍କ ସହ ଗାଇଲେ । ୧୯୮୦ରେ ଆଶା ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଯୁଗଳବନ୍ଦୀ ବଲିଉଡକୁ ଅନେକ ହିଟ୍ ଗୀତ ଦେଇଥିଲା । ଯାହାକି ସଙ୍ଗୀତ ଜଗତରେ ଆଶା ଭୋଁସଲେଙ୍କର ଏକ ସଫଳ ପରିଚୟ ସୃଷ୍ଟି କରିଥିଲା । ସଙ୍ଗୀତ ଇତିହାସରେ ସବୁଠୁ ଅଧିକ ଗୀତ ରେକର୍? କରିଥିବା ଗାୟିକା ଭାବେ ଆଶା ଭୋଁସଲେଙ୍କ ନାଁ ୨୦୧୧ରେ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସାମିଲ ହୋଇଥିଲା ।