ବାହୁଡା ପହଣ୍ଡି : ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତୀ
ମୋହନା, (ଅଂଶୁମାନ ପଣ୍ଡା) :-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶନିବାର ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପୂଜା ମୁଖ୍ୟ ଏବଂ ଅନ୍ୟ ପୂଜକଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ୪ଟା ବେଳକୁ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା । ଘଣ୍ଟ , ମାଦଳ, ହୁଳହୁଳି , ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଓ ଭାବମୟ ହୋଇଥିଲା ମାଉସୀ ମା’ମନ୍ଦିର ପ୍ରାଙ୍ଗଣରେ ଶହ ଶହ ଶ୍ରଦ୍ଧାଳୁ ମୋହନା ବ୍ଲକର ଆଖପାଖ ଅଞ୍ଚଳରୁ ଠାକୁରଙ୍କ ପହଣ୍ଡି ବିଜେ ଓ ବାହୁଡା଼ ଯାତ୍ରା ଦେଖିବାକୁ,ରଥ ଦଉଡ଼ି ଟାଣିବାକୁ ଏବଂ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ନେବାକୁ ଆସିଥିଲେ । ଶନିବାର ସକାଳୁ ମୋହନା ସହର ଲୋକାରଣ୍ୟ ହୋଇ ଉଠିଥିଲା । ପ୍ରବଳ ଲୋକ ସମାଗମ ଓ ଭକ୍ତଙ୍କ ଦିନ ତମାମ ରହଣି ରେ କଷ୍ଟ ଲାଘବ ପାଇଁ ରଥଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ମାଉସୀ ମା’ ମନ୍ଦିର ନିକଟରେ ଦିନ ତମାମ ମାଗଣା ଅନ୍ନ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ସଂନ୍ଧ୍ୟାରେ ମଧ୍ୟ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ବହୁ ସଭ୍ୟ ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଠାକୁରଙ୍କ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।