ବାହୁଡା ବିଚାର
ଗୁଣ୍ଡିଚାରାଣୀଙ୍କ
ବଦନ ବିରସ
ଶୁଖି ଯାଇଅଛି ହସ,
ମନର ବେଦନା
ମନେ ଚାପିଧରି
ଜଗାକୁ କରନ୍ତି ବେଶ ।
ଆଜି ବାହୁଡାରେ
ଜଗା ବାହୁଡିବ
ଭାଇ ଭଉଣୀଙ୍କୁ ନେଇ,
ରଥ ପଥ ଭକ୍ତ
ସଭିଏଁ ହରଷ
ପ୍ରଭୁ ମୁଖେ ହସ କାହିଁ ।
ଘରକୁ ଫେରିଲେ
କି ଉତ୍ତର ଦେବେ
ମନ ବୁଝାଇବା ପାଇଁ,
ଘରେ ନ ପଶୁଣୁ
ଘୋର କଳିହେବ
ରାଗେ ଲକ୍ଷ୍ମୀଛନ୍ତି ଚାହିଁ ।
ମନର ଭାବନା
ମନରେ ଉଛୁଳି
ମନରେ ମାରେ ଲହଡି,
ଭକତ ଡାକରେ
ରଥ ନ ଗଡୁଛି
ଅଟକୁଛି ଘଡି ଘଡି ।
ପଛରେ ଚାହିଁଲେ
ମାଆ କାନ୍ଦୁଛନ୍ତି
ଲୁହ ବହେ ଧାର ଧାର,
ଭାଇ ଭଉଣୀଙ୍କ
ରଥ ନ ଦିଶଇ
ଗଲେ କି ମାଉସୀ ଘର ।
ମାଉସୀ ଘରର
ପିଠା ସୁଆଦିଆ
ବେଶି ପୋଡିଗଲେ ପିତା,
ଜତନ ଅଭାବେ
ରତନ ନ ମିଳେ
ହୋଇବ ବଡ ହିନସ୍ତା ।
ମନେ ଖୋଜୁଛନ୍ତି
ନିଜେ ମହାପ୍ରଭୁ
କୋଉଠି ରହିଲା ତ୍ରୁଟି,
ମାଆ କାନ୍ଦୁଛନ୍ତି
ଲକ୍ଷ୍ମୀ ରୁଷିଛନ୍ତି
ଜୀବନ ହେଲା କି ମାଟି !
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ