ବାୟୋଟେକ୍ନୋଲୋଜି ବିଭାଗ ସମର୍ଥିତ, ଜାଇଡସ୍ ଦ୍ୱାରା ବିକଶିତ କୋଭିଡ ଟିକା- ‘ଜାଇକୋଭ୍-ଡି’ର ପ୍ରଥମ ଓ ଦ୍ୱିତୀୟ ପ୍ରୟୋଗାତ୍ମକ କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ : ନ୍ୟାସନାଲ ବାୟୋଫାର୍ମା ମିଶନ ଅଧୀନରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସମର୍ଥିତ ଏବଂ ବିଆଇଆରଏସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଟିକା ଉଦ୍ଭାବନ କାର୍ଯ୍ୟକ୍ରମ କ୍ଲିନିକାଲ ଟ୍ରାଏଲକୁ ଗଲା । ଜାଇଡସ୍ ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ତଥା ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ଆଂଶିକ ପାଣ୍ଠି ଯୋଗାଣରେ ପ୍ରସ୍ତୁତ ପ୍ଲାଜମିଡ୍ ଡିଏନ୍ଏ ଟୀକା ‘ଜାଇକୋଭ୍-ଡି’ର ଫେଜ୍ ୧/୨ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି ବୋଲି ବିଆଇଆରଏସି ଘୋଷଣା କରିଛି । ଏଥିସହ ଏହା ଭାରତରେ ମାନବ ଶରୀରରେ ପରୀକ୍ଷଣ ହେଉଥିବା ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ-୧୯ ଟୀକାରେ ପରିଣତ ହୋଇଛି । ଏହି ପ୍ରାୟୋଗାତ୍ମକ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟିକାର ନିରାପତ୍ତା, ସହନଶୀଳତା ଓ ରୋଗ ପ୍ରତିରୋଧ ଶକ୍ତି କ୍ଷମତାର ଆକଳନ କରାଯିବ । ୨୦୨୦ ଫେବ୍ରୁଆରୀରେ କୋଭିଡ-୧୯ ପାଇଁ ସମନ୍ୱିତ ଟିକା ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାପରେ ଏହି ଟିକାର ମାନବ ପରୀକ୍ଷଣ ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ । ଡିବିଟି ସଚିବ ତଥା ବିଆଇଆରଏସି ଅଧ୍ୟକ୍ଷା ଡ. ରେଣୁ ସ୍ୱରୂପ କହିଛନ୍ତି, “ନ୍ୟାସନାଲ ବାୟୋଫାର୍ମା ମିଶନ ଅଧୀନରେ କୋଭିଡ-୧୯ ପାଇଁ ଏକ ସ୍ୱଦେଶୀ ଟିକାର ତ୍ୱରିତ ବିକାଶ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଜାଇଡସ୍ ସହ ସହଭାଗୀତା ସ୍ଥାପନ କରିଛି । ଦେଶର କୋଟି କୋଟି ଲୋକଙ୍କ ଜୀବନକୁ ବିପଦରେ ରଖିଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଜାଇଡସ୍ ସହ ଏହି ସହଭାଗିତା ସହାୟକ ହେବ । ଏଭଳି ଗବେଷଣା ଦ୍ୱାରା ଦେଶ ଭବିଷ୍ୟତର ମହାମାରୀ ରୋକିବା ପାଇଁ ଏକ ରକ୍ଷଣାତ୍ମକ ରଣନୀତି ବିକାଶିତ କରିବାରେ ସମର୍ଥ ହୋଇପାରିବ । ଆମ ସମାଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ନୂଆ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ତମ ଇକୋସିଷ୍ଟମ ସୃଷ୍ଟି କ୍ଷେତ୍ରରେ ସରକାରଙ୍କ ପ୍ରୟାସର ଏକ ଉଦାହରଣ ପ୍ରସ୍ତୁତ କରିବ। ସେ ପୁନଶ୍ଚ କହିଲେ ଯେ, “ଜାଇଡସ୍ ସ୍ୱଦେଶରେ ବିକଶିତ ଟିକାର ମାନବ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିବାରୁ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆମେ ଆଶା କରୁଛୁ ଯେ ପ୍ରାକ୍-କ୍ଲିନିକାଲ ଫେଜରେ ଏହା ଯେଭଳି ନିରାପଦ, ରୋଗ ପ୍ରତିରୋଧକାରୀ ଓ ବେଶ ସହନଶୀଳ ବୋଲି ପ୍ରମାଣିତ ହୋଇଛି, ଆଗାମୀ ସମୟରେ ମଧ୍ୟ ସେଭଳି ସକାରାତ୍ମକ ଫଳାଫଳ ଦେବ । ଏହା ଭାରତର ବିଜ୍ଞାନ ଗବେଷଣା କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ହେବ । ଏ ସମ୍ପର୍କରେ ସୂଚନା ଦେଇ, ଜାଇଡସ୍ କାଡିଲା ଅଧ୍ୟକ୍ଷ ପଙ୍କଜ ଆର୍. ପଟେଲ କହିଲେ, “ବର୍ତ୍ତମାନର କରୋନା ମହାମାରୀ ବିରୋଧୀ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହି ସ୍ୱାସ୍ଥ୍ୟସେବା ଆହ୍ୱାନକୁ ସମାଧାନ କରିବାରେ ଏହା ଦେଶ ପାଇଁ ବେଶ ସହାୟକ ହେବ । କୋଭିଡ-୧୯କୁ ରୋକିବା ଉଦ୍ଦେଶ୍ୟରେ ଏକ ନିରାପଦ ତଥା ଫଳପ୍ରଦ ଟିକା ଯୋଗାଣ ଉଦ୍ଦେଶ୍ୟରେ ଆମର ପ୍ରଚେଷ୍ଟା ପାଇଁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ବିଆଇଆରଏସି ସହାୟତା କରିଥିବାରୁ ଆମେ ବେଶ୍ କୃତଜ୍ଞ । ଜାଇକୋଭ୍-ଡି ସମ୍ପର୍କରେ ପ୍ରାକ୍-କ୍ଲିନିକାଲ ଫେଜରେ ଏହି ଟିକାକୁ ମାଈ ମୂଷା, ବଡ଼ ମୂଷା, ଘୁଷୁରି ଓ ଠେକୁଆ ଭଳି ବିଭିନ୍ନ ପ୍ରକାର ପଶୁଙ୍କ ଉପରେ ପ୍ରୟୋଗ କରାଯାଇଥିଲା, ଯାହାର ଅତ୍ୟନ୍ତ ସଫଳ ପ୍ରଭାବ ଦେଖିବାକୁ ମିଳିଛି । ଟିକା ନେବା ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ମାରାତ୍ମକ ଭୂତାଣୁକୁ ନିଷ୍କ୍ରିୟ କରିପାରୁଛି । ଟିକାକରଣ ହୋଇଥିବା ପ୍ରାଣୀଙ୍କ ନିରାପତ୍ତା ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ଠେକୁଆ କ୍ଷେତ୍ରରେ ମାନବ ଡୋଜର ୩ ଗୁଣା ପର୍ଯ୍ୟନ୍ତ ଟିକାର ପ୍ରୟୋଗ ନିରାପଦ, ସହନଶୀଳ ଓ ରୋଗ ପ୍ରତିରୋଧକାରୀ ପ୍ରମାଣିତ ହୋଇଛି । ଜାଇକୋଭ୍-ଡି ଜରିଆରେ କମ୍ପାନୀ ନନ୍-ରେପ୍ଲିକେଟିଂ ଓ ନନ୍-ଇଣ୍ଟିଗ୍ରେଟିଂ ପ୍ଲାଜମିଡ୍ ବହନକାରୀ ଜିନ୍ ବ୍ୟବହାର କରି ଦେଶରେ ସଫଳତାର ସହ ଡିଏନ୍ଏ ଟିକା ପ୍ଲାଟଫର୍ମର ସ୍ଥାପନ କରିଛି । ପୁନଶ୍ଚ ବାହକ ପ୍ରତିକ୍ରିୟାବିହୀନ ତଥା କୌଣସି ସଂକ୍ରମିତ ଏଜେଣ୍ଟର ଅନୁପସ୍ଥିତିରେ ଏହି ପ୍ଲାଟଫର୍ମ ସ୍ୱଳ୍ପ ବାୟୋନିରାପତ୍ତା ଆବଶ୍ୟକତା (ବିଏସ୍ଏଲ୍-୧)ରେ ଟିକା ଉତ୍ପାଦନ କରିପାରିବ । ଏହି ପ୍ଲାଟଫର୍ମ ସଂଶୋଧିତ ଟିକା ନିରାପତ୍ତା ଓ ସ୍ୱଳ୍ପ ଶୀତଳଭଣ୍ଡାର ଆବଶ୍ୟକତାରେ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ଟିକା ପରିବହନ କରାଇପାରିବ । ଏପରିକି ଭୂତାଣୁର ପରିବର୍ତ୍ତନ କ୍ଷେତ୍ରରେ ଏହି ପ୍ଲାଟଫର୍ମ ତତ୍କାଳ କିଛି ସପ୍ତାହ ମଧ୍ୟରେ ଟିକାରେ ସୁଧାର ଆଣିପାରିବ । ନ୍ୟାସନାଲ ବାୟୋଫାର୍ମା, ଡିବିଟି ସମ୍ପର୍କରେ, ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଏହି ଇଣ୍ଡଷ୍ଟ୍ରି-ଏକାଡେମିଆ ସହଭାଗୀତା ମିସନକୁ କ୍ୟାବିନେଟରେ ଅନୁମୋଦନ କରିଛି । ତତ୍କାଳ ବାୟୋଫାର୍ମାସ୍ୟୁଟିକାଲ ବିକାଶ ଉଦ୍ଦେଶ୍ୟରେ ଗବେଷଣା ତ୍ୱରାନ୍ୱିତ ପାଇଁ ଏଥିରେ ମୋଟ ୨୫୦ ନିୟୁତ ଡଲାର ମଞ୍ଜୁର ହୋଇଛି, ଯେଉଁଥିରୁ ବିଶ୍ୱବ୍ୟାଙ୍କ ୫୦% ପାଣ୍ଠିରେ ବାୟୋଟେକ୍ନୋଲୋଜି ଗବେଷଣା ସହାୟତା ପରିଷଦ (ବିଆଇଆରଏସି) କାର୍ଯ୍ୟକାରୀ ହେଉଛି । ଭାରତୀୟଙ୍କ ସ୍ୱାସ୍ଥ୍ୟ ମାନକରେ ସୁଧାର ଆଣିବା ଏହି କାର୍ଯ୍ୟକ୍ରମ ଦେଶକୁ ଶସ୍ତା ଉତ୍ପାଦ ଯୋଗାଣ ପାଇଁ ସମର୍ପିତ । ଏହା ପ୍ରମୁଖ ଡୋମେନ୍ ମଧ୍ୟରେ ଟିକା, ମେଡିକାଲ ଯନ୍ତ୍ରାଂଶ ଓ ଡାଇଗ୍ନୋଷ୍ଟିକ୍ ଓ ବାୟୋଥେରାପ୍ଟିକ୍ସ ଆଦି ରହିଛି । ବିଆଇଆରଏସି ସମ୍ପର୍କରେ, ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆର୍ଏସି) ହେଉଛି ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଦ୍ୱାରା ସ୍ଥାପନ ହୋଇଥିବା ଏକ ଅଣଲାଭକାରୀ ଧାରା ୮, ଧାରା ବି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଏହା ବାୟୋଟେକ୍ ଉଦ୍ୟୋଗକୁ ସଶକ୍ତ କରିବା ସହ ଦେଶର ଚାହିଦା ଅନୁସାରେ ଉତ୍ପାଦ ବିକାଶରେ ସହାୟକ ହୋଇଥାଏ । ଜାଇଡସ୍ କାଡିଲା ଏକ ସୃଜନଶୀଳ, ଗ୍ଲୋବାଲ ଫାର୍ମାସ୍ୟୁଟିକାଲ କମ୍ପାନୀ, ଯାହାକି ବ୍ୟାପକ ରେଞ୍ଜର ସ୍ୱାସ୍ଥ୍ୟସେବା ଥେରାପି, କ୍ଷୁଦ୍ର ମଲିକ୍ୟୁଲ ଡ୍ରଗ୍ସ, ବାୟୋଲଜିକ୍ ଥେରାପଟିକ୍ସ ଓ ଟିକା ଉଦ୍ଭାବନ, ବିକାଶ, ବିନିର୍ମାଣ ଓ ବିପଣନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ