ବିଂଶତମ କାର୍ଗିଲ ବିଜୟ ଦିବସରେ ଚିନାର କର୍ପ୍ସ (୧୫ କର୍ପ୍ସ) ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

(ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶ୍ରୀନଗର ଗସ୍ତ କରିଛନ୍ତି । ସେ ବିଂଶତମ କାର୍ଗିଲ ବିଜୟ ଦିବସ ଅବସରରେ ଚିନାର କର୍ପ୍ସ (୧୫ କର୍ପ୍ସ) ଯୁଦ୍ଧ ସ୍ମାରକୀଠାରେ ୧୯୯୯ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସେନାର ଯବାନ ଏବଂ ଅଧିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା କାଶ୍ମୀର ଏବଂ ଶ୍ରୀନଗର ଅଂଚଳକୁ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ । ପୂର୍ବରୁ ସେ ଜାମ୍ମୁ ଓ କଶ୍ମୀରର ଲଦାଖ ଏବଂ ଜାମ୍ମୁ ଅଂଚଳକୁ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କର ଆଜି ସକାଳେ ଦ୍ରାସସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା, କିନ୍ତୁ ପାଗ ଭଲ ନରହିବା କାରଣରୁ ଏହି ଗସ୍ତକୁ ବାତିଲ କରାଯାଇଥିଲା । ଶ୍ରୀନଗରରୁ ଦ୍ରାସକୁ ବିମାନ ଯାତ୍ରା କରିବା ଲାଗି ପାଣିପାଗ ଅନୁକୂଳ ନଥିଲା । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ପରିଦର୍ଶକ ପୁସ୍ତିକାରେ ପ୍ରତିରକ୍ଷା ମନ୍ତ୍ରୀ ଏକ ବାର୍ତା ଲେଖିଥିଲେ । “କାର୍ଗିଲ ଯୁଦ୍ଧର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଭାରତର ସମ୍ମାନ, ଗର୍ବ ଓ ଗୌରବମାନେ ନିଜ ଜୀବନ ବଳି ଦେଇଛନ୍ତି । ସେମାନଙ୍କ ସାହସ ଓ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା । ବିଂଶତମ କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଏହି ଶପଥ ନେବା ଯେ କୃତଜ୍ଞ ରାଷ୍ଟ୍ର କେବେହେଲେ ଦେଶର ସମ୍ମାନ ପାଇଁ ସୈନିକମାନଙ୍କ ସର୍ବୋଚ୍ଚ ବଳିଦାନକୁ ଭୁଲିବ ନାହିଁ” ବୋଲି ପ୍ରତିରକ୍ଷା ମନ୍ତ୍ରୀ ପୁସ୍ତିକାରେ ଉଲ୍ଲେଖ କରିଥିଲେ । ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଦେବରାଜ ଅନବୁ, ନୌସେନା ଉପମୁଖ୍ୟ ଭାଇସ ଆଡମିରାଲ ଜି. ଅଶୋକ କୁମାର ଏବଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୋରିଆ ମଧ୍ୟ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ସ୍ଥଳରେ ‘ଅପରେସନ ବିଜୟ’ର ନାୟକମାନଙ୍କ ସାହସ, ଶୌର୍ଯ୍ୟ ଓ ବଳିଦାନ ପ୍ରତି ସେମାନଙ୍କୁ ସମ୍ମାନ ଜଣାଇଥିଲେ । ୧୯୯୯ ମସିହା ମେ’ରୁ ଜୁଲାଇ ମାସ ମଧ୍ୟରେ ନିୟନ୍ତ୍ରଣ ରେଖା ନିକଟବର୍ତୀ ପଶ୍ଚିମରେ ଜୋଜିଲା ଏବଂ ପୂର୍ବରେ ତୁର୍ତୋକ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ଲଢ଼ାଯାଇଥିଲା । ପାକିସ୍ତାନ ପକ୍ଷରୁ ପ୍ରଥମେ ଏହି ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା । ପାକିସ୍ତାନୀ ସେନା ଅନ୍ତର୍ଜାତୀୟ ସୀମାର ଉଲ୍ଲଙ୍ଘନ କରି ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ସହ ଖାଲିଥିବା ପାର୍ବତ୍ୟାଂଚଳ ଉପରେ କବଜା କରିନେଇଥିଲା । ଦେଶର କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ସହ ଜାତୀୟ ରାଜପଥର ସୁରକ୍ଷାକୁ ବିପନ୍ନ କରିଥିଲା । ଭାରତୀୟ ସେନାର ସୈନିକମାନେ ଅଦମ୍ୟ ସାହସ ତଥା ସହନଶୀଳତାର ପ୍ରଦର୍ଶନ କରି ୧୨ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଥିବା ଦ୍ରାସ, କାକସର, ବାଟାଲିକ ଓ ତୁରତୋକ ସେକ୍ଟରରେ ଐତିହାସିକ ଯୁଦ୍ଧ ଲଢ଼ିଥିଲେ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀମାନଙ୍କୁ ମାରି ତଡ଼ି ଦେଇଥିଲେ । ଭାରତୀୟ ବାୟୁ ସେନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ସେନା କାର୍ଯ୍ୟାନୁଷ୍ଠାନରେ ସହାୟତା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ