ବିଂଶ ଶତାବ୍ଦୀର ସୂର୍ଯ୍ୟ

ରଶ୍ମି ରଞ୍ଜନ ମିଶ୍ର
ସମସ୍ତେ କୁହନ୍ତି ସୂର୍ଯ୍ୟ ସକଳ ଶକ୍ତିର ଆଧାର କିନ୍ତୁ ଏ ସୂର୍ଯ୍ୟର ଜୀବନ ସକଳ ଦୁଃଖର ଆଧାର । ଗରିବ କଣ ବଂଶଗତ ନା ଭାଗ୍ୟ ଏ ପ୍ରଶ୍ନର ଉତ୍ତର ଆଜିଯାଏ ପାଉନି । ଗରିବ ଘରେ କଣ ଜନ୍ମ ହେବା ଭୁଲ୍ ।
ସାହିଲୋକ କହନ୍ତି ମୁଁ କାଳେ ଜନ୍ମ ହେଲା ବେଳେ ଘରର ଛପର କଣା ହୋଇ ଠିକ୍ ମୋ ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିଥିଲା ସେଥିପାଇଁ ମୋ ନାଁ ସୂର୍ଯ୍ୟ । ସେହି ସନ ମୋ ବା କାଳେ ଜମି ଦୁଇମାଣ କିଣି ଆଗ ମାଣ ସହ ମିଶେଇ ତିନିମାଣ କଲା । ପରିବାର ଚଳନି ଅଭାବ ନଥିଲେ ବି ସ୍ୱାଭବ ଥିଲା । ଯେନତେନ ପ୍ରକାରେଣ ସଂସାର ଚାଲିଥିଲା । ଗରିବୀ ପଣିଆ ଯୋଗୁ ଦେଇର ପାଠପଢାରେ ଡ଼ୋରି ବନ୍ଧା ହୋଇ ବିଲରେ ଖଟିବାକୁ ପଡ଼ିଲା । ମୋ ବା ଲକ୍ଷ୍ୟ ରଖିଲା ମତେ ପାଠ ପଢେଇକି ଚାକିରୀ କରେଇବା । ଅଭାଗ ଯୋଗୁ ତେରସ୍ତା ସନ ମୋ ଦେଇର ବାହାଘରକୁ ଦୁଇମାଣ ଜମି ବିକ୍ରି ହୋଇଗଲା । ସେତକ ହେଲାନି ଯେ ଯୌତୁକ ବାବଦକୁ ଗାଁ ମହାଜନଠୁ ଆର ମାଣକ ବନ୍ଧା ଦେଇ ଟଙ୍କା ଆଣି ଭରଣା କଲା ।
ପୁଅ ଘର କହୁଛନ୍ତି ଆମ ଷ୍ଟାଣ୍ଡାର୍ଡ଼ ଦେଖି ଟଙ୍କା ଦେଉଛନ୍ତି ଏଇଟା ଯୌତୁକ ନୁହେଁ । ସରକାରଙ୍କ ଏପଟେ ଘୋଷଣା ଯୌତୁକ ପ୍ରଥା ଆମ ସମାଜରେ ଆଉ ନାହିଁ । ହଁ ସିଏ ବି ଗୋଟେ କଥା ଭାବିବାକୁ ଦେଉଛନ୍ତି ।
ଏହା ଗୋଟିଏ ସାମାଜିକ ବ୍ୟଧି :
ତେରସ୍ତା ବରଷ ବାହାଘର ପରେ ଚଳିବାକୁ ଘରେ ଦାନା ନାହିଁ । କଣ କରିବ ଝିଅକୁ ସିନା ବାହା ଦେଇଦେଲା, ତିନିପ୍ରାଣୀ କୁଟୁମ୍ବ ଖାଇବେ କଣ ଘର ଚଳିବ କେମିତି, ପୁଅ ପଢିବ କେମିତି ମୁଣ୍ଡ ଚକ୍କର ଖାଇଲା । ନିରୁପାୟ… ତା ସହ ଜମି ବନ୍ଧକ । ଶେଷରେ ପୁଅର ପାଠପଢାରେ ଡ଼ୋରି ବନ୍ଧା ହେଲା । ବହୁତ ଭଲ ପଢୁଥିଲା, ଦଶମରେ ଫାଷ୍ଟ କ୍ଲାସରେ ଆଉ ଭଲ ନମ୍ବର ରଖି ମଧ୍ୟ ପାସ୍ କରି କଲେଜରେ ପଢୁଥିଲା । ସମସ୍ତଙ୍କ ପ୍ରିୟପାତ୍ର ଥିଲା । ସେଦିନ ଗରିବ ପଣିଆ ବହୁତ ଆଘାତ ଦେଇଥିଲା । ଜାଣେ ମୁଁ ଅସହାୟ ମୁଁ ଗରିବ ଅଭାବରେ ଅଛି କିନ୍ତୁ ମୋ ସ୍ୱାଭିମାନ କେବେ ହରେଇନି କି କେବେ ହରେଇବିନି । ସେଦିନ ଭାଙ୍ଗି ପଡ଼ିଥିଲି । ନିଜକୁ ଧିକାର ଲାଗିଲା ଯେ ନିଜ ପୁଅକୁ ପଢେଇ ପାରୁନି ସେ କଣ ମଣିଷ ।
ବା ଦିନେ ସକାଳୁ ସକାଳୁ ଶୋଇବା ଜାଗାରୁ ଉଠେଇ ମହାଜନ ପାଖକୁ ନେଇ ପହଞ୍ôଚଗଲା । ମୁଁ ସେତେବେଳକୁ ବହୁତ ଡ଼ରିଯାଇଥିଲି । କାହିଁକି ନା ଆମ ମହାଜନଙ୍କ ଝିଅ ସ୍ନିଗ୍ଧା ମୋ ସାଙ୍ଗରେ କଲେଜରେ ପଢୁଥିଲା । ମୋ ଠାରୁ ନୋଟ ନେଇ ଲେଖାଲେଖି କରେ । ଅବଶ୍ୟ ମୋତେ ସେ ନୋଟ ଭିତରେ କିଛି ତା ମନର କଥା ଲେଖେ । କିନ୍ତୁ ସେ ସବୁକୁ ମୁଁ ଧ୍ୟାନ ଦିଏନି । ମୁଁ ଜାଣେ ବଡ଼ଲୋକଙ୍କ କଥାରେ ଭାଷିବା ଠିକ୍ ନୁହେଁ । ଠିକ୍ ସମୟରେ ସେ ବେହିମାନି ହେବାକୁ ପଛେଇବେନି । ତାପରେ କାହିଁ ରାମଚନ୍ଦ୍ର କାହିଁ ରାମିଆ ଭଣ୍ଡାରି । ଗରବିକୁ ସ୍ୱପ୍ନ ଦେଖିବା ମନା । ମୁଁ ଭାବିଲି କିଛି ଅଘଟଣ ଘଟିଛି ବୋଧେ । କିନ୍ତୁ ସେମିତି କିଛି ହେଲାନି । ଯାହା ହେଉ ମଣିଷ ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା । ବା’ର ଦୁଃଖ ଜଣାଇଲା ପରେ ତା କଥା ଶୁଣି ମହାଜନ ଚାରିମାଣ ଜମି ଭାଗଚାଷୀ ହିସାବରେ ଦେଇଦେଲେ । କିନ୍ତୁ ଭାଗ ହିସାବରେ ଯାହା ଅମଳ ହେବ ଧାନ, ଅଧା ଆମର ଆଉ ଅଧା ତାଙ୍କର । ସେ ସନ ମୁଣ୍ଡଝାଳ ତୁଣ୍ଡରେ ଦେଇ, ପେଟକୁ ପିଠିରେ କରି, ଅଗାଧ ପରିଶ୍ରମ କରି ତିନିପ୍ରାଣୀ ଚାରିମାଣ ଜମିରେ ଧାନ ନୁହେଁ ଯେମିତି କି ସୁନା ଫଳେଇଥିଲୁ । ଯିଏ ସେଇ ରାସ୍ତାରେ ଯିବ ଘଡ଼ିଏ ପେଟ ପୁରେଇ ଦେଖିବ ।
ମା ଭଣ୍ଡାର ଶୁଣି ଯେତେବେଳେ ଦାଉ ସାଧିବ ତାକୁ କିଏ ରକ୍ଷା କରିବ । ହଠାତ କୋଉଠୁ ଏକ ଲଘୁଚାପ ଝଡ଼ ବାତ୍ୟା ଆସିଲା, ସବୁ ଧାନ ପାଣିରେ ବୁଡ଼େଇ ନଷ୍ଟ କରିଦେଲା । ଆମେ ଗରିବ ହୋଇପାରୁ ସତ, କିନ୍ତୁ କଥା ଏକ, କାମ ବି ଏକ । ଯାହା ଅମଳ କଲୁ ମହାଜନକୁ ଅଧା ଦେଇ ଅଧା ଆଣିଲୁ ।
ସରକାରଙ୍କ ନୀତି ଅଜବ ଅଟେ । ସରକାର ବାତ୍ୟା ପାଇଁ ଯେତିକି ସହାୟତା କଲେ ସବୁ ଜମି ମାଲିକଙ୍କ ପକେଟକୁ ଗଲା । କିନ୍ତୁ ଆମର ପରିଶ୍ରମକୁ ସରକାର ବୁଝିଲେନି । ସରକାର ସବୁବେଳେ ତେଲିଆ ମୁଣ୍ଡରେ ତେଲ ଦେଇ ଜାଣନ୍ତି । ଆଜିପର୍ଯ୍ୟନ୍ତ ଭାଗଚାଷୀର ମୂଲ୍ୟକୁ ସହାୟତାର କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଯେମିତିକି ଆମ ଭଳି ଗରିବ ଭାଗ ଚାଷୀମାନଙ୍କର ଜୀବନ ଦୁର୍ବିସହ ହୋଇଯାଉଛି । ଦେଖିବା ମା ଭଣ୍ଡାର ଶୁଣି କେବେ ଏ ଗରିବ ଭାଗଚାଷୀଙ୍କ ଡ଼ାକ କେବେ ଶୁଣୁଛି । ସେତିକିରେ ସରକାରଙ୍କ ଗରିବଙ୍କୁ ଶୋଷଣ ସରିଲାନି ଯେ ଯେତିକି ଧାନ ଅମଳ କରିଥିଲୁ ସେତିକି ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିପାରିଲୁନି । ବାଧ୍ୟ ହୋଇ ମହାଜନକୁ କମ୍ ଦାମରେ ବିକ୍ରି କଲୁ । କିନ୍ତୁ ମହାଜନଙ୍କ ନିଜ ଜମି ଥିବାରୁ ସେ ସେମିତିରେ ନିର୍ଦ୍ଧାରିତ ମୂଲ୍ୟରେ ଆମମାନଙ୍କ ଧାନ ନେଇ ବିକ୍ରି କରି ଲାଭବାନ ହେଲେ । ସରକାରଙ୍କ ଅଜବ ନିୟମ । ଆରେ ସରକାର ବୁଝିବା ଦରକାର ଯେ ରାଜ୍ୟରେ ଯେତିକି ଧାନ ଉତ୍ପାଦନ ହେଉଛି ସବୁ ସରକାରଙ୍କ କିଣିବା ଦାୟିତ୍ୱ । କିନ୍ତୁ ଆମ ଗରିବ ଭାଗଚାଷୀଙ୍କ ଧାନ ନେବ କିଏ? ଆମେ କଣ ଏଇ ରାଜ୍ୟବାସୀ ନୁହେଁ । କେବେ ସରକାର ଧାନର ଅଭାବୀ ବିକ୍ରିର ସମାଧାନ କରିବେ ।
ଏପଟେ ମହାଜନଙ୍କ ତାଗିଦ୍ ଶୀଘ୍ର ମୋ ଟଙ୍କା ସୁଧ ସହ ଦିଅ ନହେଲେ ସେ ମାଣକ ଜମି ମୋ ନାଁରେ କରିଦିଅ । ଗରିବ ହେଲୁ ବୋଲି କଣ ଆମର କିଛି ନାହିଁ । ମୋ ବା ଶେଷକୁ ମହାଜନଙ୍କ ଅପମାନ ସହିନପାରି ଜମି ତାଙ୍କ ନାଁରେ କରିଦେଲା । ବୋଝ ଉପରେ ନଳିତା ବିଡ଼ା ପରି ସମିତିର ବାବୁମାନେ ଆସି ନାଲି ନୋଟିସ୍ ଦେଇ ଯାଇଛନ୍ତି ଯେ, ଆମର ଋଣ କୋଡ଼ିଏ ହଜାର ଟଙ୍କା ବାଦ୍ ସୁଧ ଯାହା ହୋଇଛି । ବା ଏସବୁକୁ ଚିନ୍ତା କରି କରି ବିଛଣା ଧରିଲାଣି । ଓଷଦ ଟିକେ ଆଣିବାକୁ ବି ପଇସା ନାହିଁ । ବା କହୁଥିଲା ସେ ଆମ ଗାଁ ସାଧୁ କାକା ସମିତିରୁ ଲୋନ କରେଇବା ପାଇଁ ହଜାରେ ଟଙ୍କା ଲାଞ୍ଚ ଦେଇଥିଲେ । ତାପରେ ବରଷକୁ ଦୁଇଥର ସମିତିର ଲୋକମାନେ ଆସି କାଗଜରେ ଦସ୍ତଖତ କରି ନେଇ କହନ୍ତି ତୁମର ସରକାର ସୁଧ ରିହାତି କରି ଦେଇଛନ୍ତି, ତୁମ ଋଣ ନବୀକରଣ ହୋଇଗଲା । ମୋ ବା ମୂରୁଖ ଲୋକ, କେତେବେଳେ କଣ ଦସ୍ତଖତ କରି ନେଇ କୋଡ଼ିଏ ହଜାର ଟଙ୍କା ବା ନାଁରେ ଋଣ କରି ବାଟମାରଣା କରିବା ଦୁଃଖଦ ଘଟଣା । ଏ ଦୁଃଖ କାହାକୁ କହିବା । କିଏ ବୁଝିବ, ଦସ୍ତଖତ ତ ବା କରିଛି । ଗରିବର ଗରିବୀ ପଣିଆକୁ ସମସ୍ତେ ଦାଉ ସାଧୁଛନ୍ତ । ଏ ସବୁ ଦୁଃଖରେ ବା ଭାଙ୍ଗିପଡ଼ିଲା ।
ଘରେ ଦିଓଳି ଖାଇବା ଓ ଓଷଦ ଟିକେ ଆଣିବାକୁ ପଇସାଟିଏ ନାହିଁ । ବାଧ୍ୟ ହୋଇ ବା ଓ ମାକୁ ଛାଡ଼ି ସୁରଟ ଯାଇ କାରଖାନାରେ କାମ କଲି । ସେଠାକାର ବାବୁମାନେ ମୋ କାମ ଦେଖି ଛ’ମାସରେ ଦରମା ବଢେଇଲେ । ବେଶ୍ ଦୁଇ ବରଷରେ ଭଲ ପଇସା ରୋଜଗାର କରି ଗାଁରେ ଥିବା ଧାର ଉଧାର ସବୁ ପରିଶୋଧ କରିଦେଲି । କି କରୋନା ମହାମାରୀ ଆସିଲା ଯେ ସୁରଟ ସରକାର କାମରୁ ବିଦା କରିବା ସହ ନିିଜ ନିଜ ଘରକୁ ପଠେଇଦେଲା । ଯାହା ଦି ପଇସା ରୋଜଗାର କରିଥିଲୁ ଗାଁକୁ ୪ମାସ ହେବ ଆସି ଖାଇ ସାରିଲୁଣି । କରୋନା ସରିବ ନା ଗରିବର ଦୁଃଖ ଯିବ । ଏବେ କଣ କରିବୁ । ଗରିବର କ’ଣ ଦୁଃଖ ସରିବନି । ଗରିବର ଭାଗ୍ୟ କହିବାନି ତ ଆଉ କଣ କହିବା । ଆମ ଭାରତ ଦୀର୍ଘ ଚଉସ୍ତରୀ ବରଷ ହେବ ସ୍ୱାଧୀନତା ହେଲାଣି କିନ୍ତୁ ଗରିବର ସୂର୍ଯ୍ୟ ଉଦୟ କେବେ ହେବ? ଗରିବର ସୂର୍ଯ୍ୟ ଉଦୟ ହେଲେ ଆପଣା ଛାଏଁ ସ୍ୱଚ୍ଛ ଭାରତ ହୋଇଯିବ ।
ଆନନ୍ଦପୁର, ଶଳାପଡ଼ା
ମୋ : ୮୨୪୯୪୮୨୫୪୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ