ବିଇଂ ୱାଇଲଡ ପକ୍ଷରୁ କୁମ୍ଭୀର ସଚେତନତା ଅଭିଯାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଇଂ ୱାଇଲଡ ଆନୁକୁଲ୍ୟରେ ଶୁକ୍ରବାର ରାଜକନିକା ବ୍ଲକ ଅନ୍ତର୍ଗତ କାଟଣାବଣିଆ ପଂଚାୟତର ବାଜପୁର ଗ୍ରାମରେ କୁମ୍ଭୀର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଳି ରାଜା ବ୍ରଜକିଶୋର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ରାଜନଗର ବନଖଣ୍ଡର ସହକାରୀ ବନ ସଂରକ୍ଷକ ବିରଂଚି ନାରାୟଣ ସାମଲ,ୱାଇଲଡିଜର ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ,ସଞ୍ଜୀବ ଦାସ,ପ୍ରଶାନ୍ତ ଚୈାଧୁରୀ ଓ ସୁଶୋଭିତ ସାମଲ,କେନ୍ଦ୍ରାପଡା ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ,ଏସ.ଏନ.କଲେଜ ରାଜକନିକାର ଅଧ୍ୟାପିକା ଡଃ.ମିଥିଳା ଦାସ,ଅଧ୍ୟାପକ ଅନ୍ନଦା ମଲ୍ଲିକ,କାଟଣା ସରପଂଚ ନିରାକାର ସେଠୀ,ସାମ୍ବାଦିକ ଆଶିଷ ସେନାପତି,ଶୁଭ୍ରାଂଶୁ ସୁତାର,ଚିତ୍ତରଞ୍ଜନ ଦାସ,ସମାଜସେବୀ ସମୀର କୁମାର ଚନ୍ଦ ଓ ଶିକ୍ଷାବୀତ ପ୍ରାର୍ଥସାରଥୀ ବେହେରା ପ୍ରମୁଖ ଯୋଗଦେଇ ବାଜପୁରସ୍ଥିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ମିଳନସ୍ଥଳରେ ଲୁଣାପାଣିର ପ୍ରଭାବରେ କୁମ୍ଭୀରମାନେ ବାସକରୁଥିବାରୁ ସେହି ଆଖପାଖ ଜନବସତିର ଲୋକମାନେ ଏସମ୍ପର୍କରେ ସଚେତନ ହେବା ସହିତ କୁମ୍ଭୀରମାନଙ୍କ ପ୍ରତି ହିଂସା ଆଚରଣ ନକରି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ସମୁଦ୍ରର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଥିବାରୁ ସମୁଦ୍ର ନିକଟସ୍ଥ ନଦୀର ମଧୁରଜଳ ହ୍ରାସ ପାଇ ଲବଣାକ୍ତ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ କାଟଣା ପଂଚାୟତର ଜନବସତିକୁ ସୁରକ୍ଷା ପ୍ରଦାନ ପାଇଁ ଲୋକମାନେ ନଦୀକୂଳରେ ବ୍ୟବହାର କରୁଥିବା ସ୍ଥାନକୁ ବାଉଁଶବାଡ ଦ୍ୱାରା ଆବଦ୍ଧ କରାଯିବାକୁ ବନ ବିଭାଗକୁ ପରାମର୍ଶ ଦିଆଯାଇଥିଲା । କୁମ୍ଭୀର ଦ୍ୱାରା ହେନ୍ତାଳବନ ସୁରକ୍ଷିତ ରହୁଥିବାରୁ ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମକୁ ବିଶେଷ କ୍ଷୟକ୍ଷତି ସହିବାକୁ ପଡୁନି । କୁମ୍ଭୀରଙ୍କ ପାଇଁ ମାଛ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସହ ଇକୋଟୁରିଜିମ ଦ୍ୱାରା ରାଜସ୍ୱ ବୃଦ୍ଧି ହେଉଛି । ଜୁଲାଇମାସରୁ ଅକ୍ଟୋବରମାସ ପର୍ଯ୍ୟନ୍ତ କୁମ୍ଭୀରଙ୍କ ପ୍ରଜନନ ସମୟ ହୋଇଥିବାରୁ ସେହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ଉଗ୍ର ଓ ହିଂସ୍ର ହୋଇ ଉଠିଥାନ୍ତି । ତେଣୁ ସେହି ସମୟ ମଧ୍ୟରେ ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ । ତେଣୁ କୁମ୍ଭୀର ସହିତ ବଂଚିବା ଶିଖନ୍ତୁ ବୋଲି ଉପସ୍ଥିତ ସମୁଦ୍ରତଟର ନଦୀକୂଳବର୍ତ୍ତି ବାସୀନ୍ଦାମାନଙ୍କୁ ପରାମର୍ଶ ଦେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବନ ବିଭାଗ ପକ୍ଷରୁ ଉପସ୍ଥିତ ଗ୍ରାମବାସୀମାନଙ୍କୁ ଅତିଥିମାନେ ବିଭିନ୍ନ ଚାରାଗଛ ବଂଟନ କରିଥିଲେ । ସେହିପରି ଆଳି ବ୍ଲକ ଅନ୍ତର୍ଗତ ବାଳକାଟିସ୍ଥିତ ଜେଟିରେ ମଧ୍ୟ ଏକ କୁମ୍ଭୀର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । କୁମ୍ଭୀର ପ୍ରତି ମଣିଷର ମନୋଭାବରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉଭୟ ସଚେତନତା ସଭାରେ ଅତିଥିଙ୍କ ସମେତ ରାଜକନିକା ଥାନା ଅଧିକାରୀ ସଞ୍ଜୀବ କୁମାର ରଣଭିଂସା ଓ ଆଳି ଥାନା ଅଧିକାରୀ ସଲିଳ ପ୍ରଧାନଙ୍କ ସମେତ ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।


