ବିଇଓଙ୍କ ଅଫିସରେ ଅବରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଦର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବୁଧବାର ଧାରଣ ଦେଇଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ, ୩୦ବର୍ଷର ଚାକିରି ପରେ ଅବସର ନେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଧାର୍ଯ୍ୟ ପ୍ରାପ୍ୟ ସେମାନଙ୍କୁ ଅଦ୍ୟାବଧି ମିଳିପାରିନାହିଁ । ବିଶେଷ କରି ଅବସରକାଳୀନ ଏମଏସିପି ବାବଦୀୟ ଗ୍ରାଚ୍ୟୁଇଟି, ଲିଭ ଏରିଅର ସହିତ ସେମାନଙ୍କ ପେନସନ ପେପର ରିଭାଇଜ୍ କରି ଶିକ୍ଷା ବିଭାଗକୁ ପଠାଇବାରେ ସଦର ବିଇଓ ଅବହେଳା କରିଚାଲିଛନ୍ତି । ଏମିତିକି ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ଡିଏ ବାବଦକୁ ଏରିଅର ପ୍ରଦାନ ବି ସେମାନଙ୍କୁ ମିଳିନାହିଁ । ଏଥି ସହିତ କୋଭିଡରେ ମୃତ୍ୟୁ ଶିକ୍ଷକ ନିର୍ମଳ ସାହୁଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନରେ ବିଇଓଙ୍କ କାଯ୍ୟାଳୟର ଅବହେଳା ସୀମା ଟପିଥିବା ସେମାନେ କହିଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାଖାତିର ସହ ସଦର ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ସ୍ୱର୍ଗତ ସାହୁଙ୍କ ପରିବାରକୁ ବାରମ୍ବାର ଡକାଉଥିଲେ ବି ଅବସରକାଳୀନ ସରକାରୀ ପ୍ରାପ୍ୟ ବାବଦରେ କୌଣସି କାଗଜପତ୍ର ପ୍ରସ୍ତୁତ କରୁନଥିଲେ ବୋଲି ଧାରଣାକାରୀମାନେ ଆରୋପ କରିଛନ୍ତି । ସେମାନଙ୍କୁ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ ସହ ଦୀର୍ଘଦିନ ଧରି ଅବହେଳା କରଥିବା କର୍ମଚାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଅବସରପ୍ରାପ୍ତ ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି । ଏନେଇ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀ ସୁକଣ୍ଠ ଦାସ, ସଞ୍ଜୟ ମଣ୍ଡଳ, ଦିଲ୍ଲୀପ ବାରିକ, ହରେନ୍ଦ୍ର ନାଥ ପାଣିଗ୍ରାହୀ, ପୁରୁଷୋତମ ସେଠୀ, ସୁନୀତା ଦାସ, ପ୍ରତିମା ନାୟକ, ବସନ୍ତମଞ୍ଜରୀ ଚୌଧୁରୀ, ନନିଗୋପାଳ ଦାସ ପ୍ରମୁଖ ଏହି ଧାରଣା ପ୍ରଦର୍ଶନରେ ସାମିଲ ହୋଇଥିଲେ । ତେବେ ଏ ସମ୍ପର୍କରେ ସଦର ବିଇଓ ମିହିର କୁମାର ପ୍ରଧାନଙ୍କୁ ପଚାରିବାରୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଥିଲେ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବସରକାଳୀନ କାଗଜପତ୍ର ଶିକ୍ଷାବଭାଗକୁ ପଠାଯାଇଥାଏ । ସେଥିରେ କୋଣସି ପ୍ରକାର ଅବହେଳା କିମ୍ବା ବିଳମ୍ବ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ । ୩୦ଦିନ ମଧ୍ୟରେ ଧାରଣାକାରୀ ଶିକ୍ଷକଙ୍କ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ସହିତ ବିଇଓ ଶ୍ରୀ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବୁଝାସୁଝା ସହ ଧାରଣାରୁ ନିବୃତ୍ତ କରିଥିଲେ ।


