ବିଇଓ ଅଫିସ ପାଲଟିଛି ଦୁର୍ନ୍ନୀତିର ଗନ୍ତାଘର
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଦୁନ୍ନୀତିର ଗନ୍ତାଘର ପାଲଟିଛି । ଏଠାରେ ପୁର୍ବରୁ ଜଣେ କିରାଣୀ ଭିଜିଲାନସ ହାତରେ ଧରା ପଡିବାପରେ ଦୁର୍ନ୍ନୀତି କମିଯିବାର ଆଶା କରାଯାଇଥିଲା । ମାତ୍ର ଏବେ ଏହା ପୁର୍ବଠାରୁ ଢ଼େରଗୁଣ ବଢ଼ି ଯାଇଛି । ଏଠି କାହା ସହିତ କାହାର ସମ୍ପର୍କ ନାହିଁ । ଏଠାରେ ସ୍ଥାୟୀ ବିିଇଓ ନଥିବାବେଳେ କାମଚଳା ବିଇଓଙ୍କ ଦ୍ୱାରା ଅଫିସ ଚାଲୁଥିବାରୁ କିଏ କେତେବେଳେ ଆସେ ଓ କେତେବେଳ ଯାଏ ତାର କିଛି ଠିକଣା ନଥାଏ । ସେହିପରି ସମଗ୍ର ବ୍ଲକ ରେ ଶିକ୍ଷା ବ୍ୟବସ୍ଥା କିପରି ଚାଲୁଛି ତାର ମଧ୍ୟ ଖବର କୌଣସି ଅଧିକାରୀଙ୍କ ପାଖରେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ ବିଇଓଙ୍କ କାର୍ଯ୍ୟାଳୟ ରେ । ୭ମାସ ପୁର୍ବେ କିଛି ଶିକ୍ଷକଙ୍କ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ହୋଇଥିଲା । ଏହି ପଦୋନ୍ନତୀରେ ଜଣେ ଶିକ୍ଷୟତ୍ରୀ ପଦୋନ୍ନେତୀ ପାଇ ଗୋଟିଏ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଯୋଗଦେବାକୁ ଯାଇଥିଲେ । ମାତ୍ର ସେଠାକାର ଗ୍ରାମବାସୀମାନେ ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍କୁଲକୁ ପୁରାଇ ଦେଇ ନଥିଲେ । ଏହାର କିଛିଦିନ ପରେ ପୁନର୍ବାର ତାଙ୍କୁ ଆଉ ଏକ ସ୍କୁଲକୁ ଦିଆଗଲା ମାତ୍ର ସେଠାରେ ବି ସମାନ ଅବସ୍ଥା ହେଲା । ପୁନର୍ବାର ଆଉ ଏକ ସ୍କୁଲକୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ମିଳିବାପରେ ସେଠା ରେ ମଧ୍ୟ ଗାଁ ଲୋକେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କରିବାରୁ ଶିକ୍ଷୟତ୍ରୀ ଜଣକ ଅନ୍ୟ କୌଣସି ବାଟ ନପାଇ ବାଧ୍ୟ ହୋଇ ଆସି ବିଇଓ ଅଫିସରେ ଯୋଗ ଦେଲେ । ସେଠାରେ ତାଙ୍କୁ ନିୟମିତ ବିଇଓଙ୍କ ଅଫିସରେ ଆସି ହାଜିରା ଦେବାକୁ ତତକାଳୀନ ବିଇଓ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ଶିକ୍ଷୟତ୍ରୀ ଜଣକ ମାସରେ ଥରେ ଦୁଇଥର ଆସି ମାସ ସାରାର ହାଜିରା ପକାଇ ନିୟମିତ ଦରମା ଉଠାଇ ଚାଲିଛନ୍ତି । ଅଫିସର ଜଣେ କର୍ମଚାରୀ ମାସିକିଆ ହାତଗୁଞ୍ଜା ନେଇ ଏଥିରେ ତାଙ୍କୁ ସହଯୋଗ କରୁଥିବା ନେଇ ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ବର୍ତ୍ତମାନର ବିଇଓ ତାହା ଆଜି ପର୍ଯ୍ୟନ୍ତ ଜାଣି ନଥିଲେ । ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଜଣେ ଶିକ୍ଷକରେ ଅନେକ ବିଦ୍ୟାଳୟ ଚାଲିଥିବାବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ଘରେ ବସାଇ କାହା ସ୍ୱାର୍ଥରେ ଦରମା ଦିଆଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସତେ ଯେପରି ଗ୍ରାମବାସୀଙ୍କ ପ୍ରତ୍ୟାଖ୍ୟାନ ତାଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି ଆଲୋଚନା ହେଉଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ଏବେ ଏ ବାବଦରେ ଜାଣିଲେ ବୋଲି କହିଛନ୍ତି । ସେହିପରି ଶିକ୍ଷା ବ୍ୟବସ୍ଥାରେ ଡେପୁଟେସନ ବ୍ୟବସ୍ଥା ଉଠି ଯାଇଥିବାବେଳେ ଏଠାରେ ୪୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ଭିନ୍ନ ଭିନ୍ନ ସ୍କୁଲରେ ନିଯୁକ୍ତି ଦିଆଯାଇଛି । କିନ୍ତୁ କିଏ କେଉଁ ସ୍କୁଲରେ ଡେପୁଟେସନରେ ଅଛନ୍ତି ତାର କୌଣସି ତାଲିକା ବିଇଓଙ୍କ କାର୍ଯ୍ୟାଳୟରେ ନାହିଁଁ । ଯେଉଁ ଅଫିସର ଏହି ଡେପୁଟେସନ କରନ୍ତି ତାଙ୍କ ପକେଟରେ ତାହାର ତାଲିକା ରହିଯାଉଛି । ଫଳରେ ଅଧିକାଶଂ ଡେପୁଟେସନ ଶିକ୍ଷକ ସ୍କୁଲକୁ ନଯାଇ ଖୁଲାମଖୁଲା ବୁଲୁଥିବା ଦେଖିବାକୁ ମିଳୁଛି । ସେହିପରି ଶୀଳପୋଖରୀ ସ୍କୁଲରେ ଡେପୁଟେସନରେ ଥିବା ପୁର୍ବତନ ଶିକ୍ଷକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଅନୁଦାନ ଦେଇନଥିବାବେଳେ ଦୀର୍ଘ ୬ମାସ ହେଲା ସେଠାରୁ ବଦଳିୀ ହୋଇ ଭିନ୍ନ ଏକ ବିଦ୍ୟାଳୟକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାକୁ ଚାର୍ଜ ଦେଇ ନାହାନ୍ତି । ଏପରିକି ଅଧିକାରୀ ମାନଙ୍କ ନିଦେ୍ର୍ଦଶକୁ ମଧ୍ୟ ବେଖାତିର କରି ବୁଲୁଛନ୍ତି । ଯାହାକୁନେଇ ସେଠାରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିଲା । ସେହିପରି ଏଠାରେ ହାତଗୁଞ୍ଜା ନଦେଲେ ଫାଇଲଟିଏ ମଧ୍ୟ ଘୁଞ୍ଚୁ ନଥିବା ଅଭିଯୋଗ ହେଉଛି । ଖୁଲାମଖୁଲା ଏପରି ଅନେକ ଘଟଣା ଓ ଅଭିଯୋଗକୁ ନେଇ ବିଇଓ କାର୍ଯ୍ୟାଳୟଟି ବିବାଦୀୟ ହୋଇ ପଡିଛି । କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।