ଜରୁରୀକାଳୀନ ସେବା ବାଧାପ୍ରାପ୍ତ ବିଏସଏନଏଲ ନେଟୱାର୍କ ସେବା ବ୍ୟାହତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବର୍ତମାନ ବିଭିନ୍ନ ମୋବାଇଲ କମ୍ପାନୀକୁ ନେଇ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଥିବା ବେଳେ ବିଏସଏନଏଲ ବ୍ରଡ଼ବ୍ୟାଣ୍ଡ ଓ ୩ ଜି ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହାର ତୃଟି ସୁଧାରିବା ପାଇଁ କର୍ତୁପକ୍ଷ କୌଣସି ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁନଥିବାରୁ ବହୁ ଉପଭୋକ୍ତା ବିଏସଏନଏଲ ସେବାରୁ ମୁହଁ ଫେରାଇ ନେଉଛନ୍ତି । ଦିନତମାମ ନେଟୱାର୍କ ନଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ଜରୁରୀକାଳୀନ ସେବା କ୍ଷେତ୍ରରେ ଯୋଗାଯୋଗ ପାଇଁ ନାହିଁନଥିବା ସମସ୍ୟା ଉପୁଜୁଛି । ରୋଗୀଙ୍କ ସକାଶେ ଆବଶ୍ୟକ ପଡ଼ୁଥିବା ଆମ୍ବୁଲାନ୍ସ ସେବା ସକାଶେ ନିଶୁକ୍ଳ ନଂ- ୧୦୮, ଗର୍ଭବତୀ ମହିଳା ଓ ୧ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଇବା ପାଇଁ ୧୦୨, ନିଆଁ ଲିଭା କିମ୍ବା ଜରୁରୀକାଳୀନ ସେବାର ଆବଶ୍ୟକତା ପଡ଼ିଲେ ଅଗ୍ନିଶମ ବାହୀନି ସକାଶେ ୧୦୧ ଏବଂ ଗଣ୍ଡୋଗୋଳ, ଅପ୍ରିତିକାର ପରିସ୍ଥିତର ମୁକାବିଲା ସକାଶେ ପୋଲିସ ବାହୀନିର ସହାୟତା ସକାଶେ ନଂ- ୧୦୦ ସହ ଯୋଗାଯୋଗ କରିବା ପାଇଁ ବାମ୍ବାର ଚେଷ୍ଟା କରାଯାଉଥିଲେ ମଧ୍ୟ ସମ୍ଭବପର ହୋଇ ପାରୁନାହିଁ ।
କିଛି ବ୍ୟକ୍ତି ବିଏସଏନଏଲ ସେବା ଉପରେ କ୍ଷୁବ୍ଧ ହୋଇ ଡ଼ିଜିଟାଲ ସେବା ବିଫଳ ବୋଲି କହିଛନ୍ତି । ବିଶେଷତଃ ବ୍ଳକ କାର୍ଯ୍ୟାଳୟ ଜରିଆରେ ଚରାଲିଥିବା ମହାତ୍ମାଗାନ୍ଧି ଗ୍ରାମୀଣ ଉନ୍ନୟନ ଯୋଜନା ଏକ ପ୍ରକାର ଅଚଳ ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମାଷ୍ଟର ରୁଲ କାର୍ଯ୍ୟାବଳୀ ଓ ଜବ୍ କାର୍ଡ଼ ସଂଯୋଜନା ହୋଇପାରୁନଥିବାରୁ କାମର ନିୟମିତ ସୂଚୀ ଦାଖଲ ସହ ଶ୍ରମଜୀବିଙ୍କ ବ୍ୟାଙ୍କ ଏକାଂଉଟକୁ ଟଙ୍କା ପଠାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟେକ ସପ୍ତାହରେ ଶ୍ରମଜୀବିଙ୍କୁ ସେମାନଙ୍କ ଜବ୍ କାର୍ଡ଼ ଅନୁଯାୟୀ ଅର୍ଥ ପୈଠ କରିବାର ବିଧିବଦ୍ଧ ବ୍ୟବସ୍ଥା ଥିବା ବେଳେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକ ଅଂଚଳର ବହୁ ଗ୍ରାମାଂଚଳରେ ବିଏସଏନଏଳ ସେବା ବାରମ୍ବାର ବିଫଳ ଯୋଗୁଁ ବିଭିନ୍ନ ସରକାରୀ ଓ ବେସରକାରାୀ କାର୍ଯ୍ୟାଳୟର କମ୍ପ୍ୟୁଟର ଏକ ପ୍ରକାର ଠପ୍ ହୋଇଯାଇଛି । ଯଦ୍ୱାରା ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ଘଟିଛି । ଶ୍ରମଜୀବିଙ୍କ ତେଲ ଲୁଣ ସଂସାର ବର୍ତମାନ ଯନ୍ତ୍ରଣାଦାୟକ ମନେହେଉଛି । ବର୍ତମାନ ପରିସ୍ଥିତିରେ ସରକାର କାଗଜ କଲମ ବର୍ଜନ କରି ଅନଲାଇନ ମାଧ୍ୟମରେ ସମସ୍ତ କାମର ଭାର ଲଦି ଦେଇଥିବାରୁ ପ୍ରାୟ ସମସ୍ତ ନେଟୱାର୍କ ବିଫଳ ଯୋଗୁଁ ଏବେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇପଡ଼ିଛି । ଜରୁରୀକାଳୀନ ଭିତିରେ ଚାକିରି ପାଇଁ ଆବେଦନ କରି ଆସୁଥିବା ପ୍ରାର୍ଥୀଙ୍କ ଅବସ୍ଥା କହିଲେ ନସରେ । ଘଂଟା ଘଂଟା ଧରି ନେଟୱାର୍କ ନରହିବା ଯୋଗୁଁ ଆଶାୟୀ ପ୍ରାର୍ଥୀ ମାନେ ଆବେଦନ କରିପାରୁନଥିବା ଜଣାପଡ଼ୁଛି । ଏହି ପରିପ୍ରେକ୍ଷୀେୀ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟ କେତେକ ଶିକ୍ଷାନୁଷ୍ଠାନରେ ଏଂଟ୍ରାନ୍ସ ପରୀକ୍ଷା ଦେବା ପାଇଁ ଆସୁଥିବା ଶହଶହ ଶିକ୍ଷାର୍ଥୀଙ୍କ ଅଭିଭାବକଙ୍କୁ ଏବେ ନୈରାଶ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି । ସହରର ବହୁ କମ୍ପ୍ୟୁଟର ସେଂଟର ଗୁଡ଼ିକରେ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଥିବାର ଦେଖିବାକୁ ମିଳୁଛି । ଦିନତମାମ ନେଟୱାର୍କ ନରହିବା ଯୋଗୁଁ ଶେଷରେ ନିରାଶ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି । ସମସ୍ତ କାମ ନେଟୱାର୍କ ଉପରେ ନିର୍ଭର କରୁଥିବା ଯୋଗୁଁ ଗତ କିଛି ଦିନ ଧରି ବିଏସଏନଏଲ ନେଟୱାର୍କର ଯେପରି ଲୁଚକାଳି ଖେଳ ଚାଲୁ ରହିଛି ସେଥିରେ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ଠପ୍ ହେବା ସହ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବିଏସଏନଏଲ କାର୍ଯ୍ୟାଳୟରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏବେ ନେଟୱାର୍କର ଅନ୍ଧାର ଗଳି ଭିତରେ ସାଧାରଣ ଜନତା ଛନ୍ଦି ହୋଇ କେତେଯେ ଜୀବିକା ହରାଇବେ, ତାହା ନିସନ୍ଦେହ । ଭାରତବର୍ଷରେ ଡ଼ିଜିଟାଲ ସେବା ସ୍ୱପ୍ନ କେତେଦୁର ସଫଳ ହେବ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ର ସରକାର ହଜାର ହଜାର ଟଙ୍କା ବ୍ୟୟରେ ଭାରତବର୍ଷର ବିଭିନ୍ନ ଗ୍ରାମ ଓ ପଂଚାୟତ ସହ ଜିଲ୍ଲା , ରାଜ୍ୟ ଓ କେନ୍ଦ୍ରର ମୁଖ୍ୟ ଦପ୍ତର ସହ ଯୋଗଯୋଗ ପାଇଁ ଜୋରଦାର ଭାବେ ଯନ୍ତ୍ର ସହାୟତାରେ ମାଟି ତଳେ ପାଇପ ବିଛା କାର୍ଯ୍ୟ ଚାଲିଥିଲେ ହେଁ ଏହା ଭବିଷ୍ୟତରେ କେତେଦୂର କାର୍ଯ୍ୟକାରୀ ହେବ, ତାହା ସମୟ କହିବ ବୋଲି ସାଧାରଣରୋ ଚର୍ଚ୍ଚା ଚାଲିଛି । କିଛି ଦିନ ଧରି ବିଏସଏନଏଲ ନେଟୱାର୍କର ଏଭଳି ପରିସ୍ଥିତ ଯୋଗୁଁ ସ୍ଥାନୀୟ ଅଂଚଳର ଜନସାଧାରଣ ବିଏସଏନଏଲ ନେଟୱାର୍କ ପ୍ରତି ବିତୃଷ୍ଣା ମନୋଭାବ ହେବା ସହ ଅନ୍ୟ ନେଟୱାର୍କକୁ ଏମଏନପି(ମୋବାଇଲ ନମ୍ବର ପୋର୍ଟେବିଲିଟି) କରୁଥିବାର ଦେଖିବାକୁ ମିଳୁଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।


