ବିଏସଏନଏଲ ୪ଜି ଟାଓ୍ବାର ସ୍ଥାନାନ୍ତର ପ୍ରସଙ୍ଗ;ଛାତ୍ର ବିଜେଡି ର ବିକ୍ଷୋଭ

ଭବାନୀପାଟଣା, (ଓ୍ବାଇଏନ୍ଏସ୍): ନିତି ଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପ୍ରମୁଖ ଅଟେ । ଏହି ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାର ସାମଗ୍ରୀକ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ଭାରତ ସରକାରଙ୍କ ଅଧିନସ୍ଥ ଭାରତ ସଂଚାର ନିଗମ ଲିମିଟେଡ଼(ବିଏସଏନଏଲ) ଏ ଦୁଇ ଜିଲ୍ଲା ର ୧୭ଟି ସ୍ଥାନରୁ ତାର ୪ଜି ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ବନ୍ଦ କରି ତାହାର ଉପକରଣ ସବୁ କନ୍ଧମାଳ ଜିଲ୍ଲା କୁ ସ୍ଥାନାନ୍ତର ପାଇଁ ଯୋଜନା କରୁଛି । ସ୍ବଳ୍ପ ଡାଟା ବ୍ୟବହୃତ ହେଉଥିବା କାରଣ ଦର୍ଶାଇ ଓଡ଼ିଶା ଟେଲିକମ ସର୍କିଲ ର ଜେନାରାଲ ମ୍ୟାନେଜର ସ୍ଥାନାନ୍ତରଣ ନେଇ ଜିଲ୍ଲା ଟେଲିକମ ମ୍ୟାନେଜର ମାନଙ୍କୁ ଚିଠି ଲେଖିବା ପରେ ସାଧାରଣ ରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏ ଘଟଣାରେ ଆଜି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ତିବ୍ର ନିନ୍ଦା କରାଯିବା ସହ ଏ ନିଷ୍ପତ୍ତି କୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଭବାନୀପାଟଣା ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ବିଏସଏନଏଲ ବିରୋଧରେ ନାରା ଦେବା ସହ କାହା ସ୍ବାର୍ଥ ରେ ୪ଜି ସେବାକୁ ସ୍ଥାନାନ୍ତର ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନ କରାଯିବା ସହ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଜରିଆରେ ପ୍ରେରିତ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଏସଏନଲ ଓଡିଶା ସର୍କିଲ ର ମୁଖ୍ୟ ଜେନାରାଲ ମ୍ୟାନେଜର ଗତ ୨୮ ଜୁଲାଇ ରେ ଟିଡିଏମ ମାନଙ୍କୁ କରିଥିବା ଚିଠି ଅନୁଯାୟୀ କଳାହାଣ୍ଡି ଓ ବଲାଙ୍ଗୀର ସର୍କିଲ ର ୪୧ ଟି ସ୍ବଳ୍ପ ଡାଟା ବ୍ୟବହୃତ ସ୍ଥାନ କୁ ଚିଠି ରେ ଦର୍ଶାଯାଇଛି ଯେଉଁଥିରେ କଳାହାଣ୍ଡି ର ୧୬ ଟି ସ୍ଥାନ ଓ ନୂଆପଡା ଜିଲ୍ଲା ର ୨ ସ୍ଥାନ ରହିଛି । କଳାହାଣ୍ଡି ର ଆମପାଣି, ବେହେରା, ବିଜମରା, ଚିଚେଇଗୁଡା,ଚିଲଗୁଡା, ଗୁଗରୁପଲା, ହାତୀବନ୍ଧ, ଜାରିଙ୍ଗ, କାଉଡୋଲା, କୁଲିଆବନ୍ଦ, ଲଡୁ ଗାଁ, ମହିଚଲା,ମୋଟେର, ପାଷ୍ଟିଗୁଡି, ଗୋଲାମୁଣ୍ଡା, ଥୁଆପଦର ଭଳି ସ୍ଥାନରୁ ୪ଜି ସେବା ବନ୍ଦ ହେବ ବୋଲି କୁହାଯାଇଛି । ଏଣୁ ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ତ୍ବରିତ ହସ୍ତକ୍ଷେପ ଲୋଡିଛି ଛାତ୍ର ବିଜେଡି । କୋଭିଡ ସମୟରେ ଗ୍ରମାଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଇଣ୍ଟରନେଟ ଜରିଆରେ ପାଠ ପଢ଼ୁଥିବା ରୁ ଶିକ୍ଷା ଦାନ ବାଧାପ୍ରାପ୍ତ ହେବ ଓ ଛାତ୍ରଛାତ୍ରୀ ଇଣ୍ଟରନେଟ ସେବାରୁ ବଞ୍ଚିତ ହେବେ ବୋଲି ଛାତ୍ର ବିଜେଡି ତରଫରୁ ସ୍ମାରକ ପତ୍ରରେ କୁହାଯାଇଛି । ପୁଣି ବିଏସଏନଏଲ ବହୁ ବର୍ଷ ଧରି ତାର ପୁରୁଣା ଢାଞ୍ଚା ଓ ବିନା ଜେନେରେଟର ରେ କାମ ଚଳେଇ ଆସିଛି । ଏଣୁ ତାର ଭିତ୍ତିଭୂମି କୁ ସୁଦୃଢ କରିବା ସହ ସମସ୍ତ ଟାଓ୍ବାର ରେ ଜେନେରେଟର ସେଟ ରଖିବା, ମାଓ ପ୍ରଭାବିତ ବ୍ଳକ ଲାଞ୍ଜିଗଡ଼, ଥୁଆମୁଲ ରାମପୁର, ଗୋଲାମୁଣ୍ଡା ର ଉପାନ୍ତ ଅଞ୍ଚଳ ମାନଙ୍କରେ ନୂତନ ଟାଓ୍ବାର ନିର୍ମାଣ କରିବା, ୨ଜି ଟାଓ୍ବାର ଗୁଡିକୁ ଅପଗ୍ରେଡ କରି ୪ଜି ସେବା କାର୍ଯ୍ୟକ୍ଷମ କରିବା ପ୍ରମୁଖ ଦାବି କରାଯାଇଛି । ବିଏସଏନଏଲ ଯଦି କଳାହାଣ୍ଡିର ଜେଡଟିଇ ୪ଜି ଟାଓ୍ବାର ଓ ଉପକରଣ କୁ ସ୍ଥାନାନ୍ତର ନିଷ୍ପତ୍ତି ରୁ ନଓହରେ ତେବେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଛାତ୍ର ସଭାପତି ଅବିନାଶ ଠାକୁର କହିଛନ୍ତି । ଏହି ବିକ୍ଷୋଭ ରେ ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଅନୁସୂଚିତ ଜାତି କାର୍ଯ୍ୟକାରୀ ସଦସ୍ୟ ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ନିଆଲ, ଛାତ୍ର ଉପସଭାପତି ଅଭିଷେକ ମହାପାତ୍ର, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଛାତ୍ର ନେତା ଅମରଦୀପ ସିଂହ, ଶୁଭମ ନାଏକ , ସତ୍ୟବ୍ରତ ଦାସ, ମହମ୍ମଦ ଇସମାଇଲ, ରଞ୍ଜନ ସାହୁ, ଅମିତ ଯାଦବ, ହରଦୀପ ସିଂହ, ଦିନେଶ ବଗର୍ତୀ, ଲବଣୀ ମହାନନ୍ଦ, ଜିତେନ୍ଦ୍ର ବେହେରା, କାମାକ୍ଷ ସିଂହ ଦେଓ, ସିନୁ ବେହେରା, ରୋମାଞ୍ଚଳ ମେହେର, ସାଗର ପାଲ, ସୁଭେନ୍ଦୁ ଲହଜାଲ, ପ୍ରଭୁପାଦ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ