ବିଏସପି ଉପାଧ୍ୟକ୍ଷଙ୍କ ବିରୋଧରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ , (ଯୁଗାବ୍ଦ ନ୍ୟୁଜ) ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀଙ୍କ ଭାଇ ତଥା ପାର୍ଟିର ଉପାଧ୍ୟକ୍ଷ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟକର ବିଭାଗ ଆନନ୍ଦଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚଳାଇଥିବାବେଳେ ଗୁରୁବାର ୪୦୦ କୋଟି ଟଙ୍କାର ଏକ ବେନାମୀ ପ୍ଲଟ୍କୁ ଜବତ କରିଛି। ଆୟକର ବିଭାଗ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ସମ୍ପତ୍ତିର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ବିଭାଗ ଜାଣିବାକୁ ପାଇଥିଲା ଯେ, ଆନନ୍ଦ କୁମାରଙ୍କ ନିଟକରେ ନୋଏଡ଼ାରେ ୨୮ ହଜାର ୩୨୮ ବର୍ଗ ମିଟରର ଏକ ବେନାମୀ ପ୍ଲଟ ରହିଛି। ୭ ଏକର ବିଶିଷ୍ଟ ଏହି ପ୍ଲଟର ମୂଲ୍ୟ ପାଖାପାଖି ୪୦୦ କୋଟି ଟଙ୍କା ହେବ। ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ର ଲତାଙ୍କର ଏହି ବେନାମୀ ପ୍ଲଟକୁ ଜବତ କରିବା ଲାଗି ଗତ ୧୬ ତାରିଖରେ ଦିଲ୍ଲୀସ୍ଥିତ ଆୟକର ବିଭାଗର ୟୁନିଟ୍ ନିର୍ଦେଶ ଦେଇଥିଲା। ଏହା ପରେ ଗୁରୁବାର ଆୟକର ବିଭାଗ ଏହି ପ୍ଲଟକୁ ଜବତ କରିଛି ।