ବିକାଶକୁ ଗତିରୋଧ କଲେ ଦାୟୀ ରହିବେ ଅଧିକାରୀ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସମବାୟ ବିଭାଗର କାର୍ଯ୍ୟାବଳୀ ଏବଂ ୫-ଟି କ୍ରିୟାନ୍ୱୟନ ସଂପର୍କରେ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀ ଏବଂ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରି ସମବାୟ ବିଭାଗ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ପ୍ରତି ୫-ଟି ଉପରେ ଗୁରୁତ୍ୱାରୋପ କରିଥିବା ପରିପ୍ରେକ୍ଷୀରେ ତାହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ । ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦଳଗତ ଭାବେ ସମୟସୀମା ମଧ୍ୟରେ ସ୍ୱଚ୍ଛତାର ସହ କାର୍ଯ୍ୟ କଲେ ଏହା ରାଜ୍ୟବାସୀଙ୍କୁ ଉତମ ସେବା ପ୍ରଦାନ କ୍ଷେତ୍ରରେ ସହାୟକ ହେବା ସହ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିପାରିବ ବୋଲି ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏଥିରେ ଅବହେଳା ପ୍ରଦର୍ଶନ କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ । ସମବାୟ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ସମୀକ୍ଷା କରି ଚାଷୀ ଓ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ଏଥି ସହ ଜଡିତ ଥିବାରୁ ଏ ଦିଗରେ ଯୋଜନାବଦ୍ଧ ଭାବେ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଚାଷୀମାନେ ଧାନବିକ୍ରୀ ଟଙ୍କା ଠିକ ସମୟରେ ପାଇପାରୁ ନ ଥିବା ଏବଂ ସେବା ସମବାୟ ସମିତିର ୨୦୧୪-୧୫ ପାଖରୁ ମଣ୍ଡି ଶ୍ରମ ପ୍ରାପ୍ୟ ପାଇ ନ ଥିବାର ସିଏସଓ ଏବଂ ଏସିଏସଓଙ୍କୁ ଡକାଇ ତୁରନ୍ତ ଏ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ କୃଷି ସମିତିଗୁଡିକ ଦ୍ୱାରା ଚାଷୀମାନଙ୍କୁ ଦିଆଯାଇଥିବା ଋଣ ଏବଂ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଜନସାଧାରଣ ସମବାୟ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉପରେ ମାନ୍ୟବର ମନ୍ତ୍ରୀ ସମୀକ୍ଷା କରିଥିଲେ । ଋଣ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମବାୟ ବ୍ୟାଙ୍କ ଓ ସମିତିମାନଙ୍କର ନିୟମିତ ଅଡିଟ ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସେ କହିଥିଲେ । ଆଜିର ସମୀକ୍ଷା ପରେ ପୁନର୍ବାର ୪ ମାସ ପରେ ଆଉ ଏକ ସମୀକ୍ଷା ବୈଠକ କରି ଆଜିର କାର୍ଯ୍ୟସୂଚୀ ବାବଦରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଦାରଖ କରିବେ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି । ଟ୍ରାକ୍ଟର ଓ ପାୱାର ଟିଲର ସମେତ କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ପ୍ରଦାନ, ଖରି‘ ଋତୁରେ ଚାଷୀମାନେ ଯେପରି ଧାନର ଉଚିତ୍ ମୂଲ୍ୟ ଠିକ୍ ସମୟରେ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମାଂଚଳରେ ସମବାୟ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସେବା କେନ୍ଦ୍ର, ଚାଷୀମାନଙ୍କ ଆଧାରକାର୍ଡ ଲିଙ୍କ, ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଏବଂ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ମାନ୍ୟବର ମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ସେହିପରି ସମବାୟ ବ୍ୟାଙ୍କ ଓ ସମବାୟ ସମିତିଗୁଡିକ ନିମନ୍ତେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଯେପରି ପୂରଣ ହୋଇପାରିବ ତାହା ସୁନିଶ୍ଟିତ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ସମବାୟ ସମିତିଗୁଡିକରେ ଖାଲି ପଡିଥିବା ପଦବୀ ଏବଂ କମ୍ପ୍ୟୁଟରୀକରଣ ଉପରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ହାସଲ କରିଥିଲେ । ଏହି ବୈଠକରେ ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ଡିଆରସିଏସ ଦାୟିତ୍ୱରେ ଥିବା ବ୍ୟାଙ୍କ ଉପସଭାପତି ଅନୀତା ଭୂୟାଁ, ନିର୍ଦ୍ଦେଶକ ଅଜୟ ସାମଲ, ମାନସ ଜେନା, ଗିରୀଶ ଦାସ, ଭାଗବତ ଖିଲାର, ରମେଶ ଭାରତୀ, ନିର୍ମଳ ମଣ୍ଡଳ, ଅସ୍ମିତା ମହାପାତ୍ରଙ୍କ ସମେତ ସେବା ସମବାୟ ସମିତିରୁ ୩ଜଣ ସଭାପତି ଓ ୩ଜଣ ସମ୍ପାଦକ ଯୋଗ ଦେଇଥିବା ବେଳେ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ, ଅଡିଟର ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।