ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ନୂଆ ବ୍ୟବସ୍ଥା  ନିମ୍ନରେ ଦିଆଗଲା:-

୧. ବିକାଶ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଏକ ନୂଆ ବ୍ୟବସ୍ଥା କରାଯାଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ଲାଗୁ ହେବ । ଏହି ବ୍ୟବସ୍ଥା ଦ୍ୱାରା ଯେକୌଣସି ଘରୋଇ କମ୍ପାନୀ ୨୨% ହାରରେ ଆୟକର ପରିଶୋଧ କରିବାର ବିକଳ୍ପ ପାଇବେ । ତେବେ କୌଣସି ପ୍ରକାରର ରିହାତି କିମ୍ବା ପ୍ରୋତ୍ସାହନ ଗ୍ରହଣ ନକରିବାର ସର୍ତରେ ସେମାନଙ୍କୁ ଏହି ସୁବିଧା ମିଳିପାରିବ । ସରଚାର୍ଜ ଏବଂ ସେସକୁ ମିଶାଇ କମ୍ପାନୀଗୁଡ଼ିକ ପାଇଁ ଲାଗୁ ଦର ୨୫.୧୭% ରହିବ । ଏପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଟିକସ ପଇଠ କରିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ ।

୨.ଉତ୍ପାଦନ କ୍ଷେତ୍ରରେ ନୂଆ ନିବେଶକୁ ଆକୃଷ୍ଟ କରିବା ଏବଂ ସରକାରଙ୍କ ‘ମେକ ଇନ ଇଣ୍ଡିଆ’କୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଆଉ ଏକ ନୂଆ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ଲାଗୁ ହେବ । ୧ ଅକ୍ଟୋବର ୨୦୧୯ କିମ୍ବା ଏହାପରେ ପ୍ରତିଷ୍ଠିତ ହୋଇଥିବା ଯେକୌଣସି ନୂଆ ଉତ୍ପାଦନଭିତିକ ଘରୋଇ କମ୍ପାନୀକୁ ୧୫% ଦରରେ ଟିକସ ପଇଠ କରିବାର ବିକଳ୍ପ ମିଳିବ । ତେବେ କୌଣସି ପ୍ରକାରର ରିହାତି କିମ୍ବା ପ୍ରୋତ୍ସାହନର ଲାଭ ନେଉଥିବା ଏବଂ ୩୧ ମାର୍ଚ୍ଚ ୨୦୨୩ କିମ୍ବା ତା’ ପୂର୍ବରୁ ଉତ୍ପାଦନ ଆରମ୍ଭ କରୁଥିବା କମ୍ପାନୀକୁ ଏହି ସୁବିଧା ମିଳିବ ନାହିଁ । ସରଚାର୍ଜ ଏବଂ ସେସ୍କୁ ମିଶାଇ ଏହି କମ୍ପାନୀଗୁଡ଼ିକ ପାଇଁ ଲାଗୁ ଟିକସ ଦର ୧୭.୦୧% ରହିବ । ଏପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଟିକସ ପଇଠ କରିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ ।

୩.ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରୁନଥିବା ତଥା ଟିକସ ଛାଡ଼ କିମ୍ବା ପ୍ରୋତ୍ସାହନର ଲାଭ ଉଠାଉଥିବା କମ୍ପାନୀକୁ ପୂର୍ବ ସଂଶୋଧିତ ଦରରେ ଟିକସ ପଇଠ କରିବାକୁ ପଡ଼ିବ । ତେବେ ଏପରି କମ୍ପାନୀ ନିଜ ଟିକସ ଛାଡ଼ ଅବଧି ଶେଷ ହେବା ପରେ ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରିପାରିବେ । ବିକଳ୍ପ ଚୟନ କରିବା ପରେ ସେମାନେ ୨୨% ଦରରେ ଟିକସ ପଇଠ କରିବା ଲାଗି ଉତରଦାୟୀ ହେବେ । ଥରେ ଏହି ବିକଳ୍ପ ଚୟନ କରିବା ପରେ ଏହି ବିକଳ୍ପକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । ରିହାତି କିମ୍ବା ପ୍ରୋତ୍ସାହନର ଲାଭ ନେବା ଜାରି ରଖୁଥିବା କମ୍ପାନୀଗୁଡ଼ିକୁ ରିହାତି ପ୍ରଦାନ କରିବା ଲାଗି ସର୍ବନିମ୍ନ ବିକଳ୍ପ ଟିକସ ଦରକୁ ୧୮.୫%ରୁ ହ୍ରାସ କରି ୧୫% କରି ଦିଆଯାଇଛି ।

୪.ପୁଞ୍ଜି ବଜାରରେ ଅର୍ଥ ପ୍ରବାହକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି, ଏଚୟୁଏଫ, ଏଓପି, ବିଓଆଇ ଏବଂ ଏଜେପି ହାତରେ ଥିବା ଏକ କମ୍ପାନୀ କିମ୍ବା ଇକ୍ୟୁଟି ଆଧାରିତ ପାଣ୍ଠି, କିମ୍ବା ପ୍ରତିଭୂତି କାରବାର ଟିକସ ପାଇଁ ଉତରଦାୟୀ ଏକ ବ୍ୟବସାୟିକ ଟ୍ରଷ୍ଟର ଏକ ୟୁନିଟରେ ଇକ୍ୟୁଟି ଶେୟାର ବିକ୍ରିରୁ ମିଳୁଥିବା ପୁଞ୍ଜି ଲାଭ ଉପରେ ଅର୍ଥ (ସଂଖ୍ୟା ୨), ଆଇନ ୨୦୧୯ ଦ୍ୱାରା ବର୍ଦ୍ଧିତ ସରଚାର୍ଜ ଲାଗୁ ହେବ ନାହିଁ ।

୫. ବର୍ଦ୍ଧିତ ସରଚାର୍ଜ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଦ୍ୱାରା ଡେରିଭେଟିବ୍ସ ସମେତ କୌଣସି ପ୍ରକାର ପ୍ରତିଭୂତି ବିକ୍ରିରୁ ହେଉଥିବା ଲାଭ ଉପରେ ମଧ୍ୟ ଲାଗୁ ହେବ ନାହିଁ ।

୬.୫ ଜୁଲାଇ ୨୦୧୯ ପୂର୍ବରୁ ଶେୟାର ବାଏବ୍ୟାକ ଘୋଷଣା କରୁଥିବା ତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ ଏଥିପାଇଁ ଲାଗୁ ହେଉଥିବା ଟିକସ ଦେବାକୁ ପଡ଼ିବ ନାହିଁ । ଉକ୍ତ କମ୍ପାନୀଗୁଡ଼ିକୁ ରିହାତି ଦେବା ଲାଗି ଏହି ନିଷ୍ପତି ନିଆଯାଇଛି ।

୭.ସିଏସଆର ଅନ୍ତର୍ଗତ ହେଉଥିବା ୨% ଖର୍ଚ୍ଚର ପରିଧି ବୃଦ୍ଧି କରିବା ଲାଗି ମଧ୍ୟ ସରକାର ନିଷ୍ପତି ନେଇଛନ୍ତି । ବର୍ତମାନ ୨% ସିଏସଆର ଅର୍ଥରାଶି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିମ୍ବା ଅନ୍ୟ କୌଣସି ଏଜେନ୍ସି କିମ୍ବା କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଅର୍ଥ ଯୋଗାଣ ହେଉଥିବା ଇନକ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ । ଏଥିସହିତ ଏସଡିଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ମେଡିସିନ କ୍ଷେତ୍ରରେ ଗବେଷଣା କରୁଥିବା ସରକାରୀ ବିଶ୍ୱ ବିଦ୍ୟାଳୟ, ଆଇଆଇଟି, ଜାତୀୟ ଗବେଷଣାଗାର ଏବଂ ସ୍ୱାୟତ ସଂସ୍ଥା (ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଆଇସିଏଆର, ଆଇସିଏମଆର, ସିଏସଆଇଆର, ଡିଏଇ, ଡିଆରଡିଓ, ଡିଏସଟି ଅଧୀନରେ ପ୍ରତିଷ୍ଠିତ) ଲାଗି ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯାଇପାରିବ ।

୮.କର୍ପୋରେଟ ଟିକସ ଦରରେ ରିହାତି ଏବଂ ଅନ୍ୟ ରିହାତି ଘୋଷଣା ହେବା ଫଳରେ ରାଜକୋଷ ଉପରେ ୧,୪୫, ୦୦୦ କୋଟି ଟଙ୍କାର ବୋଝ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ