ବିକାଶ ନାଁରେ କୋଟି କୋଟି ଖର୍ଚ୍ଚ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ବଦଳୁନି କନ୍ଧମାଳର ଭାଗ୍ୟ ଏବେ ବି ଚିର ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି କନ୍ଧମାଳରେ ବସବାସ କରୁଥିବା ଶତାଧିକ ଗ୍ରାମବାସୀ। ବିକାଶ ପାଇଁ ଆସୁଥିବା ଅର୍ଥକୁ ଠିକ ଭାବେ ବ୍ଲକ ଅଧିକାରୀ ତଦାରଖ କରୁନଥିବାରୁ ତଳିଆ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀ ମିଳିମିଶି ଅର୍ଥକୁ ବାଟମାରଣା କରୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ଜିଲ୍ଲା ଅଧିକାରୀଙ୍କ ନିକଟରେ ଠିକ୍ ଭାବେ ତଥ୍ୟ ପହଞ୍ଚି ପାରୁନାହିଁ। ପ୍ରକଳ୍ପ ବାସ୍ତବରେ କାର୍ଯ୍ୟକାରୀ ହେଉଛି ନା ବନ୍ଦ ହୋଇଗଲାଣି, ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ସମୀକ୍ଷା ତ ଦୂରର କଥା, ତଦାରଖ ବି ହେଉନି। ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି! ହେଲେ ବ୍ଲକ ପ୍ରଶାସନର ଆନ୍ତରିକତା ଓ ଦୂରଦୃଷ୍ଟି ଅଭାବରୁ ସେମାନଙ୍କ ଭାଗ୍ୟ ଯେମିତି ସେମିତିରେ ରହିଯାଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ସଦର ମହକୁମା ଠାରୁ ଅଧା କିଲୋମିଟର ଦୂରରେ ଥିବା ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ । ୫୯ ନଂ. ଜାତୀୟ ରାଜପଥ କଡ଼ରୁ ଅଧା କିଲୋମିଟର ଦୂର ଯିବାକୁ ବାଟରେ ଏକ ପାହାଡ଼ିଆ ନାଳ ପଡେ । ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଥିବା ବେଳେ କିଛି ବର୍ଷ ପୂର୍ବେ ଏକ ପୋଲ ନିର୍ମାଣ ହେଲା କିନ୍ତୁ ସେହି ପୋଲ ଦେଇ ପାଣି ନ ଯାଇ ଅନ୍ୟ ବାଟ ଦେଇ ଯାଉଥିବା ରୁ ସେହି ପୋଲ ଟି ରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ପାଣି ରେ ପଡ଼ିଲା ଯାହା ବ୍ୟବହାର ରେ ଲଗିପାରିଲା ନାହିଁ। ଏହା ଭୁଲ ସ୍ଥାନ ରେ ନିର୍ମାଣ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିବାକୁ ନଥିଲେ। ଯାହା ଫଳରେ ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ ଏହି ଦୁଇ ଗାଁ ର ଲୋକଙ୍କ ସମସ୍ୟା ଲାଗିରହିଛି। ବର୍ଷା ହେଲେ ନାଳ ଉପରେ ବଡ଼ କାଠ ଗଣ୍ଡି ଓ ତାର ଟାଣି ଯିବା ଆସିବା କରିଥାନ୍ତି। ନାଳ ପାର ହେଲେ ପଞ୍ଚାୟତ ରୁ ଚାଉଳ ହେଉକି ପିଲା ମାନେ ପାଠପଢିବାକୁ ସ୍କୁଲ କଲେଜ କୁ ଯିବା ଠାରୁ ଆରମ୍ଭ କରି ମେଡ଼ିକାଲ ଓ ବଜାର ଘାଟକୁ ମଧ୍ୟ ଏହି ରାସ୍ତା ସାହା ଭରସା। ରାସ୍ତା ନଥିବାରୁ ୧୦୮ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ରୋଗୀ ମାନଙ୍କୁ ଖଟିଆ ରେ ବୋହି ଜାତୀୟ ରାଜପଥ କଡ଼କୁ ଆସିଲେ ଆମ୍ବୁଲାନ୍ସ ସେବା ମିଳିପାରେ। ଏହି ଦୁଇ ଗାଁରେ ପାଖା ପାଖି ଥିବା ବେଳେ ୩୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଗାଁ ରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ନାହିଁ। ୨’ରୁ ୩କିଲୋମିଟର ଗଲେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଗାଁ ରେ ପିଇବା ପାଣି ସମସ୍ୟା କହିଲେ ନ ସରେ ଗୋଟିଏ ନଳକୂପ ରହିଛି ଯାହାର ପାଣି ଜଙ୍ଗ ଲଗା ପାଣି ସାଙ୍ଗକୁ ମାଟିଆ ପାଣି ବାହାରୁଥିବାରୁ ତାହାକୁ ଛାଣି ବ୍ୟବହାର କରୁଛନ୍ତି ନହେଲେ ନିକଟସ୍ଥ ଚୁଆଁ ପାଣି ହି ଭରସା ବୋଲି ଗ୍ରାମର ରିଙ୍କି ଦିଗାଲ, କାଲେ ଦିଗାଲ, ଦିଶାଲି ଦିଗାଲ, ଶଙ୍କର ଦିଗାଲ, ରାଜେନ୍ଦ୍ର ମଲ୍ଲିକ,ମାକନା ମଲ୍ଲିକ, ଯୁଦାଶ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି । ଏହି ଦୁଇ ଗ୍ରାମର ରାସ୍ତା ସମସ୍ୟା ସଂପର୍କ ରେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଙ୍କ ସହ ଯୋଗା ଯୋଗ କରିବା ପରେ ସେ ପଞ୍ଚାୟତ ଗ୍ରାମ ସେବକ ଓ ଯନ୍ତ୍ରୀ ଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଉକ୍ତ ଗ୍ରାମକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ପାଇଁ କହିବା ସହ ଖୁବ ଶିଘ୍ର ସେହି ଗ୍ରାମବାସୀଙ୍କ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ