ବିକ୍ରମ ସରାଭାଇଙ୍କୁ କୋଟି କୋଟି ଭାରତୀୟଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଚନ୍ଦ୍ରରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର : ପ୍ରଧାନମନ୍ତ୍ରୀ ମୋଦୀ
ଇସ୍ରୋର ପ୍ରାଣ ପ୍ରତିଷ୍ଠାତା ଡଃ ବିକ୍ରମ ସରାଭାଇଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ଅହମ୍ମଦାବାଦ ଠାରେ ଇସ୍ରୋର ମହାକାଶ ବିଭାଗ ଓ ଆଣବିକ ଶକ୍ତି ବିଭାଗର ଗଣମାନ୍ୟ ବ୍ୟକ୍ତି ଏବଂ ସରାଭାଇ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତା ଜରିଆରେ ସମ୍ମେଳନକୁ ସମ୍ବୋଧନ କରିଥିଲେ । ତାଙ୍କ ଭିଡିଓ ବାର୍ତାରେ କହିଥିଲେ ଯେ ଯେତବେଳେ “ବିକ୍ରମ” ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ତାହା କୋଟି କୋଟି ଭାରତୀୟଙ୍କ ତରଫରୁ ଡଃ ସରାଭାଇଙ୍କୁ ଶ୍ରଦ୍ଧାଞ୍ଜଳି ହେବ । ସେ ମଧ୍ୟ କହିଲେ ଯେ ବିକ୍ରମ ସରାଭାଇଙ୍କ ଆଦର୍ଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଛି । ଡଃ ହୋମି ଭାବାଙ୍କ ବିୟୋଗ ଭାରତୀୟ ବିଜ୍ଞାନ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା । ଏହି ସମୟରେ ବିକ୍ରମ ସରାଭାଇ ତାଙ୍କ ଦକ୍ଷତା ଏବଂ ନେତୃତ୍ୱ ବଳରେ ବିଜ୍ଞାନକୁ ନୂତନ ଦିଗନ୍ତ ପ୍ରଦାନ କରିଥିଲେ । ସରାଭାଇଙ୍କୁ ବିଜ୍ଞାନର ଏକ ଉତ୍ସର୍ଗୀକୃତ ସୈନିକ ଭାବେ ଅଭିହିତ କରି କହିଲେ ଯେ ସେ ବିଜ୍ଞାନ ସହିତ ଭାରତର ସଂସ୍କୃତି ଏବଂ ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରୁଥିଲେ । ସେ ସବୁବେଳେ ଛାତ୍ରମାନଙ୍କ ପାଇଁ ସମୟ ଦେଉଥିଲେ । ସରାଭାଇ ଆମମାନଙ୍କ ପାଇଁ ଏକ ଉତରଦାୟିତ୍ୱ ଛାଡି ଯାଇଛନ୍ତି ଏବଂ ଏହାକୁ ଜନସାଧାରଣଙ୍କ ପାଖକୁ ନେଇଯିବା ହେଉଛି ଆମର ଦାୟିତ୍ୱ । ଇସ୍ରୋ ଦ୍ୱାରା ଆରମ୍ଭ ହୋଇଥିବା ଅନଲାଇନ ମହାକାଶ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେ ସ୍କୁଲ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଇସ୍ରୋର ଅଧ୍ୟକ୍ଷ ଡଃ କେ ଶିବାନ ଡଃ ବିକ୍ରମ ସରାଭାଇଙ୍କୁ ଜଣେ ମହାନ ଅନୁଷ୍ଠାନ ନିର୍ମାତା ଭାବେ ଅଭିହିତ କରିଥିଲେ । ଆଧୁନିକ ବିଜ୍ଞାନ, ଭୌତିକ ଗବେଷଣା ଓ ଆଣବିକ ଶକ୍ତି ଆଦି କ୍ଷେତ୍ରରେ ପ୍ରତିଷ୍ଠାନ ମାନ ପ୍ରତିଷ୍ଠା କରି ଆଧୁନିକ ଭାରତ ନିର୍ମାଣ କ୍ଷେତ୍ରରେ ବିକ୍ରମ ସରାଭାଇ ବୃହତ୍ ଯୋଗଦାନ କରିଛନ୍ତି । ସରାଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ଆଜି ଉକ୍ରର୍ଷତାର କେନ୍ଦ୍ର ଭାବେ ପରିଗଣିତ ହେଉଛନ୍ତି । ଏହି ଦୃଷ୍ଟିକୋଣରୁ ଡଃ ସରାଭାଇ ହେଉଛନ୍ତି ଭାରତର ଜଣେ ପ୍ରକୃତ ସନ୍ତାନ । ଉଦଘାଟନୀ କାର୍ଯ୍ୟକ୍ରମରେ ସରାଭାଇଙ୍କ ଜୀବନ କାହାଣୀ ଉପରେ ଆଧାରିତ ଆଲବମ, ଇସ୍ରୋ ଉପରେ ଏକ କଫି ଟେବୁଲ ପୁସ୍ତକ ଏବଂ ଆଣବିକ ଶକ୍ତି ବିଭାଗ ତରଫରୁ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଏକ ବସ ଭିତରେ ‘ସ୍ପେସ ଅନ ହୁଇଲ୍ସ’ ଶୀର୍ଷକ ଏକ ପ୍ରଦର୍ଶନୀର ଉଦଘାଟନ କରାଯାଇଥିଲା । ବର୍ଷେ ବ୍ୟାପୀ ପାଳନ କରାଯିବାକୁ ଥିବା ସରାଭାଇଙ୍କ ଜନ୍ମ ଶତବାର୍ଷିକ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ସ୍କୁଲ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା, ସାମ୍ବାଦିକତା ପୁରସ୍କାର ଏବଂ ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ ଆଦି ସାମିଲ ରହିବ । କାର୍ଯ୍ୟକ୍ରମ ଭାରତ ବ୍ୟାପୀ ୧୦୦ଟି ନିର୍ବାଚିତ ସ୍କୁଲରେ ଆୟୋଜିତ ହେବ । କାର୍ଯ୍ୟକ୍ରମ ଗୁଡ଼ିକ ଅଗଷ୍ଟ ୧୨, ୨୦୨୦ରେ ଥିରୁଅନନ୍ତପୁରମଠାରେ ଉଦଯାପନୀ ଉତ୍ସବରେ ଶେଷ ହେବ । ସରାଭାଇ ମହାକାଶ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡଃ ବିଏନ ସୁରେଶ, ମହାକାଶ କାର୍ଯ୍ୟକାରୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଓ ଡଃ ସରାଭାଇଙ୍କ ଜଣେ ନିକଟତମ ସହଯୋଗୀ ପ୍ରମୋଦ କାଲେ, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡଃ କସ୍ତୁରୀରଙ୍ଗନ, ଆଣବିକ ଶକ୍ତି କମିଶନ କେଏନ ବ୍ୟାସ, ଆଣବିକ ଶକ୍ତି ବିଭାଗର ପୂର୍ବତନ ଅଧ୍ୟକ୍ଷ ଏମଆର ଶ୍ରୀନିବାସନ ଏବଂ ଡଃ ବିକ୍ରମ ସରାଭାଇଙ୍କ ସୁପୁତ୍ର ଡଃ କାର୍ତିକେୟ ସରାଭାଇ ଏହି ଅବସରରେ ଉପସ୍ଥିତ ଥିଲେ ।