ବିଚାର ବିଭାଗୀୟ କୋର୍ଟ ସ୍ଥାନାନ୍ତର ବିରୋଧରେ ମିଳିତ ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ମୁଖ୍ୟଦପ୍ତରରୁ ବାଲେଶ୍ୱରର ସମସ୍ତ ବିଚାର ବିଭାଗୀୟ କୋର୍ଟଗୁଡ଼ିକୁ ରେମୁଣା ତହସିଲ ଅଧିନ ବିଧ୍ୟାଧରପୁର ମୌଜାକୁ ସ୍ଥାନାନ୍ତର ତଥା ସେଠାରେ ‘ଜୁଡ଼ିସିଆଲ୍ ହବ୍’ ନିର୍ମାଣ ନିଷ୍ପତ୍ତିକୁ ବିରୋଧ କରି ବାଲେଶ୍ୱରର ବିଭିନ୍ନ ସାମାଜିକ ଓ ଗଣସଂଗଠନମାନଙ୍କ ସମେତ ଓକିଲ ସଂଘକୁ ନେଇ ଗଠିତ ‘ଜଏଣ୍ଟ୍ ଆକ୍ସନ୍ କମିଟି’ ପକ୍ଷରୁ ବୁଧବାର ଦିନ ପୂର୍ବାହ୍ନରେ ଶତାଧିକ ବ୍ୟକ୍ତି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖସ୍ଥ ଖାଉଟି ଅଦାଲତ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ବାଲେଶ୍ୱରର ବହୁ ସଂଗଠନ ପକ୍ଷରୁ କର୍ମକର୍ତ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଏହା ଏକ ଅପରିଣାମ ନିଷ୍ପତ୍ତି ବୋଲି ମତ ଦେଇଥିଲେ । ଜିଲ୍ଲା ମୁଖ୍ୟଦପ୍ତରୁ କୋର୍ଟଗୁଡ଼ିକ ପ୍ରାୟ ୧୨ କିଲୋମିଟର ଦୂରକୁ ସ୍ଥାନାନ୍ତରିତ ହେଲେ ଜିଲ୍ଲାବାସୀ ନ୍ୟାୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ । ପ୍ରସ୍ତାବିତ ସ୍ଥାନକୁ ଯାତାୟତର କୌଣସି ସୁବ୍ୟବସ୍ଥା ନଥିବାବେଳେ ଜିଲ୍ଲା ମୁଖ୍ୟଦପ୍ତରକୁ ଜିଲ୍ଲାର ସମସ୍ତ ଅଞ୍ଚଳରୁ ସଡ଼କ ଓ ରେଳପଥରେ ଯାତାୟାତର ସୁବିଧାସୁଯୋଗ ରହିଛି । ନ୍ୟାୟ ପାଇଁ ଆବେଦନକାରୀ ପକ୍ଷ ଓ ସାକ୍ଷୀମାନେ ନିର୍ଦ୍ଧାରିତ ସମୟରେ କୋର୍ଟରେ ପହଞ୍ôଚପାରିବେ ନାହିଁ । ଏତଦ୍ଭିନ୍ନ ଓକିଲ, ମୋହରୀର, ଭେଣ୍ଡର, ଟାଇପିଷ୍ଟ ଓ ଅଦାଲତ ପାଶ୍ୱର୍ର ବ୍ୟବସାୟୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହେବେ ବୋଲି ବକ୍ତାମାନେ ଦର୍ଶାଇଥିଲେ । ତେଣୁ ଏହି ନିଷ୍ପତ୍ତିର ପୁନଃବିଚାର କରି ଜିଲ୍ଲାପାଳଙ୍କ ଦପ୍ତରପାଶ୍ୱର୍ରେ ଥିବା କୋର୍ଟ ପରିସରରେ ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ସେମାନେ ଦାବି କରିଥିଲେ । ଜଏଣ୍ଟ୍ ଆକ୍ସନ୍ କମିଟିର ଆବେଦକ ତଥା ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଧାରଣାସ୍ଥଳ ସଭାରେ ଅଧ୍ୟକ୍ଷତା କରିଥିଲେ । ଗଣଧାରଣା ଆରମ୍ଭ ପୂର୍ବରୁ ପୂବାହ୍ନ ୧୦ଟାରେ ମହାତ୍ମାଗାନ୍ଧୀ ଓ କୁଳବୃଦ୍ଧ ମଧୁସୂଦନଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।ଓକିଲ ସଂଘର ସଭାପତି ମନୋଜ ନାୟକ, ସଂପାଦକ ଦୀପକ କୁମାର ଦାଶଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ, ବଂଶୀଧର ଦଳାଇ, ନିରଞ୍ଜନ ପରିଡ଼ା, ଅରୁଣ ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ରଘୁନାଥ ଲେଙ୍କା, ସୀତାରାମ ପ୍ରଧାନ, ସ୍ନେହଲତା ଦାସ, ସରସ୍ୱତୀ ପଣ୍ଡା, ବିଧାନ ଚନ୍ଦ୍ର ରାୟ, ରୁବି ପଟ୍ଟନାୟକ, କୁଶଧ୍ୱଜ ଜେନା, ଅନୁଜ ମହାପାତ୍ର, ବେଣୁଧର ବାରିକ, ଦାମୋଦର ନାୟକ, ଦିବ୍ୟେନ୍ଦୁ ପାଣିଗ୍ରାହୀ, ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ଅବଦୁଲ ମଜିଦ୍, ରଘୁନାଥ ପ୍ରଧାନ, ଇଂ. ବନମାଳୀ ନାୟକ, ବୀରେନ୍ଦ୍ର ନାୟକ, ପ୍ରତିମା ପଣ୍ଡା, ଶରତ କୁମାର ମହାପାତ୍ର, ମମତା ଦାସ, ଯୁବନେତା ବିକ୍ରମ ପଣ୍ଡା, ସିଆଇଟିୟୁ ନେତା ରାଜକିଶୋର ଲେଙ୍କା, ସୋମନାଥ ନାୟକ, ଶିଶିର ରଥ, ବାସନ୍ତୀ କର, ପ୍ରତାପ ଚନ୍ଦ୍ର ପଣ୍ଡା, ତ୍ରିଦୀପ ନାୟକ, ପରିବେଶବିତ୍ ଜୟନ୍ତ ବେହେରା, ସଂବିତ୍ ନନ୍ଦୀ, ଭରତ ଚନ୍ଦ୍ର ସେଠୀ, ପ୍ରଜ୍ଞାପାରମିତା ମହାନ୍ତି, ବିଜୟ କୁମାର ପାଣିଗ୍ରାହୀ ଓ କୁମୁଦ ରଞ୍ଜନ ଗିରି ପ୍ରମୁଖ ସେମାନଙ୍କ ସଂଗଠନ ପକ୍ଷରୁ ଧାରଣା ସ୍ଥଳରେ ନିଜର ବକ୍ତବ୍ୟ ପ୍ରଦାନ କରି ବିଚାର ବିଭାଗ କୋର୍ଟଗୁଡ଼ିକ ସ୍ଥାନାନ୍ତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ । ଜଏଣ୍ଟ୍ ଆକ୍ସନ୍ କମିଟିର ୧୧ଜଣ ସଦସ୍ୟ ବିଶିଷ୍ଟ ଆବାହକ ମଣ୍ଡଳୀ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ପୂର୍ବରୁ ଥିବା କୋର୍ଟ ପରିସରରେ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ବାଲେଶ୍ୱରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିବାଦର ସୁସମାଧାନ ପାଇଁ ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ଆଲୋଚନା ପାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ସଂପର୍କରେ ଧାରଣାସ୍ଥଳରେ ଓକିଲ ସଂଘର ସଭାପତି ମନୋଜ ନାୟକ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ । ତେଣୁ ଆସନ୍ତା ନଭେମ୍ବର ୨ୟ ସପ୍ତାହ ପର୍ଯ୍ୟନ୍ତ ଜଏଣ୍ଟ୍ ଆକ୍ସନ୍ କମିଟି ପକ୍ଷରୁ ପ୍ରସ୍ତାବିତ ପ୍ରତ୍ୟେକ୍ଷ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି । କିନ୍ତୁ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ୧ଲକ୍ଷ ବ୍ୟକ୍ତିଙ୍କ ସ୍ୱାକ୍ଷର ଅଭିଯାନ, ପ୍ରଚାରପତ୍ର ବଣ୍ଟନ ଓ ଜନସଚେତନତା ପ୍ରଭୃତି କାର୍ଯ୍ୟକ୍ରମ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚାଲୁ ରହିବ ବୋଲି ସର୍ବସମ୍ମତିକ୍ରମେ ଧାରଣାସ୍ଥଳରେ ନିଷ୍ପତ୍ତି ନିଆଯାଇଛି । ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେବାପରେ ଅପରାହ୍ନ ୨ଟାରେ ଗଣଧାରଣା ପ୍ରତ୍ୟାହୃତ ହୋଇଛି ।


