ବିଚ୍ଛିନ୍ନାଞ୍ଚଳ ଓଡିଆଙ୍କ ସମସ୍ୟା ନେଇ ଆନ୍ଧ୍ର ରାଜ୍ୟପାଳଙ୍କୁ ତିରୁପତିଙ୍କ ଅନୁରୋଧ
ପାରଳାଖେମୁଣ୍ଡି- (ତାରିଣୀ ପ୍ରସାଦ ପଣ୍ଡା) – ଆନ୍ଧ୍ରପ୍ରଦେଶରେ ଓଡିଶାରୁ ବିଚ୍ଛିନ୍ନ ହୋଇ ଆନ୍ଧ୍ରରେ ରହୁଥିବା ଓଡିଆ ଭାଷାଭାଷୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଅନୁରୋଧ ଜଣାଇଥିଲେ । ଗତକାଲି ଡ.ପାଣିଗ୍ରାହୀ ଆନ୍ଧ୍ର ରାଜ୍ୟପାଳଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଉପଢୌକନ ଦେଇ ସମ୍ମାନିତ କରିବା ସହ ତାଙ୍କ ସହ ସୀମାନ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡିଆଙ୍କ ସମସ୍ୟା,ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇବା,ସେହିପରି ଓଡିଶାରେ ଅଧ୍ୟୟନ କରୁଥିବା ତେଲୁଗୁ ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଓଡିଶା ଏବଂ ଆନ୍ଧ୍ର ସରକାରଙ୍କୁ ଜଣାଇ ସମାଧାନ କରିବା ଭଳି ଆଲୋଚନା କରିଥିଲେ । ଗମନାଗମନ କ୍ଷେତ୍ରରେ ଗଜପତି ଜିଲ୍ଲାର ହାଡୁଭାଙ୍ଗି ଠାରୁ ମାତଳା ପର୍ଯ୍ୟନ୍ତ ରାସ୍ତା ଏବଂ ଗୋପିଲି ଠାରୁ ଗଣ୍ଡାହାତୀ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଏହାକୁ ନିର୍ମାଣ କରିବା ପାଇଁ ଉଭୟ ସରକାରଙ୍କୁ ଜଣାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସହଜ ହେବ ବୋଲି କହିଛନ୍ତି । ଜିଲ୍ଲାର ଗୋଷାଣୀ ବ୍ଲକରେ ବିଭିନ୍ନ ଅଞ୍ଚଳରେ ଓଡିଶାରେ ଆରମ୍ଭ ହୋଇଥିବା କେନାଲ ଗୁଡିକ ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମଦେଇ ପୁଣି ଓଡିଶାକୁ ଆସୁଛି ହେଲେ ଆନ୍ଧ୍ରଅଞ୍ଚଳରେ କେନାଲ ଗୁଡିକ ଭାଙ୍ଗିଯିବା ସହ ବନ୍ଦ ହୋଇ ରହିଛି । ଯାହା ଫଳରେ ଦୁଇ ରାଜ୍ୟର ଚାଷୀମାନେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସହଯୋଗର ହାତ ବଢାଇବାକୁ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଥିଲେ ।


