ବିଜୁବାବୁଙ୍କ ୧୦୫ତମ ଜୟନ୍ତୀରେ ମେଗା ଷ୍ଟିଲପ୍ଲାଣ୍ଟ ଉପହାରକୁ ସ୍ୱାଗତ: ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ୍‌.ଏନ୍ ମିତ୍ତଲଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ଏହି ଏମ୍‌ଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା କରିବ । ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲପ୍ଲାଣ୍ଟ ପ୍ରକଳ୍ପ ଦାଦନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ବେକାରୀ ସମସ୍ୟା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମ୍‌ଓୟୁକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପଡ଼ୋଶୀ ଯାଜପୁର ଜିଲ୍ଲାର ବେକାରୀ ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ । ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ୱପ୍ନର ଜିଲ୍ଲା କେନ୍ଦ୍ରାପଡ଼ାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ