ବିଜୁଳି ଛାଟ, କଟିଲା ୧୫୪୫ ସଂଯୋଗ

ଭୁବନେଶ୍ୱର : ଘୋଷଣା ମୁତାବକ ସେସୁ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ଗୁରୁବାରଠାରୁ ବିଚ୍ଛିନ୍ନ କରିବା ଆରମ୍ଭ କରିଛି । ପ୍ରଥମ ଦିନରେ ୧୫୪୫ଟି ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ରେକର୍ଡ ସଂଖ୍ୟକ ଦେୟ ମଧ୍ୟ ଆଦାୟ କରାଯାଇଛି । ଗୋଟିଏ ଦିନରେ ୫ କୋଟି ୩୮ଲକ୍ଷ ୯୮ ହଜାର ବକେୟା ରାଶି ଆଦାୟ ହୋଇଛି । ଏହା ଛଡ଼ା ଅନେକ ଅନଲାଇନ୍ ଦେୟ ମଧ୍ୟ ଆସିଛି । ତାହାକୁ ହିସାବକୁ ନେଲେ ଏହି ଆଦାୟ ରାଶି ୬ କୋଟି ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏହି ଆଦାୟ କରିବା ପାଇଁ ୫୩୩ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ୧୩ ହଜାର ୪୧୧ଟି ବାଣିଜି୍ୟକ ପ୍ରତିଷ୍ଠାନ ବୁଲିଥିଲେ । ସହିଦନଗର ଓ ବରମୁଣ୍ଡା ଅଞ୍ଚଳରେ ବାକି ପଡ଼ିଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ଦେୟ ଆଦାୟ ହୋଇଛି ।
ବାକି ପଡ଼ିଥିବା ଦେୟ ନ ଦେଲେ ବିଜୁଳି ସଂଯୋଗ କାଟିବା ପାଇଁ ଘୋଷଣା କରିବା ପରେ ସେସୁ ବିଲ୍ ସମୀକ୍ଷା ପାଇଁ ୩ ହଜାର ୯୭୧ଟି ଅଭିଯୋଗ ପାଇଥିଲା । ସେଥିରୁ ୨ ହଜାର ୩୪୬ଟି ଉପଭୋକ୍ତାଙ୍କୁ କିସ୍ତିରେ ଦେବା ପାଇଁ ସୁଯୋଗ ଦିଆଯାଇଥିବା ସେସୁ ସୂଚନା ଦେଇଛି ।
ଲୋକମାନଙ୍କୁ ବକେୟା ଜମା କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା । ଗୁରୁବାର ସକାଳୁ ସମସ୍ତ ଡିଭିଜନ୍ ଓ ସେକ୍ସନରେ ବିଲ୍ ଆଦାୟ କାଉଣ୍ଟର ସକାଳୁ ଖୋଲା ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ବାଣିଜ୍ୟିକ ପ୍ରତିଷ୍ଠାନରୁ ବକେୟା ଆଦାୟ ପାଇଁ ଯୋଜନା ହୋଇଛି । ସେହି ସମୟରେ ଘରୋଇ ଉପଭୋକ୍ତା ସେମାନଙ୍କ ବକେୟା ଜମା କରିବା ପାଇଁ ସୁଯୋଗ ଦିଆଯାଇଛି । ପ୍ରାୟ ୧୪ ହଜାର ଉପଭୋକ୍ତା ବିଜୁଳି ବିଲ୍ ବାବଦକୁ ସେମାନଙ୍କର ବକେୟା ରାଶି ସ୍ୱତଃପ୍ରବୃତ୍ତ ଭାବରେ ଆସି ଜମା କରିଛନ୍ତି । ଅନ୍ୟମାନେ ମଧ୍ୟ ଏଭଳି ଜମା କରିବା ପାଇଁ ସେସୁ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ମୁତାବକ, କଟକ ସିଇଡି-୧ ଓ ସିଇଡି ଅଞ୍ଚଳରୁ ସର୍ବାଧିକ ୨୧୬ ଲେଖାଏଁ ସଂଯୋଗ ବିଚ୍ଛିନ୍ନ ହୋଇଛି । ବିସିଡିଡି-୨ରୁ ୨୧୫ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୬୭ ଲକ୍ଷ ୧୮ ହଜାର ଆଦାୟ ହୋଇଛି । ତାଳଚେରରୁ ୧୬୨ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୨୧ ଲକ୍ଷ ଆଦାୟ ହୋଇଛି । ଭୁବନେଶ୍ୱର ବିଇଡିରୁ ୧୪୬ ସଂଯୋଗ ବିଚ୍ଛିନ୍ନ ହୋଇଛି । ୬୯ ଲକ୍ଷ ୪୨ ହଜାର ଆଦାୟ ହୋଇଛି । ନୟାଗଡ଼ରୁ ଶହେ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୩୬ ଲକ୍ଷ ୮୬ ହଜାର ଆଦାୟ ହୋଇଛି । ପୁରୀରୁ ୫୦ ସଂଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ନିମାପଡ଼ାରୁ ୫୮ ସଂଯୋଗ ବିଚ୍ଛିନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ