ବିଜୁଳି ଯୋଗାଣରେ ଅବ୍ୟବସ୍ଥାର ପ୍ରତିକାର : ବିଦ୍ୟୁତ୍ ବିଲ୍ ଛାଡ଼ ଦାବିରେ ସିପିଆଇ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଆହ୍ୱାନକ୍ରମେ ବାଲେଶ୍ୱର ସହରସ୍ଥିତ କାଳିମନ୍ଦିର ନିକଟସ୍ଥ ଜିଲ୍ଲାର ପ୍ରଥମ ବିଦ୍ୟୁତ୍ ଅଫିସ୍ ପାୱାର ହାଉସ ସମ୍ମୁଖରେ ପାର୍ଟିର କର୍ମୀ ଓ ବିଦ୍ୟୁତ୍‌ଗ୍ରାହକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ଷିୟାନ୍ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ସଦର, ରେମୁଣା ଓ ସଦର ଅଞ୍ଚଳ କମିଟି ପକ୍ଷରୁ ଏହି ବିକ୍ଷୋଭ ସ୍ଥଳରେ ଦେବେନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ଆଲୋକ ଦାସ, ନାରୀନେତ୍ରୀ ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ ଓ ସୁହାଗୀ ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଘରୋଇ ବିଦ୍ୟୁତ୍ କଂପାନୀମାନଙ୍କର ଅତୀତରେ ଗ୍ରାହକମାନଙ୍କୁ ଲୁଟ୍ କରିବା ଓ ବର୍ତ୍ତମାନ ଟାଟା ପାୱାର ଗ୍ରାହକଙ୍କୁ ଶୋଷଣର ପ୍ରତିବାଦ କରିଥିଲେ । ରାଜ୍ୟ ସରକାର ଘରୋଇ ବିଦ୍ୟୁତ୍ କଂପାନୀମାନଙ୍କୁ ଭିତ୍ତିଭୂମିର ବିକାଶ ପାଇଁ ଦେଉଥିବା କୋଟିକୋଟି ଟଙ୍କା ତୋଷରପାତ ହେଉଥିବାର ଅଭିଯୋଗ କରିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହବେଳେ ଦିନକୁ ଦଶପନ୍ଦରଥର ଅଘୋଷିତ ବିଜୁଳିକାଟ ଜନଜୀବନକୁ ଅତିଷ୍ଟ କରିଛି । ଇନ୍‌ଭର୍ଟର ବ୍ୟବହାରକାରୀ ପରିବାରମାନେ ଦୀର୍ଘସମୟ ବିଜୁଳିକାଟ ଫଳରେ ସେମାନଙ୍କ ଇନ୍‌ଭର୍ଟର କାମ କରୁନାହିଁ । ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବିଜୁଳିକାଟ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ । ସନ୍ଧ୍ୟାରେ ବିଜୁଳିକାଟ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନମାନଙ୍କର କ୍ଷତିର କାରଣ ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ । ସେହିପରି ସହରାଞ୍ଚଳରେ ବିଜୁଳିକାଟ ଯୋଗୁଁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଓଡ଼ିଶା ବିଜୁଳି ଉତ୍ପାଦନରେ ଏକ ବଳକା ରାଜ୍ୟ ବୋଲି ସରକାର କହୁଥିବାରୁ ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ମାସିକ ଦୁଇଶହ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ ପାଇଁ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଶକ୍ତି ଯୋଗାଇଦେବାକୁ ପାର୍ଟି ତରଫରୁ ଦାବି କର।।ଇଛି । ତ୍ରୁଟିପୂର୍ଣ୍ଣ ବିଦ୍ୟୁଥ୍ ବିଲ୍‌ଗୁଡ଼ିକ ସଂଶୋଧନ ନକରି ଜୋରଜବରଦସ୍ତି କଂପାନୀର କର୍ମଚାରୀମାନେ ବିଜୁଳିବିଲ୍ ଆଦାୟ କରୁଥିବାରୁ ଏହାକୁ ନିନ୍ଦା କରାଯାଇଛି । ଗ୍ରାହକ ଅନୁପାତରେ କର୍ମଚାରୀ ନିଯୁକ୍ତି ଓ ଅସ୍ଥାୟୀ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି । ବିଚାରଗଞ୍ଜ ଛକରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ପାୱାର ହାଉସ୍ ସମ୍ମୁଖରେ ପହଂଚି ଥିଲା । ଶୋଭାଯାତ୍ରାରେ ଶଶିକାନ୍ତ ବେହେରା, ସନ୍ତୋଷ ରଣା, ବେଣୁଧର ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଯତୀନ୍ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ