ବିଜେଡି଼ ପାଇଁ ସହଜ ହେବନି ବ୍ଳକ୍ ଅଧ୍ୟକ୍ଷ ଆସନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ପଞ୍ଚାୟତ ନିର୍ବାଚନ ରାଜନୀତି ଧୀରେ ଧୀରେ ଉଷ୍ମ ହେବାକୁ ଲାଗିଥିବା ବେଳେ ବିଭିନ୍ନ ଦଳୀୟ ନେତାଙ୍କ ଦଳ ଡ଼ିଆଁ ଜନତାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଉଛି I ବିଶେଷ କରି ଅଧିକାଂଶ ନେତା ଏବଂ କର୍ମୀ ବିଜେପି ଏବଂ କଂଗ୍ରେସ୍ ଛାଡ଼ି ବିଜେଡ଼ି ପଟେ ମୁହାଁଉ ଥିବା ବେଳେ ଆଜି ବେଲଗୁଣ୍ଠାରେ ଏହାର ବିପରୀତ କଥା ଦେଖିବାକୁ ମିଳିଛି I ଆଜି ବିଜେଡ଼ିର ବରିଷ୍ଠ ନେତା ତଥା ବେଲଗୁଣ୍ଠା ବ୍ଳକ୍ ର ଜଣେ ଜଣାଶୁଣା ତୁଙ୍ଗ ନେତା, ବର୍ତ୍ତମାନର ଆମ୍ବପୁଆ ସମିତି ସଭ୍ୟ ରଞ୍ଜନ ଖଣ୍ଡୁଆଳ ଏବଂ ତାଙ୍କ ଧର୍ମ ପତ୍ନୀ ତଥା ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ଉପାଧ୍ୟକ୍ଷା ରମା ଖଣ୍ଡୁଆଳ ଆଜି ବିଜେଡ଼ିର ପ୍ରାଥମିକ ସଭ୍ୟ ପଦବୀରୁ ଇସ୍ତଫା ଦେବା ସହ ଇସ୍ତଫା ପତ୍ରକୁ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲ୍ଳା ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା ଜଣା ପଡିଛି I ଆଗାମୀ ଦିନରେ ଉଭୟେ ବିଜେପିର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି I ଏନେଇ ରାଜନୀତୀ ପାଣିପାଗ ସରଗରମ୍ ହୋଇଛି I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଲକ୍ ରେ ରଞ୍ଜନଙ୍କର ବିଜେଡ଼ି ଶିବିରରେ ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା I ଗତ 2012 ନିର୍ବାଚନରେ ବିଜେଡ଼ି ତାଙ୍କୁ ଅଧ୍ୟକ୍ଷ ଆସନ ଦେବାପାଇଁ ପ୍ରତିଶ୍ରୂତି ଦେଇଥିଲେ ମଧ୍ୟ ନଦେଇ ତାଙ୍କୁ ଉପାଧ୍ୟକ୍ଷା ପଦ ଦେବା ପରେ ରମା ଖଣ୍ଡୁଆଳ ଉପାଧ୍ୟକ୍ଷା ହୋଇଥିଲେ I କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ନଥିଲେ I 2017 ନିର୍ବାଚନରେ 49 ନମ୍ବର ଜୋନ୍ ରୁ ରମା ସ୍ଵାଧୀନ ପ୍ରାର୍ଥୀ ଭାବେ ଜିଲ୍ଳା ପରିଷଦ ସଭ୍ୟ ପାଇଁ ଲଢିଥିଲେ ଏବଂ ତାଙ୍କର ଲଢେଇ 2012 ରୁ 2017 ମଧ୍ୟରେ ଥିବା ବ୍ଳକ୍ ଅଧ୍ୟକ୍ଷା ରଂଜୂତା ଦଳବେହେରାଙ୍କ ସହିତ ହୋଇଥିଲା I ଫଳରେ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷା ଲଢେଇ ଦେଖିବାକୁ ମିଳିଥିଲା I ଏଥିରେ ରଂଜୂତା ଖୁବ୍ କମ୍ ଭୋଟରେ ରମାଙ୍କ ଠାରୁ ବିଜୟୀ ହୋଇଥିଲେ I 2017 ପଞ୍ଚାୟତ ନିର୍ବାଚନରେ ବେଲଗୁଣ୍ଠା ବ୍ଳକ୍ ର 18 ଟି ପଂଚାୟତରୁ ବିଜେଡ଼ି 11 ଟି ସରପଞ୍ଚ ଏବଂ ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକ 10 ଟି ସମିତିସଭ୍ୟ ପଦବୀ ହାତେଇଥିଲେ ମଧ୍ୟ ରଞ୍ଜନର ଗୋଟି ଚାଳନା ଯୋଗୁଁ ବିଜେଡ଼ି ହାତରୁ ଅଧ୍ୟକ୍ଷ ପଦ ଖସି ଯାଇଥିଲା I ଅଧ୍ୟକ୍ଷ ଆସନଟି ଅନୁସୂଚିତଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବିଜେଡିର ଚାରୋଟି ପଂଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ହରାଇବାରେ ରଞ୍ଜନଙ୍କ ରଣନୀତି କାମ କରିଥିଲା I ପରବର୍ତ୍ତୀ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ରଞ୍ଜନଙ୍କୁ ଦଳ ସଭାପତି ନିଲମ୍ବନ କରିଥିଲେ ମଧ୍ୟ 2019 ସାଧାରଣ ନିର୍ବାଚନ ପୂର୍ବରୁ ତାଂକର ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ I ପୁଣି ବର୍ତ୍ତମାନ ବିଜେଡ଼ିରେ ରଞ୍ଜନଙ୍କୁ ଗୁରୁତ୍ଵ ଦିଆଯାଉନଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ କେଉଁ ଦଳକୁ ଯିବେ ସ୍ପଷ୍ଟ କରିନଥିଲେ ମଧ୍ୟ ଆସନ୍ତା ଦିନେ ଦୁଇଦିନ ଭିତରେ ସେ ବିଜେପିରେ ଯୋଗ ଦେଉଥିବା ତାଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି I ରଞ୍ଜନଙ୍କ ଖୋଲାଖୋଲି ଭାବେ ବିଜେଡ଼ିରୁ ଇସ୍ତଫା ପ୍ରଦାନ ଏଥର ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଆସନ ବିଜେଡ଼ି ପାଇଁ ଏତେ ସହଜ ହେବନି ବୋଲି ରାଜନୀତି ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି I