ବିଜେଡି ଅନୁସୂଚିତ ଜାତି ଶାଖା ପକ୍ଷରୁ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଜୁ ଜନତା ଦଳ ଅନୁସୂଚିତ ଜାତି ଶାଖା ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ମହାନ ଜନନାୟକ ଡ. ବିଆର ଆମ୍ବେଦକରଙ୍କ ୬୫ତମ ମହାପ୍ରୟାଣ ଦିବସ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପାଳିତ ହୋଇଯାଇଛି । ଜିଲା ବିଜେଡି ଏସି ସେଲ ସଭାପତି ପ୍ରଫେସର ଶତ୍ରୁଘ୍ନ ମଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତରତ୍ନ ବିଆର ଆମ୍ବେଦକରଙ୍କ ଜୀବନାଦର୍ଶ ଓ ରାଷ୍ଟ୍ର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କ ଦ୍ୱାରା ରଚିତ ସମ୍ବିଧାନରେ ନାଗରିକର ଅଧିକାର ଓ କର୍ତ୍ତବ୍ୟ ଆଜି ଭାରତକୁ ବିଶ୍ୱସ୍ତରୀୟ ପରିଚିତି ଦେଇଛି ବୋଲି ଶ୍ରୀମତୀ ଜେନା ମତ ପ୍ରକାଶ କରିଥିଲେ । ବିଜେଡି ନେତା ଗୌରୀ କୁମାର ରାଉତ, ନାରୀନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ପ୍ରଦୀପ୍ତ ମହାପାତ୍ର, ପ୍ରଫେସର ପ୍ରସନ୍ନ କୁମାର ବରାଳ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ପଛୁଆବର୍ଗଙ୍କ ଅଧିକାର ସୁରକ୍ଷା ଦିଗରେ ଆମ୍ବେଦକରଙ୍କ ମାର୍ଗଦର୍ଶିକାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ମଲିକ,ମାନଗୋବିନ୍ଦ ସେଠୀ, ଦିଲୀପ କୁମାର ମହାନ୍ତି, ଶେଖ ଆୟୁବ, ରବି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ହାଇଦର ଖାନ ଏଥିରେ ପ୍ରାକ ସୂଚନା ଦେଇଥିବା ବେଳେ ଆଇନଜୀବୀ ଲକ୍ଷ୍ମଣ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


