ବିଜେଡି ଏକ ଆନ୍ଦୋଳନରେ ପରିଣତ ହୋଇଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡିଶାବାସୀଙ୍କ ସେବା ଓ ସଶକ୍ତିକରଣ ପାଇଁ ବିଜେଡି ଦଳ ଏକ ଆନ୍ଦୋଳନରେ ପରିଣତ ହୋଇଛି । ମୋ ବିନା ଦଳ ଚାଲିପାରିବ । ମୋ ଉପରେ ବା କୌଣସି ନେତାଙ୍କ ଉପରେ ଏ ଦଳ ନିର୍ଭରଶୀଳ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା ସର୍ବପ୍ରଥମେ ନିଜ ବକ୍ତବ୍ୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ ଗାନ୍ଧିଜୀଙ୍କ ରକ୍ଷାକବଚ ବିଷୟରେ ଆପଣମାନେ ଜାଣନ୍ତି । ଗାନ୍ଧିଜୀଙ୍କ ଏହି ରକ୍ଷାକବଚ ସାରା ମାନବଜାତି ପାଇଁ ସବୁ ସମୟରେ ଆଦର୍ଶ ହୋଇ ରହିଛି ଏବଂ ରହିଥିବ । ଗାନ୍ଧିଜୀଙ୍କ ଏହି ରକ୍ଷାକବଚ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ମହାତ୍ମାଙ୍କ ୧୫ଠତମ ଜନ୍ମ ବାର୍ଷିକୀ ଅବସରରେ ନମ୍ରତାର ସହ ଆଉ ଏକ ରକ୍ଷାକବଚ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ଓଡ଼ିଶାର ସାଢ଼େ ଚାରିକୋଟି ଭାଇ ଭଉଣୀ ହେଉଛନ୍ତି, ଆମର ପରିବାର । ଭୋଟ୍ ଜରିଆରେ ସେମାନେ ଆମକୁ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ଆମ ପରିବାରର ସେବା ପାଇଁ ଏହା ଏକ ମହାନ୍ ସୁଯୋଗ । ଏହି ଭାବନା ନେଇ ଆମେ ସମସ୍ତେ କାର୍ଯ୍ୟ କରୁଛୁ । ସାଢ଼େ ଚାରିକୋଟି ଭାଇ ଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିଆସିଛୁ । ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନୁ । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ହେଉଛି ଆମର ଲକ୍ଷ୍ୟ । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜେଡି ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବା ସହ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉକ୍ତିକୁ ମନେ ପକାଇ କହିଲେ, ବିଜୁ ବାବୁ କହୁଥିଲେ, ମୋ ପ୍ରତି ଆନୁଗତ୍ୟ ଦେଖାଅ ନାହିଁ କିନ୍ତୁ ଓଡ଼ିଶାର ଭବିଷ୍ୟତ ପାଇଁ ଆନୁଗତ୍ୟ ଦେଖାଅ । ବିଜେଡି ଏବେ ଏକ ଜନଆନେ୍ଦାଳନରେ ପରିଣତ ହୋଇଛି, ଯାହା ବିଜୁ ବାବୁଙ୍କ ଏହି ଉକ୍ତିର ସତ୍ୟତାକୁ ପ୍ରମାଣିତ କରୁଛି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ସେବା, ସଶକ୍ତିକରଣ, ଆଶା ଓ ବିକାଶକୁ ନେଇ ଚାଲିଥିବା ଏହା ଏକ ଆନ୍ଦୋଳନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସାଂସଦ ତଥା ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାରା ଭାରତରେ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା । ଏହାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପ କରିଛନ୍ତି । ଏଥିପାଇଁ ସମସ୍ତ କର୍ମୀ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ୱାନ କରିଥିଲେ। ବିଧାୟକ ତଥା ଦଳର ଉପ-ସଭାପତି ଦେବୀପ୍ରସାଦ ମିଶ୍ର କହିଥିଲେ, ସମସ୍ତ ବାଧାବିଘ୍ନ ଅତିକ୍ରମ କରି ନବୀନ ବାବୁ ଓ ବିଜେଡି ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପ୍ରିୟ ହୋଇପାରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ଓଡ଼ିଶା ଲୋକଙ୍କ ଜନମାନସରେ ସବୁବେଳେ ଜଣେ ନେତା ନବୀନ ପଟ୍ଟନାୟକ ରହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ