ବିଜେଡି ଏସସି ସେଲ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବିଜେଡି ଏସସି ସେଲ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପ୍ରୟାଣ ଦିବସ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଏସସି ସେଲ ଜିଲା ସଭାପତି ପ୍ରଫେସର ଶତ୍ରୁଘ୍ନ ମଲିକ ସଭାପତିତ୍ୱ କରିଥିଲେ । ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନବଭାରତ ନିର୍ମାଣରେ ମହାନ ଜନନାୟକ ଭୀମରାଓଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶ ଶାସନର ସ୍ଥାୟୀ ଚିଠା ପ୍ରସ୍ତୁତ କରିବା ଓ ସମାଜର ଅବହେଳିତଙ୍କ ତ୍ରାଣକର୍ତ୍ତା ଭାବେ ଡ. ଆମ୍ବେଦକରଙ୍କ ଅବଦାନ ସର୍ବଦା ପ୍ରଶଂସନୀୟ ବୋଲି କହିଥିଲେ । ବ୍ରିଟର ପୂର୍ବତନ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ବିଜେଡି ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଆଇନଜୀବୀ ଭୂବନାନନ୍ଦ ଦାସ, ଶେଖ ଅତିଉଲ୍ଲା, କୃଷକ ନେତା ଅଜୟ କୁମାର ସାମଲ, ଟାଉନ ମହିଳା ବିଜେଡି ସଭାପତି ତଥା କାଉନସିଲର ମୀନା ମହାନ୍ତି, କାଉନସିଲର ସବିତା ଦାସ, ଆଇନଜୀବୀ ରବୀନ୍ଦ୍ର ସେଠୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ଆମ୍ବେଦକରଙ୍କ ବହୁବିଧ ପ୍ରତିଭା ଓ ଦେଶ ଶାସନର ଚିଠା କାର୍ଯ୍ୟକାରୀରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । କୁରୁଡ଼ା ପଞ୍ଚାୟତର ବିଜେଡି ସଭାପତି ବାବାଜୀ ମଲ୍ଲିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।