ବିଜେଡି ଦଳୀୟ ଟିକଟ ନ ପାଇବା ସତ୍ୱେ ନାମାଙ୍କନ ଭରିଲେ ସଂଜୁକ୍ତା ବେହେରା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନ ପ୍ରକ୍ରିୟାରେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିଲା । ବିଶେଷ କରି ୩ପ୍ରମୁଖ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ମନୟନ କରିବାରେ ପୃଥକ ପୃଥକ ଦଳର ହାଇକମାଣ୍ଡମାନେ ବିଳମ୍ବରେ ଦଳୀୟ ପ୍ରାର୍ଥୀ ଚୟନ କରିଥିଲେ । ତେବେ ବିଜେଡି ଦଳ ପୌରପରିଷଦର ସମସ୍ତ ୧୬ଗୋଟି ୱାର୍ଡ ପାଇଁ ଦଳୀୟ ଟିକଟରେ କାଉନସିଲର ପ୍ରାର୍ଥୀ/ପ୍ରାର୍ଥିନୀ ଦେଇଥିଲେ ମଧ୍ୟ ବରିଷ୍ଠ ବିଜେଡି ନେତ୍ରୀ ସଂଜୁକ୍ତା ବେହେରାଙ୍କୁ ଦଳୀୟ ଟିକଟ ପ୍ରଦାନ କରିନଥିଲା । ତେଣୁ ସେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ ଚୂପଚାପ ରହିଥିଲେ ମଧ୍ୟ ଆଜି ବିନା କୌଣସି ଦଳୀୟ ଚିଠା ନଥାଇ ବିଜେଡି ତରଫରୁ ୧୪ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥିନୀ ଭାବେ ନାମାଙ୍କନ ଭରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ବେହେରା ଏକ ଦଶନ୍ଧୀରୁ ଉର୍ଦ୍ଧ ସମୟ ଧରି ରାଜନୀତୀ ମଇଦାନରେ ଅବତୀର୍ଣ୍ଣ ରହିଛନ୍ତି । ସେ ପୂର୍ବରୁ କଂଗ୍ରେସ ଦଳରେ ସକ୍ରିୟ ସଦସ୍ୟା ଥିବା ବେଳେ ଜିଲ୍ଲା ସଭାନେତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ହେଲେ ଗତ ପ୍ରାୟ ୫ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ ଯୋଜନା, ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗଦେଇଥିଲେ । ଏହାପରେ ଜିଲ୍ଲା ବିଜେଡିର ବିଭିନ୍ନ ସାଂଗଠନିକ ନେତୃତ୍ୱ ଦାୟିତ୍ୱ ଭାର ଗ୍ରହଣ କରି ବିଜେଡି ଦଳକୁ ମଜବୁତ କରିବା, ନାରୀ ନେତ୍ରୀ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ଆଦିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଚାଲିବା ସହ ଦଳୀୟ ଉଚ୍ଚ ନେତୃବର୍ଗଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳିତ ଭାବେ କାର୍ଯ୍ୟ ନିର୍ବାହ କରିଚାଲିଛନ୍ତି । କିନ୍ତୁ ଦଳୀୟ ଟିକଟ ନ ପାଇ ନାମାଙ୍କନ ପତ୍ର ଭରିଥିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏନେଇ ଶ୍ରୀମତୀ ବେହେରା କୌଣସି ମତ ରଖି ନ ଥିଲେ ମଧ୍ୟ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଅଛି । ନାମାଙ୍କନ ଯାଞ୍ଚ ଓ ପ୍ରତ୍ୟାହାର ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।