ବିଜେଡି ଦ୍ୱାରା ଗଜପତିରେ ଅପରାଧ ବଢିଚାଲିଛି, କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେପି ଆନ୍ଦୋଳନ କରିବ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବିଜେଡି ଦଳ ଦ୍ୱାରା ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟକ୍ରମ ବଢିଚାଲିଛି । ଅପହରଣ,ଚୋରୀ ଓ ବିଭିନ୍ନ ଦୁର୍ନୀତିରେ ବିଜେଡିର ନେତାମାନେ ଲିପ୍ତ ଅଛନ୍ତି । ଏହାଦ୍ୱାରା ଗଜପତି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ଲୋକେ ଆତଙ୍କିତ ହେଉଛନ୍ତି । ଏମାନେ ଶାସକ ଦଳର ହୋଇଥିବାରୁ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଜେପି ଦଳ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ କହିଛନ୍ତି । କାଶୀନଗର କାଜୁ ବ୍ୟବସାୟୀଙ୍କ ପୁଅ ହାର୍ଦ୍ଦିକ ଅପହରଣ ଘଟଣାର ମାଷ୍ଟର୍ମାଇଣ୍ଡ୍ କାଶୀନଗର ବଡମାଜଲା ସାହିର କାରିମ ତିରୁପତି ରାଓଙ୍କ ପୁଅ କାରିମ ଚୈତନ୍ୟ ଗିରଫ ହୋଇଛି । ଗତ ନଭେମ୍ବର ମାସରେ ଚୈତନ୍ୟଙ୍କୁ କାଶୀନଗର ଏନଏସି ଛାତ୍ର ବିଜେଡି ସଭାପତି ଭାବେ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମନୋନିତ କରିଥିଲେ । ଏ ଘଟଣା ନେଇ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ କହିଛନ୍ତି, ବିଜେଡିର ଅସଲ ଚେହେରା ଏହି ଘଟଣା ପରେ ସାମ୍ନାକୁ ଆସିଛି । ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ରାଓ କହିଛନ୍ତି, ଶାସକ ଦଳର ସମର୍ଥକଙ୍କୁ ପୋଲିସ ସୁରକ୍ଷା ଦେଉଛି । ଫଳରେ ଗଜପତିରେ ଅପରାଧ ବୃଦ୍ଧି ପାଇ ଚାଲିଛି । ରାଜନୈତିକ ଅଭିସନ୍ଧି ରଖି ପୋଲିସର ଦୁର୍ବଳ ତଦନ୍ତ କାରଣରୁ ତାଙ୍କ ନିଜ ଘରେ ପଶି ତାଙ୍କ ମାଉସୀଙ୍କୁ ଯେଉଁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ସେମାନଙ୍କୁ ୨ ସପ୍ତାହ ମଧ୍ୟରେ ଜାମିନ ମିଳିଗଲା ବୋଲି ସେ ଅଭିଯୋଗ କରିଛନ୍ତି । ବେଆଇନ୍ ବାଲି ଚାଲାଣ ଘଟଣାରେ ଜିଲ୍ଲା ବିଜେଡି ଯୁବ ସଭାପତିଙ୍କ ବିରୋଧରେ ଆନ୍ଧ୍ରରେ ମାମଲା ରୁଜୁ ହୋଇଛି । କିନ୍ତୁ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନ ନେବା ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲୋରାନ୍ସ ବାର୍ତ୍ତାକୁ ଭୁଲ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ଏଥିରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ.ସୀମାଦ୍ରି ଅଭିଯୋଗ କରିଥିଲେ,ଗୁରାଣ୍ଡି ପୋଲିସର ଜାଣତରେ ଗୋଷାଣୀ ବ୍ଲକର ଘୋରଣୀ ଏବଂ ମଧୂସୁଦନପୁର ପଞ୍ଚାୟତରେ ଦୈନିକ ବଡ ଜୁଆ ଆଡ୍ଡା ଚାଲୁଛି । ଏଠାରେ ଲକ୍ଷ ଲକ୍ଷ ଟଙ୍କାର ଖେଳ ହେଉଥିବା ବେଳେ ପଡୋଶୀ ରାଜ୍ୟରୁ ମଧ୍ୟ ଜୁଆଡି ଆସୁଛନ୍ତି । ପୋଲିସ ଓ ପ୍ରଶାସନ ପାଉଣାରେ ଆୟତ୍ତ ହୋଇ କୌଣସି ପଦେକ୍ଷପ ଗ୍ରହଣ କରୁନାହାଁନ୍ତି । ପ୍ରଶାସନ ଓ ପୋଲିସ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ସବୁ ବିରୋଧରେ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

 
             
						 
						 
						 
						 
						 
						
