ବିଜେଡି ସଙ୍ଗଠନ ରେ ରହୁନି ସମନ୍ୱୟ
ଶେରଗଡ, (ଅନୀଲ କୁମାର ପଣ୍ଡା):ନିର୍ବାଚନ ଶେଷ ହେବା ପରଠାରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡି ସଙ୍ଗଠନ ସତେ ଯେମିତି ନିସ୍ତେଜ ଓ ନିଷ୍କ୍ରିୟ ହୋଈପଡିଛି। ବିଜୟ ବ୍ୟବଧାନ ସାମୂହିକ ଭାବେ ଦଳୀୟ ସଙ୍ଗଠନ କୁ ପ୍ରଭାବିତ କରିବା ସହ ଦଳର ପରିଚାଳନା ବ୍ୟବସ୍ଥା ଏବଂ ସମନ୍ୱୟ କୁ ବିଗାଡି ଦେଈଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ସଙ୍ଗଠନ ର ନେତୃତ୍ୱ ନେଉଥିବା ଛାମୁଆ ନେତାମାନେ ପୁଣି ଥରେ ମୈଦାନ କୁ ଫେରିବାକୁ ସାହାସ ଜୁଟାଈ ପାରୁନଥିବା ବେଳେ ବିଜୟ ବ୍ୟବଧାନ ର କାରଣ ଖୋଜା ଓ ସମୀକ୍ଷା କୁ ଏତେଟା ଗୁରୁତ୍ୱ ଦିଆଯାଉନାହିଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ ଥିଲା ବିଜେଡି ର ଅଭେଦ୍ୟ ଗଡ। କିନ୍ତୁ ସାରା ରାଜ୍ୟ ରେ ବିଜେପି ର ବିଜୟ ଲହର ଭିତରେ ଗଞ୍ଜାମ ବିଜେଡି ବଡ କ୍ଷତି ସହିଛି। ଗଞ୍ଜାମ ରେ ୧୩ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ହିଞ୍ଜିଳି ରେ ବିଜେଡି,ସାନଖେମୁଣ୍ଡି ରେ କଂଗ୍ରେସ ବ୍ୟତୀତ ଅନ୍ୟ ସମସ୍ତ ୧୧ ଆସନରେ ବିଜେପି ବିଜୟ ଲାଭ କରିଛି। ଭଞ୍ଜନଗର, ପୋଲସରା,ଗୋପାଳପୁର, ବ୍ରହ୍ମପୁର,ସୋରଡା ରେ ଭେଟେରାନ ନେତା ଙ୍କୁ ପରାଜୟ ର ସ୍ବାଦ ଚଖାଈଛି ଏ ଥରର ସାଧାରଣ ନିର୍ବାଚନ। କିନ୍ତୁ ପରାଜୟ ପରେ ପୁଣି ଫର୍ମ କୁ ଫେରିବା ଭଳି ଲକ୍ଷଣ ବା ମନୋବଳ ନେତା ବା କର୍ମୀ ଙ୍କ ଭିତରେ ଦେଖିବାକୁ ମିଳୁନାହିଁ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ବହୁ ବଡ ଓ ଅଭିଜ୍ଞ ନେତା ରହିଥିଲେ ମଧ୍ୟ ଦଳୀୟ ସ୍ବାର୍ଥ ରେ ସମସ୍ତେ କାହିଁକି ଏକଜୁଟ ହେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଲାଣି ଏବଂ ଏହାର ନମୂନା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ସଙ୍ଗଠନ ର ନେତୃତ୍ୱ କାହା ହାତରେ ନ୍ୟସ୍ତ ରହିବ ତାହାକୁ ନେଇ ଦ୍ବନ୍ଦ ଦେଖାଦେଲାଣି। ସାଧାରଣ ନିର୍ବାଚନରେ ବିଜୟ ବ୍ୟବଧାନ ଆଶାତୀତ କମିବା ପରେ ସଙ୍ଗଠନ ର ସମନ୍ୱୟ ଓ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସଙ୍ଗଠନ ପରିଚାଳନା ଲାଗି ଦଳୀୟ ନେତୃମଣ୍ଡଳୀ ଆଶାବାଦୀ ଥିଲା ଭଳି ଈସାରା ମିଳୁଥିଲେ ହେଁ ଏହାକୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କର୍ମୀ ମାନେ କେମିତି ଗ୍ରହଣ କରିବେ, ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ ହୋଇ ରହିଛି। ଏହା ଛଡା ନିର୍ବାଚନ ସମୟରେ ଦଳର ଛାମୁଆ ନେତାମାନଙ୍କ ମଧ୍ୟରେ ଦେଖାଦେଇଥିବା ସମନ୍ବୟ ର ଅଭାବ ଏବେବି ହିଞ୍ଜିଳି ବିଧାନସଭା କ୍ଷେତ୍ରରେ କାଏମ ରହିଛି। ଦଳର ଯୁବ, ଛାତ୍ର ଗୋଷ୍ଠୀ ଗୋଟିଏ ପକ୍ଷରେ ରହିଥିବା ବେଳେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ଓ ମନୋମାଳିନ୍ୟ ର ସମାଧାନ ହୋଈନାହିଁ। ସଙ୍ଗଠନ ଭିତରେ ପରସ୍ପର ମଧ୍ୟରେ ଦୋଷ ଲଦାଲଦି ଏବଂ ଆରୋପ ପ୍ରତ୍ୟାରୋପ ଚାଲିଛି। ଏମିତିକି ବିଜୟ ବ୍ୟବଧାନ ର କାରଣ ଖୋଜି ପ୍ରତିକାର କରିବାକୁ କି ସଙ୍ଗଠନ କୁ ଆଗକୁ ବଢାଈବାକୁ କେହି ଆଗଭର ହେଉନାହାନ୍ତି। ନିର୍ବାଚନ ପରିଚାଳନା ରେ ପ୍ରମୁଖ ଭୂମିକା ନେଈଥିବା ବର୍ତ୍ତମାନ ର ବିରୋଧୀ ଦଳ ନେତା ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଙ୍କ ଦେଖା ମିଳୁନି। ଦଳର ଅନ୍ୟ ଛାମୁଆଁ ନେତାମାନଙ୍କ ନିରବତା ଓ ଅନାଗ୍ରହ କର୍ମୀ ମାନଙ୍କ ଦ୍ବନ୍ଦ ବଢାଇ ଦେଉଛି। ଯାହା ଫଳରେ ତୃଣମୂଳ ସ୍ତରର ନେତା,କର୍ମୀ କଣ କରିବେ, କଣ ନକରିବେ ଜାଣି ପାରୁନାହାନ୍ତି। ବ୍ଲକ ରେ ବିଜେପି ର ଦବଦବା ବଢୁଥିବା ବେଳେ ବିଜେଡି ର ତୃଣମୂଳ ସ୍ତରର ସଙ୍ଗଠକ ମାନେ ଅସୁବିଧା ରେ ପଡିଛନ୍ତି ଏବଂ ଅସୁବିଧା ରେ ପଡିବା ପରେ ତୃଣମୂଳ ସ୍ତରର ନେତା ଓ କର୍ମୀ ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳୁଛି, ଯାହା ଫଳରେ ବିଜେଡି ର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ଏଭଳି ପରିସ୍ଥିତି ରେ ଶେରଗଡ ବ୍ଲକର ମଙ୍ଗ ଧରିବ କିଏ, ବା ଲୋକଙ୍କ ସୁବିଧା ଅସୁବିଧା ରେ ଛିଡା ହୋଇ ସେମାନଙ୍କ ଲାଗି ସ୍ବର ଉଠାଈବ କିଏ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ପ୍ରଶ୍ନ ଉଠାଈଛନ୍ତି।