ବିଜେପିକୁ ଶକ୍ତ ଧକ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ବିଜେଡି ଦଳର ସଂଗଠନ ଦିନକୁ ଦିନ ଭାଙ୍ଗିବାରେ ଲାଗିଛି । ମଙ୍ଗଳବାର ଦିନ ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ଟାଣୁଆ ନେତା ଜି.ଭେଙ୍କେଟ ରାବଣା ତାଙ୍କର ଦୃଢ ସମର୍ଥକ ଓ ମଣ୍ଡଳସ୍ତରୀୟ ଯୁବନେତାଙ୍କ ସହ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ । ବୁଧବାର ପୁଣି ଗଜପତି ଜିଲ୍ଲାର ବର୍ତ୍ତମାନର ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ଆଜି ମୋବନା ବିଧାନସଭା ନିର୍ବାଚନ ମଣ୍ଡଳୀର ମୋହନା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ଏବଂ ତାଙ୍କର ଶଦାଧିକ ସମର୍ଥକ ତଥା ବିଜେପି କର୍ମୀ ଦଳ ତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବରରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ରାଜ୍ୟସ୍ତରୀୟ ବିଜେଡି ନେତା ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ, ମାରୁତ ପାଳ, ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜମିଦାର ପଟ୍ଟନାୟକ, ଦଣ୍ଡାସୀ ସାହୁ ପ୍ରମୁଖଙ୍କ ସମେତ ମୋହନା ବ୍ଲକର ବିଜେଡି ନେତୃତ୍ୱବୃନ୍ଦ ଉପସ୍ଥିତଥିଲେ । ଶ୍ରୀମତି ବେହେରାଙ୍କୁ ବିଜେଡି ନେତୃବୃନ୍ଦ ଦଳୀୟ ଉତ୍ତରୀୟ ଓ ଫୁଲମାଳ ଦେଇ ବିଜେଡିକୁ ସ୍ୱାଗତ କରିଥିଲେ । ଜିଲ୍ଲାରେ ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନରେ ଆହୁରି ସୁଦୃଢ ହେବାରେ ଲାଗିଛି ଏବଂ ଏହାର କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତା, ସୁଶାସନ, ଶୃଙ୍ଖଳିତ ଶାସନ, ଲୋକାଭିମୁଖୀ ଯୋଜନା ଆଦି ଯୋଗୁଁ ତୃଣମୂଳ ସ୍ତରରେ ବିଜେଡି ମଜବୁତ ହେବାରେ ଲାଗିଛି ବୋଲି ମଞ୍ଚାସୀନ ବିଜେଡି ନେତାମାନେ ବକ୍ତବ୍ୟ ରଖିଥିଲେ । ବିଜେଡିରେ ଯୋଗ ଦେବା ପରେ ଶ୍ରୀମତୀ ବେହେରା କହିଛନ୍ତି ଯେ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ, ଶାସନ ବ୍ୟବସ୍ଥା, ବିଭିନ୍ନ ସଫଳ ଜନହିତକର ଯୋଜନା ଗୁଡିକ ଦେଖି ଭାଜପା ଦଳ ପରିତ୍ୟାଗ କରିଛି । ଏହାସହ ସେ ବିଜେପି ଉପରେ ଖପ୍ପା ହୋଇ କହିଥିଲେ ଯେ, ଭାଜପା ଦଳର ଗୋଷ୍ଠି କନ୍ଦୋଳ, ଆତ୍ମଗର୍ବ, ଫାଇଦାବାଦୀ ବା ସ୍ୱାର୍ଥବାଦୀ ଗୋଷ୍ଠୀଙ୍କ ଦବଦବା ବେଶ ବଢିଚାଲିଛି । ଏହାକୁ ଦଳୀୟ ସର୍ବୋଚ୍ଚ ନେତାଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଳି ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଥିଲେ ମଧ୍ୟ ବିଜେପି ଦଳ ଅଣଦେଖା କରିଥିବାର ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ । ବର୍ତ୍ତମାନ ଜିଲ୍ଲାରେ ବିଜେଡିକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟକରିବି ବୋଲି ମଧ୍ୟ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ