ବିଜେପିରେ ଗୌତମ ଗମ୍ଭୀର!
ନୂଆଦିଲ୍ଲୀ(ଏଜେନ୍ସି): କ୍ରିକେଟରୁ ଅବସର ନେଇଥିବା ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର ଖୁବ୍ଶୀଘ୍ର ରାଜନୀତିରେ ପାଦ ରଖିପାରନ୍ତି । ସେ ବିଜେପିରେ ସାମିଲ ହୋଇ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି । ନିକଟରେ ପଦ୍ମ ପୁରସ୍କାର ପାଇଥିବା ଗମ୍ଭୀର ଏହା ପୂର୍ବରୁ ସକ୍ରିୟ ରାଜନୀତିକୁ ଆସିବାକୁ ସୂଚନା ଦେଇସାରିଛନ୍ତି । ମିଳିଥିବା ସୂଚନାନୁସାରେ ଗମ୍ଭୀର ଏବେ ବିଭିନ୍ନ ସାମାଜିକ କାମ କରିବା ସହ ଲୋକଙ୍କ ନିକଟତର ହେଉଛନ୍ତି । ସେହିପରି ଦେଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସେ ଖୋଲାଖୋଲି ମତ ରଖୁଛନ୍ତି । ଏକ ସାକ୍ଷାତକାରରେ ମଧ୍ୟ ସେ ସୁଯୋଗ ମିଳିଲେ ରାଜନୀତିକୁ ଆସି ଲୋକଙ୍କ ସେବା କରିବେ ବୋଲି କହିଥିଲେ । ସୂଚନାଥାଉ କି, ପୂର୍ବରୁ ନବଜୋତ୍ ସିଂହ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ ଓ କୀର୍ତ୍ତି ଆଜାଦଙ୍କ ଭଳି କ୍ରିକେଟରମାନେ ରାଜନୀତିକୁ ଆସିସାରିଛନ୍ତି । ଗମ୍ଭୀର ରାଜନୀତିକୁ ଆସିବା ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ମତ ପ୍ରକାଶ ପାଇଛି ।