ବିଜେପିରେ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ସାଢେ ୪ କୋଟି ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ପରିବାର ସଦସ୍ୟ ଭାବୁଥିବା ବକ୍ତବ୍ୟ ପ୍ରସଙ୍ଗରେ ବିଜେଡି କର୍ମୀଙ୍କ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଥିବା ପିପିଲିର ଦଳିତ ଝିଅ ବେବିନା ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ କି ନାହିଁ ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପିକୁ ସ୍ୱାଗତ କରିବା ପାଇଁ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ୧୯ ବର୍ଷ ବହୁତ ହୋଇଗଲା ଓ ରାଜ୍ୟର ବିଜେଡି ସରକାର ବଦଳିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।
ବୈଜୟନ୍ତ ପଣ୍ଡାଙ୍କୁ ଦଳକୁ ସ୍ୱାଗତ କରି ପ୍ରଧାନ କହିଛନ୍ତି ତାଙ୍କୁ ବିଜେଡିରେ ଅସମ୍ମାନ କରାଗଲା, ଅଣ୍ଡା ମରାଯିବା ସହ ଅପମାନିତ କରାଯିବାରୁ ସେ ଦଳ ଛାଡି ବିଜେପିରେ ମିଶିଛନ୍ତି । ମାତ୍ର ଦଳରେ ବୈଜୟନ୍ତଙ୍କ ମିଶ୍ରଣ କଣ ପ୍ରଭାବ ପକାଇବ ବୋଲି ବିଜେପି ପକ୍ଷରୁ କିଛି କୁହାଯିବା ପୂର୍ବରୁ ବିଜେଡିର ଚେଲା ଚାପାଟି ଓ ଗୁମାସ୍ତାମାନେ ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହୁଛନ୍ତି । ବିଜେଡି ନିଜ ଘର ସମ୍ଭାଳିବା ଅସମ୍ଭବ ହେଲାଣି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶା ବିଜେପିରେ ପଣ୍ଡାଙ୍କ ଉପସ୍ଥିତି ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।


