ବିଜେପିରେ ଯୋଗ ଦେବେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ୱର ଦତ୍ତ !
ନୂଆଦିଲ୍ଲୀ: ୨୦୧୨ରେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ୱର ଦତ୍ତ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ସେ ଆସନ୍ତା ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୨ରେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ଯୋଗେଶ୍ୱର ଦତ୍ତ ଗତ ସାଧାରଣ ନିର୍ବାଚନରେ ବି ବିଜେପି ଲୋକସଭା ଟିକେଟ୍ ଦେବାପାଇଁ ବିଚାର କରିଥିଲା, ମାତ୍ର କୌଣସି କାରଣରୁ ତାହା ସମ୍ଭବପର ହୋଇ ନଥିଲା ।
ରାଜ୍ୟ ବିଜେପି ଶାଖା ଏବେ ତାଙ୍କ ନାମରେ ପ୍ରସ୍ତାବ ଦେଇଛି । ନିକଟରେ ହରିୟାଣା ନିବାସୀ ଯୋଗେଶ୍ୱର ହରିୟାଣା ବିଜେପି ସଭାପତି ସୁଭାଷ ବରାଲଙ୍କୁ ଭେଟିଛନ୍ତି । ସେ ରାଜନୀତିରେ ସକ୍ରିୟ ହେବାଲାଗି ନିକଟରେ ହରିୟାଣା ରାଜ୍ୟ ସରକାରଙ୍କ ପୁଲିସ ବିଭାଗରୁ ଇସ୍ତଫା ଦେଇ ସାରିଛନ୍ତି ।
ସୂଚନାଯୋଗ୍ୟ ଯୋଗେଶ୍ୱର ଦତ୍ତ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କୁ ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯୋଗେଶ୍ୱର ଦତ୍ତ ସୋନିପତ ଲୋକସଭା କ୍ଷେତ୍ରର କୌଣସି ଏକ ବିଧାନସଭାରୁ ଟିକେଟ୍ ପାଇପାରନ୍ତି ବୋଲି କୁହାଯାଉଛି ।


