ବିଜେପିରେ ସନ୍ନି ଗୁରଦାସପୁରରୁ ଲଢିବେ
ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବଲିଉଡ୍ ଅଭିନେତା ସନ୍ନି ଦେଓଲ ବିଜେପିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋଏଲଙ୍କ ଭଳି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସନ୍ନି ଦେଓଲ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ବିଜେପି ତାଙ୍କୁ ପଞ୍ଜାବର ଗୁରଦାସପୁର ଆସନରୁ ପ୍ରାର୍ଥୀ କରିବା ସମ୍ପର୍କରେ ଘୋଷଣା କରିଥିବା ସୂଚନା ମିଳିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି କି, ଦୀର୍ଘ ଦିନ ଧରି ପାରିବାରିକ ସମ୍ବନ୍ଧ ଏବେ ରାଜନୈତିକ ସମ୍ପର୍କରେ ପରିବର୍ତ୍ତିତ ହୋଇଛି । ୨ଠଠ୮ରେ ସନ୍ନିଙ୍କ ବାପା ତଥା ବରିଷ୍ଠ ବଲିଉଡ୍ ଅଭନେତା ଧର୍ମେନ୍ଦ୍ର ବିଜେପି ସାଂସଦ ଥିଲେ । ଏବେ ତାଙ୍କ ପୁଅ ରାଜନୀତିରେ ରହି ଲୋକଙ୍କ ପାଇଁ କାମ କରିବେ । ସନ୍ନି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାପା ଧର୍ମେନ୍ଦ୍ର ଅଟଳ ବାଜପେୟୀଙ୍କ ସହ ଥିଲେ । ଏବେ ସେ ନରେନ୍ଦ୍ର ମୋଦିଙ୍କ ସହ ରହିଛନ୍ତି । ଧର୍ମେନ୍ଦ୍ରଙ୍କ ପରାମର୍ଶରେ ସେ ରାଜନୀତିକୁ ଆସିଥିବା ସନ୍ନି କହିଛନ୍ତି । ପ୍ରକାଶ ଯେ, ସନ୍ନି ଦେଓଲଙ୍କୁ କିଛି ଦିନ ପୂର୍ବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ସାକ୍ଷାତ କରିଥିଲେ । ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ମଙ୍ଗଳବାର ସନ୍ନିଙ୍କୁ ବିଧିବଦ୍ଧ ଭାବେ ଗୁରୁଦାସପୁର ଆସନରୁ ହିଁ ପ୍ରାର୍ଥୀ କରିବ ବୋଲି ଘୋଷଣା କରାଯାଇଛି ।