ବିଜେପିର ଓଡ଼ିଶା ସ୍ୱପ୍ନ
ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ପାଇବ ବୋଲି ଏବେଠୁ ସ୍ୱପ୍ନ ଦେଖିବାରେ ଲାଗିଛି । ଏବେ ବିଜେପିର ଓଡ଼ିଶାରୁ ଲୋକସଭାରେ ଯେତିକି ସଦସ୍ୟ ଅଛନ୍ତି ତାହା ୧୬ ନହୋଇ ୧କୁ ଚାଲିଆସିବ ବୋଲି ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଛି । ଜଣେ ବରିଷ୍ଠ ନାଗରିକ ଭାବେ ଏବଂ ରାଜନୀତି ସମ୍ପର୍କରେ ମୋର ଯେଉଁ କିଛି ଧାରଣା ରହିଛି ସେଥିରୁ ଦାମ ବାବୁଙ୍କ ବକ୍ତବ୍ୟ ମୋତେ ଠିକ୍ ଲାଗୁଛି । କାରଣ କିଛିଦିନ ତଳେ ମୋବାଇଲରେ ଟାଇମସ୍ ଅଫ ଇଣ୍ଡିଆ ନ୍ୟୁଜରେ ଗୋଟିଏ ଧାଡ଼ି ସମ୍ବାଦ ଦେଖିଥିଲି । ତାହା ଥିଲା “ବିଗତ ଦିନର କଂଗ୍ରେସ ହାଇକମାଣ୍ଡ ଓ ଏବେର ବିଜେପିର ହାଇକମାଣ୍ଡ” । ଏ ସମ୍ପର୍କରେ ଆଉ ବିଶେଷ ସମ୍ବାଦ ମୋବାଇଲରେ ପାଇଲି ନାହିଁ । ମୁଁ ଭାବୁଛି ଏହି ଲେଖାଟିର ନିଷ୍କର୍ଷ ହେଉଛି କଂଗ୍ରେସ ହାଇକମାଣ୍ଡ କଂଗ୍ରେସକୁ ଯେଉଁ ସ୍ତରରେ ଆଣି ପହଞ୍ଚାଇ ଦେଇଛି ବିଜେପି ହାଇକମାଣ୍ଡ ବିଜେପିକୁ ଯେ ସେହି ସ୍ତରକୁ ନେଇନଯିବ କିଏ କହିବ? ଏହି ହାଇକମାଣ୍ଡ କଥା ଚିନ୍ତା କଲାବେଳେ ଓଡ଼ିଶା କଥା ବିଚାରକୁ ନିଆଯାଉ । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ୩ ଜଣକୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ହାଇକମାଣ୍ଡ କହିବେ କି ଏହି ୩ ଜଣଙ୍କ ମଧ୍ୟରୁ କେତେ ଜଣ ରାଜ୍ୟବାସୀଙ୍କ ସିଧାସଳଖ ଭୋଟରେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟବାସୀ ବିଜେପିର କେତେ ଜଣଙ୍କୁ ସିଧା ସଳଖ ଭୋଟ ଦେଇ ପାର୍ଲାମେଣ୍ଟକୁ ପଠାଇଛନ୍ତି । ଓଡ଼ିଶାବାସୀ ଯେଉଁମାନଙ୍କୁ ଭୋଟ ଦେଇ ପାର୍ଲାମେଣ୍ଟକୁ ପଠାଇଛନ୍ତି ସେମାନେ କ’ଣ ମନ୍ତ୍ରୀ ହେବା ପାଇଁ ଅଯୋଗ୍ୟ? ରାଜ୍ୟବାସୀଙ୍କ ଭୋଟର କ’ଣ କିଛି ମୂଲ୍ୟ ନାହିଁ? ଯଦି ରେଳବାୟୀ ମନ୍ତ୍ରୀ ଓଡ଼ିଶାର ତେବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ କିଏ? ସେ ତ ୬ ବର୍ଷ କାଳ ବିହାରର ସେବା କଲେ ଏବେ ମଧ୍ୟପ୍ରଦେଶର ସେବା କରୁଛନ୍ତି ତେବେ ସେ ଓଡ଼ିଶାର ହେଲେ କେମିିତି? ଆମେ ଯାହା ଖବର କାଗଜରେ ପଢିଛୁ, କଂଗ୍ରେସ ହାଇକମାଣ୍ଡ ତୋଷାମଦ ଦ୍ୱାରା ରାଜ୍ୟଗୁଡ଼ିକୁ ପରିଚାଳନା କରୁଥିଲେ “ଲୋକଙ୍କ ଭୋଟର ମୂଲ୍ୟ କିଛି ସେମାନେ ଦେଖିପାରୁନଥିଲେ । ଯାହାର ଫଳ ହେଉଛି ଆଜିର କଂଗ୍ରେସର ଏ ଅବସ୍ଥା । ଏବେ ଓଡ଼ିଶା କଥା ଆଲୋଚନା କଲେ ସେଥିରୁ ବିଜେପି ହାଇକମାଣ୍ଡ ଯେପରି କଂଗ୍ରେସ ହାଇକମାଣ୍ଡ ଗୁଳାରେ ପଡ଼ିଯାଇଥିବା ପରି ଲାଗୁଛି । ଉତ୍ତର ପ୍ରଦେଶ ନିର୍ବାଚନରେ କାହାରି କୌଶଳ ନୁହେଁ ଯୋଗୀ ଆଦିତ୍ୟ ନାଥଙ୍କ ବ୍ୟକ୍ତିତ୍ୱ ହିଁ ବିଜେପିକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯଦି କୌଶଳ କାମ କରୁଛି ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ କଣ ହେଲା । ଆମ ପ୍ରଧାନମନ୍ତ୍ରୀ କହିଁକି ଲୋକହସା ହେଲେ । ବିଜେପି ଓଡ଼ିଶାରେ ତାଙ୍କ ଦଳର ବିକାଶ କରିବାକୁ ଚାହିଁଲେ ରାଜ୍ୟବାସୀଙ୍କ ଭୋଟ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ରାଜ୍ୟରେ ତାଙ୍କ ଦଳ ପ୍ରକୃତ ଲୋକପ୍ରିୟ ନେତା କିଏ ଲୋକେ କାହାକୁ ମୁଖ୍ୟମନ୍ତ୍ରୀ ହେବା ଚାହାଁନ୍ତି, ତାହା ଟିକିନିଖି ତର୍ଜମା କରି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଆବଶ୍ୟକ ଯେପରି ବିହାର ନିର୍ବାଚନ ପୂର୍ବରୁ ନିତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଘୋଷଣା କରିଥିଲା । ତାହେଲେ ଫଳାଫଳ ଭଲ ହୋଇପାରେ । ଯଦି କଂଗ୍ରେସ ହାଇକମାଣ୍ଡଙ୍କ ପରି ତୋଷାମଦକୁ ଗ୍ରହଣ କରି ପ୍ରାର୍ଥୀ ଚୟନ କରାଯାଏ, ତାହା ବିଜେପି ପାଇଁ ଦିବା ସ୍ୱପ୍ନ ହୋଇ ରହିବ । ବିଜେଡ଼ିକୁ ସମୁଦ୍ରକୁ ଫୋପାଡ଼ି ଦେବୁ, ଡ଼ବଲ ଇଞ୍ଜିନ, ପୋଡ଼ା ଟ୍ରାନ୍ସଫରମର, ଏସବୁ କିଛି ମାନେ ନାହିଁ ।
ପ୍ରଦ୍ୟୋତ କୁମାର ବିଶୋଇ