ବିଜେପିର ପୂର୍ବତନ ସୈନିକ ସେବା ପକ୍ଷରୁ ଅନୁଷ୍ଠିତ ହେଲା ବିକଶିତ ଭାରତ ବିକଶିତ ବାଲେଶ୍ୱର ସମ୍ପର୍କୀତ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ବିଜେପିର ପୂର୍ବତନ ସୈନିକ ସେବା ପକ୍ଷରୁ ବିକଶିତ ଭାରତ ବିକଶିତ ବାଲେଶ୍ୱର ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ଆତିଥ୍ୟ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସେନାନୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ପ୍ରାର୍ଥୀ ମନାସ କୁମାର ଦତ୍ତ ଯୋଗଦେଇ ମୋଦି ଗ୍ୟାରେଂଟିରେ ସେନା କର୍ମଚାରୀ ତଥା ତାଙ୍କର ପରିବାରବର୍ଗଙ୍କୁ ଉଚିତ ସମ୍ମାନ ପ୍ରଦାନ ହେଉଥିବା କହିଛନ୍ତି । ୨୦୧୪ରେ ଦେଶରେ ମୋଦି ସରକାର ଗଠନ ହେବା ପରେ ଭାରତ ସରକାର ସଦା ସର୍ବଦା ଭାରତୀୟ ସେନାର ମନୋବଳ ବୃଦ୍ଧି ସହ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବୁଲେଟ୍ ପ୍ରୁଫ ଜ୍ୟାକେଟ ଯୋଗାଇବା ଭଳି ପଦକ୍ଷେପ ନେଇଛନ୍ତି । ସମ୍ପ୍ରତି ସେନାକୁ କୌଣସି ଜରୁରୀ ନିଷ୍ପତି ପାଇଁ ଦିଲ୍ଲୀର ଅନୁମତି ରୁ ମୁକ୍ତ କରାଯାଇଥିବା ଶ୍ରୀ ଦତ୍ତ କହିଥିଲେ । ଭାରତୀୟ ସେନାନୀ ସଂଘର ସମ୍ପାଦକ ଆନନ୍ଦ ରାମ ବରାଳ ଓ ଅଲ ଓଡ଼ିଶା ଭେଟରାନ ସୋଲଜର୍ସ ଆସୋସିଏସନର ବାଲେଶ୍ୱର ଶାଖାର ସଭାପତି ଚିନ୍ତାମଣି ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାର ସମୟରେ ଦେଶର ସୀମା ସୁରକ୍ଷିତ ରହିଛି ବୋଲି ମତ ଦେଇଥଲେ । ମୋଦିଙ୍କ ତୃତୀୟ ପାଳିରେ ଦେଶର ପ୍ରତିରକ୍ଷା ବିଭାଗ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ସେମାନେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ସଂଯୋଜିକା ସୁଷମା ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


