ବିଜେପିର ଶକ୍ତିକେନ୍ଦ୍ର ତ୍ରିଦେବ ସମ୍ମିଳନୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନମଣ୍ଡଳୀର ଛେନାପଦିଛକ ଠାରେ ବିଜେପିର ଶକ୍ତିକେନ୍ଦ୍ର (ପ୍ରମୁଖ, ସହ ପ୍ରମୁଖ ଓ ପ୍ରହାରୀ) ତ୍ରିଦେବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଛେନାପଦିଛକର ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ସଞ୍ଚାଳନ କରିଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଧାନସଭା ପ୍ରଭାରୀ ହରିହର ମହାନ୍ତ, ବୁଦ୍ଧିଜିବୀ ପ୍ରକୋଷ୍ଠ ଜିଲ୍ଲା ସଂଯୋଜକ ଶମ୍ବୁନାଥ ରାଉତ, ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, କେନ୍ଦୁଝର ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ବରିଷ୍ଠ ବିଜେପି ନେତା ବିଜୟ କୁମାର ରାଉତ, ଜିଲ୍ଲା ଉପସଭାପତି ଅସିମା ମିଶ୍ର, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମତୀ ଜେନା, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ ସାହୁ, ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସଂଗଠନକୁ ତୃଣମୁଳ ସ୍ତରରୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ । ଆଗାମି ନିର୍ବାଚନରେ ଦଳ କିପରି ଅଧିକ ସଫଳତା ଲାଭ କରିବ ସେନେଇ ଆଜିଠାରୁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜଜ୍ଜଳନ କରିବା ସହିତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦିନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୧ତମ ମନକି ବାତ କାର୍ଯ୍ୟକ୍ରମକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାଗଣ ଶୁଣିଥିଲେ । ଏହି ସମ୍ମିଳନୀରେ ବିଜେପିର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ପ୍ରତିନିଧି, ବରିଷ୍ଠ ନେତୃମଣ୍ଡଳୀଙ୍କ ସମେତ ୱାର୍ଡସ୍ତରରେ ନିଯୁକ୍ତ ସମସ୍ତ ପ୍ରମୁଖ ଓ ସହପ୍ରମୁଖ ମାନେ ଯୋଗଦେଇଥିଲେ ।


