ବିଜେପି ଉଠାଇଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଏକ ହଜାର କୋଟି ଟଙ୍କାର ଦୁର୍ନୀତି, ନିର୍ଦେଶ ସତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ

ଭୁୁବନେଶ୍ୱର, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଦିଆ ନ ଯାଇ ଦଳୀୟ ଆଧାରରେ ଘର ଦିଆ ଯାଉଛି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦିଆ ଯାଉଛି । ଏ ସମ୍ପର୍କରେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଜାଂଚ ପରେ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଗଲେ ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ । ଏହା କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଅଧିକ କହିବାକୁ ସୁଯୋଗ ନ ଦେବାରୁ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ପରେ ସେମାନେ ଏହି ମାମଲାରେ କକ୍ଷତ୍ୟାଗ କରି ଗାନ୍ଧୀଜୀଙ୍କ ପ୍ରତିମୂର୍ତି ଆଗରେ ଧାରଣା ଦେବାର ଦେଖା ଯାଇଥିଲା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । ସେ କହିଥିଲେ ଯେ ବିରୋଧୀ ଦଳର ନେତା ତଥା ଉପନେତାଙ୍କ ତରଫରୁ ସେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କୁ କିଛି ସମୟ ଅଧ୍ଖଳ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।ଶ୍ରୀ ମାଝୀ କହିଥିଲେ ଯେ ଓଡିଶାରେ କେନ୍ଦ୍ରୀୟ ଯୋଜନା ଗୁଡିକ ଠିକ ଭାବେ କାମ କରୁ ନାହିଁ । କେନ୍ଦ୍ର ଯୋଜନା ଗୁଡିକୁ ନିଜର ବୋଲି ପ୍ରଚାରିତ କରି ରାଜ୍ୟ ସରକାର ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।ଶ୍ରୀ ମାଝୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଜନାରେ କାମ କରୁଛନ୍ତି । ହେଲେ ଓଡିଶାରେ ଗରୀବ ଲୋକ ମାନେ ଯାହାଙ୍କ ପାଉଁ ଏହି ଯୋଜନା ଉଦ୍ଦିଷ୍ଟ ତାଙ୍କ ବଦଳରେ ଶାସକ ଦଳର ଧନୀ ଲୋକଙ୍କୁ ଘର ଦିଆ ଯାଉଛି । ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରା ଯିବା ପରେ କେନ୍ଦ୍ର ସରକାରଙ୍କ ଟିମ ଜାଂଚ ପାଇଁ ଆସିଥିଲା ଓ ଅନେକ ସ୍ଥାନରେ ଦୁର୍ନୀତି ହୋଇଥିବା ପ୍ରମାଣ ପାଇଥିଲା । ଏହା ପରେ ଏ ବାବଦରେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ମଧ୍ୟ ଲେଖିଥିଲା । ହେଲେ ରାଜ୍ୟ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅନ୍ୟ ପଟେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ ଅନ୍ୟ ମାନଙ୍କର ମଧ୍ୟ ଶୂନ୍ୟକାଳରେ କହିବାର ଅଛି । ଏଥିରେ ମୋହନ ମାଝୀ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳକୁ କହିବାର ସୁଯୋଗ ଦିଆ ଯାଉ ନାହିଁ । ଏହା ଅତ୍ୟନ୍ତ ଦୁଖଦ । ଏହା କହିବା ପରେ ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ ।ଏହା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ଅମର ପ୍ରସାଦ ସତପଥୀ ମଧ୍ୟ ହଟ୍ଟଗୋଳ ମଧ୍ୟରେ କହିଥିଲେ ।ଗୃହର ସୁପରିଚାଳନା କରିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ସ୍ଥଗିତ କରିବା ସହ ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ