ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିଛନ୍ତି । ଆଜି ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳ ତାଙ୍କୁ ଅବହେଳା କରୁଥିବାରୁ ସେ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି । ଗତ କିଛି ଦିନ ହେଲା ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ଶ୍ରୀ ପାଣିଗ୍ରାହୀ ଖୋଲା ଅସନ୍ତୋଷ ଜାହିର କରି ଆସୁଥିଲେ । ତେବେ ସେ କେଉଁ ଦଳକୁ ଯିବେ ଓ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କ ‘ଣ ରହିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ୁଥିଲା ବେଳେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ତେବେ ୨୦୦୪ ମସିହାରୁ ଲଗାତର ତିନିଟି ନିର୍ବାଚନରେ ବିଜେପୁର ଆସନ କଂଗ୍ରେସ ହାତକୁ ଗଲା । କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନି ଥର କଂଗ୍ରେସ ଟିକେଟ୍ରେ ସେଠାରୁ ଜିତିଥିଲେ । ତେବେ ଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳରେ ଜଣେ ଟାଣୁଆ ବିଜେଡି ନେତା ଭାବେ ଗଣାଯାଉଥିଲେ । ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ଶ୍ରୀ ପାଣିଗ୍ରାହୀ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । କିନ୍ତୁ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କଲା । ଫଳରେ ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହେଲେ । ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଗତ ସାଧାରଣ ନିର୍ବାଚନରେ ବିଜେପି ଶ୍ରୀ ପାଣିଗ୍ରାହୀଙ୍କୁ ଟିକେଟ୍ ନ ଦେଇ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା । ଉପନିର୍ବାଚନରେ ବି ଶ୍ରୀ ଗଡ଼ତିଆଙ୍କୁ ଦଳ ପୁଣି ପ୍ରାର୍ଥୀ କଲା । ଏପରିକି ବିଜେପି ପକ୍ଷରୁ ବିଜେପୁର ପାଇଁ ପ୍ରସ୍ତୁତ ହେଉଥିବା ରଣନୀତିରେ ଶ୍ରୀ ପାଣିଗ୍ରାହୀଙ୍କୁ କୌଣସି ଗୁରୁତ୍ୱ ଦିଆଗଲା ନାହିଁ କି ପ୍ରଚାର କାର୍ଯ୍ୟରେ ତାଙ୍କୁ ସାମିଲ କରାଗଲା ନାହିଁ । ଏହା ପର ଠାରୁ ଶ୍ରୀ ପାଣିଗ୍ରାହୀ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋଷ ବି ଜାହିର କରିଥିଲେ । ଦଳ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଅଣଦେଖା କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ତାହା ସତ୍ତେ୍ୱ ବିଜେପି ନେତୃତ୍ୱ ତାଙ୍କ ସହ ଆଲୋଚନା ନ କରିବାରୁ ଆଜି ଶ୍ରୀ ପାଣିଗ୍ରାହୀ ଇସ୍ତଫା ଦେଇଥିବା କୁହାଯାଉଛି । ଭବିଷ୍ୟତ ଯୋଜନା ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି । ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ଦଳ ଛାଡ଼ି ନ ଥିଲି । କିନ୍ତୁ ଦଳ ଛାଡ଼ିବା ପାଇଁ ବିଜେପି ସେମିତି ପରିସ୍ଥିତି ସୃଷ୍ଟି କଲା । ବିଜେପିର ସ୍ଥିତି ମଜଭୁତ କରିବା ପାଇଁ ଆମେ ବହୁତ ଉଦ୍ୟମ କରିଥିଲୁ । କିନ୍ତୁ ଗତ ସାଧାରଣ ନିର୍ବାଚନ ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ଆମକୁ ସାମିଲ କରାଗଲା ନାହିଁ । ତଥାପି ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳକୁ ସହଯୋଗ କଲୁ । ଚଳିତ ଉପନିର୍ବାଚନରେ ବି ଆମକୁ ଅଣଦେଖା କଲେ । ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ବିଜେପୁର ଯାଇଥିଲେ । କିନ୍ତୁ ମୋତେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା । କର୍ମୀ ମହଲରେ ସନ୍ଦେହ ହେଲା ଯେ ଆମେ ଅନ୍ୟ ଦଳରୁ ଆସିଥିବାରୁ ବିଜେପି ପ୍ରକୃତରେ ଆମକୁ ବିଶ୍ୱାସକୁ ନେଉ ନାହିଁ । ଏହି ଦଳ ବୋଧେ  “ୟୁଜ୍ ଆଣ୍ଡ୍ ଥ୍ରୋ ‘ ରେ ବିଶ୍ୱାସ କରୁଛନ୍ତି । ତେଣୁ ଆମେ ଭାବିଲୁ ବାରମ୍ବାର ଏମିତି ଯଦି ଅବହେଳା କରିବେ ଓ ପ୍ରତାରିତ କରିବେ, ଆମେ ଦୂରେଇ ଯିବା ଭଲ । ସେଥି ପାଇଁ ଇସ୍ତଫା ଦେଲି ।  ବିଜେଡିକୁ ଯିବେ କି ବୋଲି ପ୍ରଶ୍ନରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ବିଜେଡିକୁ ଯିବାର ପ୍ରଶ୍ନ ଉଠୁନି । ମୁଁ ସେମାନଙ୍କ ସହ କିଛି ସମ୍ପର୍କ ରଖିନି । କର୍ମୀମାନଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । ଶ୍ରୀ ପାଣିଗ୍ରାହୀଙ୍କ ଇସ୍ତଫା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ୨୦୧୮ ଉପନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ତାଙ୍କ ପାଇଁ ଦଳର ବହୁ ପୁରୁଖା ନେତା ବିଜେପି ଛାଡ଼ି ଚାଲିଯାଇଥିଲେ । କିନ୍ତୁ ଏବେ ସେ ଦଳ ଛାଡ଼ିବା ପୂର୍ବରୁ ବିଜେଡି ନେତାଙ୍କ ସହ ଆଲୋଚନା କରିଛନ୍ତି । ବିଜେଡି ନେତାଙ୍କ ଚକ୍ରାନ୍ତରେ ସେ ଫସି ଯାଇଛନ୍ତି । ତାଙ୍କ ଇସ୍ତଫା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ