ବିଜେପି ନେତା ପୀତବାସଙ୍କୁ ଘର ନିକଟରେ ଗୁଳି କରି ହତ୍ୟା
ବ୍ରହ୍ମପୁର,(ୱାଇଏନଏସ) : ବ୍ରହ୍ମପୁରର ସୁପରିଚିତ ବରିଷ୍ଠ ଆଇନଜୀବୀ ତଥା ଜଣେ ଦୁର୍ନୀତି ବିରୋଧରେ ସ୍ଵର ଉଠାଉଥିବା ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଏବଂ ବର୍ତ୍ତମାନର ବିଜେପି ନେତା ଭାବେ ପରିଚିତ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିଦିଆଯାଇଛି । କୁମାରପୂର୍ଣ୍ଣିମାର ହସଖୁସି ମହୋଲ ଭିତରେ ଆଜି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ବ୍ରହ୍ମପୁର ପୋଲିସ ପ୍ରଶାସନର ଅପାରଗତାକୁ ପଦାରେ ପକାଇଦେଇଛି । ଅଜଣା ଦୁଇ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଛି ।
ସୂଚନାନୁଯାୟୀ ବୈକୁଣ୍ଠନଗରରେ ସୋମବାର ରାତି ପ୍ରାୟ ୧୦ଟାରେ ପୀତବାସ ନିଜ ସ୍କୁଟିରେ ଘରକୁ ଫେରୁଥିବାବେଳେ ସେଠାରେ ଦୁଇଜଣ ଅଜଣା ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି କରିଥିଲେ । ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଘଟଣାଟି ପୀତବାସଙ୍କ ଘର ସନ୍ନିକଟରେ ଘଟିଛି । ଗୁରୁତର ଅବସ୍ଥାରେ ପୀତବାସଙ୍କୁ ସେଠାରୁ ଉଦ୍ଧାର କରଯାଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡ଼ିବା ପରେ ବଡ଼ ଡାକ୍ତରଖାନାରେ ପରିବହନ ମନ୍ତ୍ରୀ ବିଭୁତି ଜେନା, ବିଧାୟକ ସମେତ ବହୁ ଆଇଜୀବୀ ପହଞ୍ଚିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ତେବେ କେଉଁ କାରଣରୁ ପୀତବାସଙ୍କ ଉପରେ ଗୁଳି ମାଡ଼ ହେଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣା ପୂର୍ବରୁ ସେ କୌଣସି କାର୍ଯ୍ୟରେ ବଡ଼ବଜାର ଥାନାକୁ ଯାଇ ନିଜକୁ ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଇଛି । ତେବେ ଘଟଣାକୁ ନେଇ ଆଇନଜୀବୀଙ୍କ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ତେବେ ପୀତବାସଙ୍କ ପାଖ ଲୋକଙ୍କ କହିବା ମୁତାବକ କିଛି ଦିନ ହେବ ପୀତବାସ ରାଜନୀତିକୁ ନେଇ ନିଜ ଭିତରେ ଭୟ ଓ ଆଶଙ୍କା ରହିଥିଲା । ଏହି ଗୁଳିମାଡ ଦୁଇଟି ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଗୋଟିଏ ହେଲା କଂଗ୍ରେସ ଦଳରୁ ପଟ୍ଟପରିବର୍ତ୍ତନ କରି ବିଜେପିରେ ସାମିଲ ହେବା ଓ ଅନ୍ୟଟି ହେଲା ଦୁନୀତି ବିରୋଧୀ ସ୍ଵର ଉତ୍ତୋଳନ କରିବା । ସ୍ୱର୍ଗତ ପଣ୍ଡା ବିଜେଡି ସମୟରେ ଘଟିଥିବା ବହୁ ଦୁର୍ନୀତିକୁ ପଦାରେ ପକାଇ ଚର୍ଚ୍ଚାରେ ରହିଥିଲେ । ଏଯାବତ କଣପାଇଁ ଗୁଳିମାଡ ହେଲା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ପରେ ସତ୍ୟା ସମ୍ମାନାକୁ ଆସିବ । ଅନ୍ୟପଟେ ବ୍ରହ୍ମପୁର ସହର ଭିତରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବିଜେପି ଶାସିତ ରାଜ୍ୟ ସରକାରଙ୍କ ଖୋଦ୍ ଖଣିମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଟାଣୁଆ ନେତାଙ୍କୁ ଏଭଳି ଘର ନିକଟରେ ଗୁଳି କରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ହତବାକ୍ କରିଦେଇଛି । ତେବେ ପ୍ରଶ୍ନ ଉଠୁଛି ଯଦି ବିଜେପି ଶାସିତ ରାଜ୍ୟରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ପୋଲିସ ପ୍ରଶାସନର ବ୍ୟବସ୍ଥା ସୁରକ୍ଷା ଦେଇପାରୁନାହିଁ, ସେଠି ଜଣେ ସାଧାରଣ ଜନତାଙ୍କ ସୁରକ୍ଷା ଭଗବାନ ଭରସାରେ ରହିଲା ପରି ମନେ ହେଉଛି । ଏହା ସହ ବ୍ରହ୍ମପୁର ପୋଲିସର ଅପାରଗତା ମୁଖାକୁ ଖୋଲି ଦେଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ବ୍ରହ୍ମପୁରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ସାହି ଗଳିକନ୍ଦିରରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରିବା କଥା କିନ୍ତୁ ତାହା ହୋଇପାରିନାହିଁ । ଏଭଳି ପାର୍ବଣର ସମ୍ବେଦନଶୀଳ ସ୍ଥିତିରେ ଖୋଦ୍ ଏସ୍ପି ଛୁଟିରେ ରହିଛନ୍ତି । ଏହା ସହ ଯେଉଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଲା ବୈଦ୍ୟନାଥପୁର ଥାନାଧ୍ୟାକାରୀ ସୁଚିତ୍ର ପରିଡ଼ା ମଧ୍ଯ ଛୁଟିରେ ରହିଛନ୍ତି। ପ୍ରଶ୍ନ ଉଠୁଛି ପାର୍ବଣ ଭଳି ସମ୍ବେଦନଶୀଳ ସମୟରେ ଯେଉଁଠି ପୋଲିସର ନିମ୍ନ ଅଧିକାରୀମାନଙ୍କୁ ନିଜ ବିଭାଗ ପକ୍ଷରୁ ଛୁଟି ବାରଣ ଥିବା ବେଳେ ସେଠାରେ ଏଭଳି ବଡ ଅଧିକାରୀମାନେ ଛୁଟି ନେଇ ପୋଲିସ ପ୍ରଶାସନକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? ସହରରେ ନା ବୁଲୁଛି ପିସିଆର୍ ନା ଚାଲିଛି ଚେକିଂ । ଏହାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ରାଜ୍ୟର ଶାସନ ବ୍ୟବସ୍ଥାରେ ବରିଷ୍ଠ ଆଇନଜୀବୀ ଅସୁରକ୍ଷିତ ଏକ ବିପର୍ଯ୍ୟୟ ବ୍ୟବସ୍ଥାକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୩ମାସ ତଳେ ବ୍ରହ୍ମପୁର ପୋଲିସକୁ ଆଇନଜୀବୀଙ୍କ ଅସୁରକ୍ଷିତ ଅବସ୍ଥାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ବ୍ୟବସ୍ଥାର ଅପାରଗତା କାରଣରୁ ଆଜି ଭଳି ଏକ ଚଳଚଞ୍ଚଳ ଦିନରେ ସହର ମଝିରେ ଆଇନଜୀବୀଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ମାନେ ନିର୍ଭୟ ହେବାର ଦୁଃସାହସ କରିଲେ। ରାଜ୍ୟ ସରକାର ତୁରନ୍ତ ଆଇନଜୀବୀ ସୁରକ୍ଷା ବିଲ୍ ଅନୁମୋଦନ କରିବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।