ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ଖୋର୍ଦ୍ଧା ଆଦର୍ଶ ଥାନା ଆଗରେ ବିଜେପି କର୍ମୀଙ୍କ ଧାରଣା
ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍): ରବିବାର ରାତି ସାଢେ ୧୧ଟାବେଳେ ଖୋର୍ଦ୍ଧା ନବୀନାବାଗସ୍ଥିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ବାସଭବନ ଆଗରେ ଜଣେ ଦୁର୍ବୃତ୍ତ ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରୀଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନାକୁ ଗୁଳିକରି ହତ୍ୟା କରିଛି । ଏନେଇ ଖୋର୍ଦ୍ଧା ଓ ତାଙ୍କ ଗ୍ରାମ ବଡ଼ପୋଖରୀଆରେ ଚାପା ଉତ୍ତେଜନା ଲାଗି ରହିଛି । ସୂଚନାଯୋଗ୍ୟ କି ରବିବାର ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟଙ୍କ ଖୋର୍ଦ୍ଧା ନବୀନାବାଗ ବାସଭବନରେ ନିର୍ବାଚନ ନେଇ ବୈଠକ ବସିଥିଲା । ବୈଠକରେ ଟାଙ୍ଗୀ ବ୍ଲକ ଦାୟିତ୍ୱରେ ଥିବା ମଙ୍ଗୁଳି ଜେନା ଉପସ୍ଥିତ ଥିଲେ । ରାତି ସାଢେ ୧୧ଟାବେଳେ ସେ ନିଜ ବୋଲେର ଗାଡ଼ିରେ ବଡ଼ପୋଖରୀଆ ଆସିବାକୁ ଉଦ୍ୟମ କରୁଥିବାବେଳେ ଜଣେ ହେଲମେଟ ପିନ୍ଧା ଯୁବକ ଆସି ହଠାତ ଦୁଇ ରାଉଣ୍ଡ ଗୁଳି ମାରିଥିଲା । ଖବର ପାଇ ଖୋର୍ଦ୍ଧା ଟାଉନ ଆଦର୍ଶ ଥାନା ପୁଲିସ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସପିଟାଲକୁ ନେଇ ଯାଇଥିଲା । ସେଠାରେ ଡାକ୍ତର ମଙ୍ଗୁଳି ଜେନାଙ୍କୁ ମୃତ ଘୋଷଣା କରିଥିଲେ । ପରେ ହତ୍ୟାକାରୀଙ୍କ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ବାବଦକୁ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅର୍ଥ ରାଶି ପ୍ରଦାନ କରିବା ଦାବିରେ ରାତିରୁ ଟାଉନ ଥାନା ଆଗରେ ଧାରଣାରେ ବସିଥିଲେ ଓ ଆଜି ଦିନ ୨ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବନ୍ଦ ରହିଥିଲା । ଅନ୍ୟପକ୍ଷରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ୧୬ନଂ ଜାତୀୟ ରାଜପଥର ବଡ଼ପୋଖରୀଆଠାରେ ସକାଳ ୬ରୁ ଉତ୍ତ୍ୟକ୍ତ ଲୋକ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ରାସ୍ତା ଅପରୋଧ କରିଥିଲେ । ଘଟଣାସ୍ଥଳକୁ ବିଳମ୍ବରେ ଏସ୍ପି ଅମୂଲ୍ୟ କୁମାର ଦାସ, ଅତିରିକ୍ତ ଏସ୍ପି ଯୁଗଳ କିଶୋର ଦାସ, ବାଲୁଗାଁ ଏସଡିପିଓ ସୁନୀଲ କୁମାର ମହାନ୍ତି, ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ନିରାକାରପୁର ଆଇଆଇସି, ଟାଙ୍ଗୀ ଥାନା ଆଇଆଇସି ପ୍ରମୁଖ ପହଞ୍ଚି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଅନୁରୁପଭାବେ ଏସପିଙ୍କ ପ୍ରତିଶ୍ରୁତି ପାଇବା ପରେ ଥାନା ଆଗରୁ ଧାରଣା ହଟିଥିଲା । ଆଜି ଘଟଣାସ୍ଥଳକୁ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟ, ବରିଷ୍ଠ ନେତା ସୁଦୀପ୍ତ ରାୟ, ସୁରଥ ବିଶ୍ୱାଳ ଓ ଜିଲ୍ଲା ସଭାପତି ସୁବାସ ଜେନା, କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖଙ୍କ ସମେତ ବହୁ ନେତା,କର୍ମୀ ଧାରଣାରେ ସାମିଲ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତ ବିଗିଡ଼ିବା ପାଇଁ ପୁଲିସ ପ୍ରଶାସନକୁ ଦାୟୀ କରିଥିଲେ । ସେମାନେ ମଙ୍ଗୁଳି ଜେନାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ଭୁବନେଶ୍ୱର ଏମଏସ ହସପିଟାଲରେ ଶବ ବ୍ୟବଛେଦ ହେଲାପରେ ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ଗ୍ରାମକୁ ଅଣାଯାଇଥିଲା । ମଙ୍ଗୁଳି ଜେନାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଟକ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶନୀ କହିଛନ୍ତି । ସାଇଣ୍ଟିଫିକ ଟିମ୍ ଓ ସାଇବର କ୍ରାଇମ ଟିମ୍ର ତଦନ୍ତ ଆରମ୍ଭ ହୋଇଛି । ତୁରନ୍ତ ଏହି ଗୁଳିକାଣ୍ଡର ପର୍ଦ୍ଦାଫାସ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଖୋର୍ଦ୍ଧା ଟାଉନଥାନା ଆଇଆଇସିଙ୍କ ସମେତ ସମୁଦାୟ ୪ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ ହୋଇଛି । ତେଣୁ ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ ବୋଲି କହିବା ସହ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ ।