ବିଜେପି ପକ୍ଷରୁ ଲେଖାଶ୍ରୀଙ୍କ ମାରାଥନ୍ ପ୍ରଚାର
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କୁ ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୧ନଂ ଜିଲ୍ଲା ପରିଷଦ ଜୋନରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମୀରା ନାୟକଙ୍କ ପାଇଁ ମାରାଥାନ୍ ପ୍ରଚାର କରିଛନ୍ତି । ପ୍ରଥମେ ସାରଙ୍ଗଡ଼ ଅଞ୍ଚଳରେ କର୍ମୀ ସମ୍ମିଳନୀ କରିବାସହ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇ ଜିଲ୍ଲା ପରିଷଦ ପଦ ଦଖଲ କରିବାକୁ ଗୁରୁମନ୍ତ୍ର ଦେଇଥିଲେ । ଏହାପରେ କ.ନୁଆଗାଁ ଠାରେ ପହଞ୍ଚି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମୀରା ନାୟକଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଦୀର୍ଘ ୨୧ ବର୍ଷ ଶାସନ କାଳରେ ବିଜେଡ଼ି ରାଜ୍ୟବାସୀଙ୍କୁ ଭୋଟ୍ ହାତେଇବା ପାଇଁ ଭୁଆଁ ବୁଲେଇବା ସହ ଲୋକଙ୍କ ଭାବନାସହ ଖେଳ ଖେଳୁଛି । ଏବେ ଲୋକେ ବୁଝିସାରିଲେଣି । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ୍ ଜବାବ୍ ଦେବେ ଏବଂ ଗାଁ ଗାଁରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି ଲେଖାଶ୍ରୀ । ଏହି ନିର୍ବାଚନୀ ପ୍ରଚାରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ବହୁ ବରିଷ୍ଠ ବିଜେପି ନେତା, ଯୁବନେତା ରାମାନନ୍ଦ ଘଡ଼େଇ ଓ ବହୁ କର୍ମୀ ଏଥିରେ ସାମିଲ ହୋଇ ମୀରାଙ୍କ ପାଇଁ ପ୍ରଚାରେ ସାମିଲ ହୋଇ ଭୋଟରଙ୍କୁ ଭୋଟ୍ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।


