ବିଜେପି ପକ୍ଷରୁ ସହଦେବଖଣ୍ଟା ଥାନା ଘେରାଓ
ବାଲେଶ୍ୱର, (ସରୋଜ ପଣ୍ଡା) :ନିର୍ମାଣଧୀନ ଫୁଲାଡ଼ି ପୋଲର ନିରାପତ୍ତା କର୍ମୀ (ସିକ୍ୟୁରିଟି ଗାର୍ଡ଼)ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ପକ୍ଷରୁ ସହଦେବଖଣ୍ଟା ଥାନା ଘେରାଓ ହୋଇଯାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହିତ ଧାରଣାରେ ବସି ରହିଥିଲେ । ବିଜେପି ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ଶାହାଙ୍କ ସଂଯୋଜନାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲା ସଭାପତି ଶ୍ରୀ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ଦାସ, ବିଜେପି ଟାଉନ ସଭାପତି ଚିତ୍ତରଞ୍ଜନ ପଣ୍ଡା, ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ଆଶିଷ ଘୋଷ, ସୃଷିଧର ଦାସ, ପର୍ଶୁରାମ ପରିଡ଼ା, ସୀତାରାମ ପ୍ରଧାନ, ରାଜେଶ ମହାପାତ୍ର, ନାରାୟଣ ମହନ୍ତ, ସୁଧାଂଶୁ ଶେଖର ପଣ୍ଡା, ମନୀଷା ବେହେରା, ସୁବୋଧଚନ୍ଦ୍ର ପଣ୍ଡା, ଇଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସହଦେବଖୁଣ୍ଟା ଥାନା ସମେତ ଜିଲାର ବିଭିନ୍ନ ଥାନାରେ ଚାଲିଥିବା ପୁଲିସର ବେଆଇନ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ । ସମ୍ପ୍ରତି ପୁଲିସ ରାଜ୍ୟ ଶାସକ ଦଳର ଚାଟୁକାର ହୋଇଥିବା ବେଳେ ସାଧାରଣ ଲୋକେ ନ୍ୟାୟରୁ ବଞ୍ôଚତ ହୋଇ ଚାଲିଛନ୍ତି ବୋଲି ସେମାନେ ଆରୋପ କରିଥିଲେ । ବିଶେଷ କରି ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କ ସମେତ ଜନପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର କରିବା, ଅପରାଧୀ ଓ ନିଶା ବେପାରୀଙ୍କ ସହ ଭିତ୍ତିରି ସମ୍ପର୍କ ରଖିବା ଫଳରେ ଏହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ବିଜେପି ନେତାମାନେ କହିଥିଲେ । ତେବେ ଫୁଲାଡ଼ି ପୋଲ ନିରାପତ୍ତା କର୍ମୀଙ୍କୁ ମାଡ଼ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରୁନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ । ଦୀର୍ଘ ୩ଘଣ୍ଟା ଏହି ଘେରାଓ କାର୍ଯ୍ୟ ଚାଲିବା ଫଳରେ ଥାନା ମଧ୍ୟରେ ଅଭାବନୀୟ ପରିସ୍ଥିତି ଉପୁଜିଥିବା ଲକ୍ଷ୍ୟ କରାଯାଇଥିଲା । ଖବର ପାଇ ଏଡିସନାଲ ଏସପି ଉଦୟଭାନୁ ମିଶ୍ର ଧାରଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଅନ୍ୟ ଦାବିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶ୍ରୁତି ଦେବା ପରେ ବିଜେପି କର୍ମୀମାନେ ଘରୋଓ କାର୍ଯ୍ୟକ୍ରମରୁ ନିବୃତ୍ତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଉପ-ସଭାପତି କମଲଲୋଚନ ଦାସ, ସୁଶାନ୍ତ ବେରା, ସ୍ୱାଧୀନ ପଣ୍ଡା, ସୁସ୍ମିତା ପଣ୍ଡା, ନିତୁନ ସାହା, ସରିତା ଗିରି, ଦମୟନ୍ତୀ ବାଗ, ରେଣୁ ବିଶ୍ୱାଳ, କମଳା ବିନ୍ଧାଣି, ଅଭିପ୍ସା ନାୟକ, ସୁକାନ୍ତି ଦେବଗୋସ୍ୱାମୀ, ଅବନ୍ତି ଜେନା, କଳ୍ପନା ଦାସ, ତରୁଲତା ଦାସ, ସୁଜାତା ସିଂହ, କାର୍ତ୍ତିକ ଗିରି, ବିପିନ ମାରାଣ୍ଡି ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉ କି ୨୫ ତାରିଖ ସନ୍ଧ୍ୟା ସମୟରେ ନିର୍ମାଣାଧୀନ ଫୁଲାଡ଼ି ପୋଲ ଉପରେ ୪ଜଣ ଯୁବକ ମଦ୍ୟପାନ କରୁଥିବା ଦେଖି କାର୍ଯରତ ସିକ୍ୟୁରିଟି ଗାର୍ଡ଼ ବିଦ୍ୟାଧର ଦାସ ସେମାନଙ୍କୁ ବାରଣ କରିଥିଲେ । ନିଜକୁ ବିଜୁ ଯୁବ ଜନତା ଦଳର ନେତା ବୋଲି ପରିଚୟ ଦେଇ ସେମାନେ ବିଦ୍ୟାଧରଙ୍କୁ ପ୍ରଥମେ ଗାଳି ଗୁଲଜ କରିବା ସହ ପରେ ଖଣ୍ଡା, ଭୁଜାଲି ଓ ତେଲେଙ୍ଗା କଟୁରୀରେ ମାରଣାନ୍ତକ ଆକ୍ରମଣ କରିଥିଲେ । ବିଦ୍ୟାଧରଙ୍କ ଦୁଇ ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ବଡ଼କଥା ହେଲା ଏନେଇ ତାଙ୍କ ପତ୍ନୀ କଳ୍ପନା ଦାସ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା ଏମିତିକି ଅଭିଯୋଗକାରିଣୀଙ୍କୁ ଅଭିଯୁକ୍ତଙ୍କ ସମ୍ମୁଖରେ ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ପୁଲିସର ସହଯୋଗରେ ଅଭିଯୁକ୍ତମାନେ ପୀଡ଼ିତ ପରିବାରକୁ ମାମଲା ଉଠାଇ ନେବାକୁ ଧମକ ଦେଉଥିବା ପକ୍ଷରୁ ଆରୋପ ଉଠିଥିଲା ।