ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସାରା ଓଡିଶାରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣାରୁ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ବିଜେପି ମହିଳା ମୋର୍ଚ୍ଚାପକ୍ଷରୁ ଅଭିଯୋଗ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସପୁର ପଂଚାୟତର ଗ୍ରାମସେବୀକା ସ୍ମିତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପାଖା ପାଖି ୧୫ଦିନ ବିତିବାକୁ ବସିଥିବା ବେଳେ ପୋଲିସ ଅପରାଧୀଙ୍କୁ ଧରି ଦଣ୍ଡ ଦେବା ବ୍ୟବସ୍ଥା କରିବା ବଦଳରେ ମୃତକଙ୍କ ଚରିତ୍ର ସଂହାର କରିବାରେ ଲାଗିଛି । ଅପରାଧୀଙ୍କୁ ଧରିବା ପରିବର୍ତ୍ତେ ଖୋଦ ଜିଲ୍ଲାର ଏସପି ଏହାକୁ ଏକ ପ୍ରେମ ଜନିତ ଘଟଣା କହି ତଦନ୍ତକୁ ଦିଗହରା କରୁଛନ୍ତି ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ଘଟିଥିବା ରଙ୍ଗଶାଳାର ସିସି ଟିଭି ଫୁଟେଜକୁ ଜବତ କରାଯାଇନାହିଁ । ଅଭିଯୁକ୍ତମାନେ ଖୁଲମଖୋଲା ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଉନାହିଁ । ଜଣେ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ଏହି ଘଟଣାରେ ଜିଲ୍ଲାପାଳ,ଏସପି ଓ ବିଡିଓଙ୍କ ଭୂମିକା ସନ୍ଦେହ ଘେରରେ ରହଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ଅପରାଧୀଙ୍କୁ ଶାସକଦଳ ବିଜେଡି ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ସେହିପରି କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଜନୈକ ଯୁବତୀଙ୍କୁ ଯୈାନ ଉତ୍ପୀଡନ କରିବାର ଅଭିଯୋଗର ପ୍ରାୟ ୬ମାସରୁ ଉର୍ଦ୍ଧ୍ୱ ସମୟ ବିତିଯିବା ପରେ ଏବଂ ପିଡିତା ବାରମ୍ବାର ଅଭିଯୋଗ କରିବା ପରେ ପୋଲିସ ବହୁ ବିଳମ୍ବରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥରଲେ ମଧ୍ୟ ସେହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଏଥିନେଇ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି ଘଟଣାରେ ପିଡିତା ଯୁବତୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନିମନ୍ତେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ଜିଲ୍ଲା ସଭାନେତ୍ରୀ କାନନବାଳା ଦାସ, ଜିଲ୍ଲା ସମ୍ପାଦିକା ପ୍ରୟଦର୍ଶିନୀ ନନ୍ଦ, ରଶ୍ମିତା ସାହୁ, ମନୋସ୍ୱିନୀ ଜେନା, ସୁମିତ୍ରା ସାମଲ, ସୁମିତ୍ରା ରାଉତ, ଅନ୍ନପୂର୍ଣ୍ଣା ମଲ୍ଲିକ, ଅନୁପମା ତ୍ରପାଠୀ, ଅର୍ଚ୍ଚିତା ମହାନ୍ତି, ମମତା ସାମଲ ପ୍ରମୁଖ ଶତାଧିକ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ସାନ୍ତସାହି ଶିଶୁମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରିବା ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।