ବିଜେପି ରାଜ୍ୟ ସଭାପତିଙ୍କ ନିର୍ବାଚନୀ ପ୍ରଚାର
ବାଲେଶ୍ୱର,(ଓ୍ବାଇଏନ୍ଏସ୍):ସଦର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀମାନ ମାନସ କୁମାର ଦତ୍ତଙ୍କ ପାଇଁ ନିର୍ବାଚନ ପ୍ରଚାରର ମଙ୍ଗ ଧରିଲେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ମହୋଦୟ। ଶ୍ରୀଯୁକ୍ତ ମହାନ୍ତି ଆଜି ସକାଳ ୧୦ ଟାରେ ଗୋଳା ପୋଖରୀ ଠାରୁ ଆରମ୍ଭ କରି ଟାଉନ ଥାନା ଦେଇ ସିନେମା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନ ବଜାରରେ କ୍ରେତା ବିକ୍ରେତାଙ୍କ ସହିତ ନିର୍ବାଚନୀ ଆଲୋଚନା କରିଥିଲେ। ଲୋକଙ୍କ ସହିତ ବାର୍ତ୍ତାଳାପ ସମୟରେ ଶ୍ରୀଯୁକ୍ତ ମହାନ୍ତି ରାଜ୍ୟ ସରକାରଙ୍କୁ ସିଧାସଳଖ ଆକ୍ରମଣ କରି ପ୍ରଶ୍ନ କରିଥିଲେ ଯେ କୁଆଡ଼େ ଗଲା ନବୀନ ବାବୁଙ୍କ ବହୁ ଚର୍ଚ୍ଚିତ ପିଠା ଯୋଜନା ? ଯେଉଁ ଯୋଜନାର ଉଦ୍ଦେଶ୍ୟ ଥିଲା ସରକାରୀ ବାବୁ ମାନେ ପ୍ରତ୍ୟେକ ମାସର ୧୫ ରୁ ୨୦ ମଧ୍ୟରେ ପଞ୍ଚାୟତ ପଞ୍ଚାୟତ ବୁଲି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ, ସେହି ସ୍ଥାନରେ ତାର ଆଶୁ ସମାଧାନ କରିବେ। ମଧୁବାବୁ ପେନସନ ଯୋଜନା, ନିର୍ମାଣ ଶ୍ରମିକ ସହାୟତା ରାଶି, କଳାକାର ଭତ୍ତା ଓ ଅନ୍ୟାନ୍ୟ ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଥାନ୍ତେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଫାଇଦା ନେଇ ସାରିବା ପରେ ସେ ପିଠା ଏବେ ଦେଖିବାକୁ ମିଳୁନାହିଁ। କୋରୋନା ମୁକାବିଲା ପାଇଁ ଗଠିତ ସଙ୍ଗରୋଧ କେନ୍ଦ୍ର ମାନଙ୍କର ଅବ୍ଯବସ୍ଥା ସୀମା ଟପିଗଲା, ଆପତ୍ତି ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି। ବିନା ରୋଜଗାରରେ ପ୍ରବାସୀ ଡହଳ-ବିକଳ ହେଲେ। ହେଲେ ଶୁଣିବାକୁ କେହି ନଥିଲେ। ସାଧାରଣ ଲୋକଙ୍କୁ ଚିକିତ୍ସା ସୁ ସୁବିଧା ମିଳିବା ଏକ ପ୍ରକାର ଦୂସ୍ବପ୍ନ ହେଇଗଲା ହେଲେ ଗୁହାରି ଶୁଣିବାକୁ କେହି ନଥିଲେ। ଏ ଦୁର୍ଦୀନରେ ପିଠା ଯୋଜନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଶ୍ରୀଯୁକ୍ତ ମହାନ୍ତି ସମସ୍ଯାର ସମାଧାନ ପାଇଁ ଲୋକଙ୍କ ପାଖକୁ ଯିବା ପରିବର୍ତ୍ତେ ସରକାରୀ ଅଧିକାରୀ ମାନେ ଭୋଟ ପାରଚାରରେ ବ୍ଯସ୍ତ ରହିବା ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ନିଜ ଜୀବନ ଓ ପରିବାରକୁ ବିପଦ ମୁହଁକୁ ଠେଲି ଦେଇ ଯେଉଁ ସରକାରୀ କର୍ମଚାରୀ ମାନେ କୋରୋନା ଜନିତ ସହାୟତା ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ ସେମାନଙ୍କୁ କୋରୋନା ଯୋଦ୍ଧାର ଆଖ୍ଯା ଦେଇ ସାଧାରଣ ଜନତା ପୂଜା କରୁଛନ୍ତି। ତେଣୁ ସରକାରୀ କର୍ମଚାରୀ ମାନେ ଜନସାଧାରଣଙ୍କ ମଙ୍ଗଳ ପାଇଁ ହେଉଥିବା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ପାଇଁ ଶ୍ରୀଯୁକ୍ତ ମହାନ୍ତି ଆହ୍ୱାନ ଦେଇଥିଲେ। କୋରୋନା ମହାମାରୀ ଓ ପ୍ରବାସୀଙ୍କ ଘରକୁ ଫେରିବା ସମୟରେ ଏହାର କାର୍ଯ୍ୟକାରୀତା ଦେଖିବାକୁ ମିଳିଲା ନାହିଁ। କୋରୋନା ମହାମାରୀ ପରିସ୍ଥିତିରେ ଯେତେବେଳେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି, ରୋଜଗାର ନାହିଁ, ଫେରିଥିବା ପ୍ରବାସୀ ପୁଣି ଦାଦନକୁ ଫେରିଲଣି, ଏମିତି ସମୟରେ ଏସବୁର ନିରାକରଣ ନକରି ବିଜେଡ଼ି ଦଳର ମନ୍ତ୍ରୀ ବିଧାୟକମାନେ ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନୂଆ ନୂଆ କଥା କହୁଛନ୍ତି। ଶ୍ରୀଯୁକ୍ତ ମହାନ୍ତି ଜନସାଧାରଣଙ୍କୁ ତାଙ୍କ ବ୍ଯକ୍ତବ୍ଯରେ ଆବେଦନ କରିଥିଲେ ଯେ ଆସନ୍ନ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ମାନସ କୁମାର ଦତ୍ତଙ୍କୁ ସମର୍ଥନ କରିବାକୁ। ସେ ଆହୁରି କହିଥିଲେ ଯେ ଗୋଟିଏ ପଟେ ଦୁର୍ନୀତି, ଭ୍ରଷ୍ଟାଚାର ଓ ୨୧ ବର୍ଷଧରି ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଥିବା ବିଜୁ ଜନତା ଦଳ ଓ ଅନ୍ୟପଟେ ଦେଶର ଉନ୍ନତି, ପ୍ରଗତି, କୃଷକ ଶ୍ରମିକଙ୍କ ପାଇଁ ଉତ୍ସର୍ଗୀକୃତ ସେବା, ନାରୀ ସୁରକ୍ଷା, ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରୁଥିବା ଭାରତୀୟ ଜନତା ପାର୍ଟି, ଜନସାଧାରଣଙ୍କୁ ବାଛିବାକୁ ପଡିବ ତାଙ୍କ ପାଇଁ କାହାକୁ ଦରକାର।