ବିଜେପି ରୁ ଟିକେଟ୍ ପାଇବା ପରେ ନୀଳମଣିଙ୍କ ରୋଡ଼ ସୋ ହଜାର ହଜାର ସମର୍ଥକଙ୍କ ସହ ପ୍ରଚାର ଅଭିଯାନ ଆରମ୍ଭ

ଗାଙ୍ଗପୁର: ବିଭିନ୍ନ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପି ସୋରଡ଼ା ବିଧାନସଭା ନିମନ୍ତେ ନୀଳମଣି ବିଷୋୟୀଙ୍କୁ ଟିକେଟ୍ ଦେବା ପରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ବଦଳିଯାଇଥିଲା । ପୂର୍ବରୁ ନୀଳମଣି ୨୦୦୭ ରୁ ୨୦୧୨ମସିହା ପର୍ଯ୍ୟନ୍ତ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବେଳେ ୨୦୦୯ ମସିହାରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ପ୍ରାର୍ଥୀ ନିମନ୍ତେ ପ୍ରମୂଖ ଦାବୀଦାର ଥିଲେ । କିନ୍ତୁ କଂଗ୍ରେସ ନୀଳମଣି ଙ୍କୁ ସୁଯୋଗ ନଦେଇ ସୟଦ ମୁବାରକଙ୍କୁ ସୋରଡ଼ାରୁ ପ୍ରାର୍ଥୀ କରିଥିଲା । ଫଳରେ ନୀଳମଣି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡ଼ିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ କଡ଼ା ଟକ୍କଟ ଦେଇଥିଲେ ମଧ୍ୟ ପରାଜୟ ବରଣ କରିଥିଲେ । କିନ୍ତୁ ସେ ବିଜେପିରେ ଯୋଗଦେବା ପରେ ଦଳ ତାଙ୍କୁ ଟିକେଟ୍ ଦେଇଛି । ଟିକେଟ୍ ପାଇବା ପରେ ଆଜି ନୀଳମଣି ତାଙ୍କ ସମର୍ଥକଙ୍କ ଗହଣରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଆଜି ସକାଳ ୯ଘ ସମୟରେ ନୀଳମଣି ବେଲଗୁଣ୍ଠା ବ୍ଲକ୍ ମଙ୍ଗଳପୁର ପଂଚାୟତରେ ପହଂଚିବା ପରେ ସେଠାରୁ ଏକ ବିରାଟ ବାଇକ୍ ରାଲି ଯୋଗେ ରୋଡ଼ ଶୋ ଆରମ୍ଭ ହୋଇଥିଲା । ରାଲି ମଙ୍ଗଳପୁରରୁ ବାହାରି ଆମ୍ବପୁଆ, ବେଲଗୁଣ୍ଠା, ତନରଡ଼ା, ନୂଆଗାଁ, ଧୁମୁଛାଇ, ଇଙ୍ଗିନାଠୀ, ନାଟେଙ୍ଗା, କଂଟେଇପଲ୍ଲୀ, ବଡ଼ବୋରସିଂ, କୁଲାଙ୍ଗି ଦେଇ ସୋରଡ଼ାରେ ପଂହଚିଥିଲା । ବିଭିନ୍ନ ପଂଚାୟତ ଓ ବେଲଗୁଣ୍ଠା ଏନ୍.ଏ.ସିରେ ବିଜେପି କର୍ମୀମାନେ ନୀଳମଣିଙ୍କୁ ସମ୍ବର୍ଦ୍ଧିତ କରିବା ସହ ରାଲିକୁ ସ୍ୱାଗତ କରିଥିଲେ । ଆଜିର ଏହି ପ୍ରଚାର ଅଭିଯାନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା, ବରିଷ୍ଠ ନେତା କବିରାଜ ସ୍ୱାଇଁ, ସ୍ୱାଧୀନ ପଣ୍ଡା, ବସନ୍ତ ବିଷୋୟୀ, କେ. ରବୀନ୍ଦ୍ର ପାତ୍ର, ସୁରେନ୍ଦ୍ର ଡ଼ାକୁଆ ଙ୍କ ସମେତ ବେଲଗୁଣ୍ଠା ଓ ସୋରଡ଼ାରୁ ବହୁ ବିଜେପି କର୍ମୀ ତଥା ନୀଳମଣିଙ୍କ ସମର୍ଥକ ଯୋଗଦେଇଥିଲେ । ଆଜିର ଏହି ବିରାଟ ବାଇକ ରାଲି ପରେ ଅଂଚଳରେ ବିଜେପି କର୍ମମାନେ ଉତ୍ସାହିତ ହେବା ସହ ସୋରଡ଼ାରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦୀତା ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ