ବିଜେପି ସରକାରର ପ୍ରଥମ ବଜେଟ
ରାଜ୍ୟରେ ସରକାର ପରିବର୍ତନ ପରେ ବିଜେପି ସରକାର ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ଅର୍ଥ ବିଭାଗର ରଖିଥିବାରୁ ନିଜେ ତାଙ୍କ ସରକାରର ୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ମଧ୍ୟ ରାଜ୍ୟରେ କୃଷି ଓ କୃଷକର ବିକାଶ ଲାଗି ୩୭ ହଜାର ୮୩୮ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ ରହିଛି । ରାଜ୍ୟ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମୀଣ ବିକାଶ ଭିତିଭୂମି ଯୁବବର୍ଗଙ୍କ ପ୍ରତି ଗୁରୁତ୍ୱ ଦେବା ସହ ୧୬ଟି ନୂତନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ଭବିଷ୍ୟତ ଆଭିମୁଖ୍ୟ ବା କାର୍ଯ୍ୟକ୍ରମ ସମ୍ପର୍କରେ ସଂକେତ ପ୍ରଦାନ କରୁଛି । ସେହିପରି କୃଷି ବଜେଟରେ ଗତ ବର୍ଷ ତୁଳନାରେ ୧୨ପ୍ରତିଶତ ହୋଇଥିବାବେଳେ ଏଥିରେ କୃଷି ଓ କୃଷକର ବିକାଶ, ଜଳସେଚନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ଭିତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଶୀତଳ ଭଣ୍ଡାର ଅଭାବରୁ ରାଜ୍ୟରେ ଆଳୁ, ଟମାଟୋ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବାର ଅଭାବୀ ବିକ୍ରି ଓ ଅଣ ଋତୁରେ ଦରବୃଦ୍ଧିରେ ଉଭୟ ଚାଷୀ ଓ ଖାଉଟି ଶିକାର ହେଉଛନ୍ତି । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଲକ୍ଷ୍ୟରେ ସରକାର ଯେଉଁ ବ୍ୟୟବରାଦ କରିଛନ୍ତି, ତାହା ମଧ୍ୟ କିଛି କମ୍ ନୁହେଁ, ତେବେ ଭବିଷ୍ୟତ ହିଁ ଏହାର ଫଳାଫଳ କହିବ । ଚଳିତ ବଜେଟରେ ରାଜ୍ୟ ସରକାର ୨୩,୬୧୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯେଉଁଥିରେ ମାଗଣା ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଡାକ୍ତର, ନର୍ସଙ୍କ ଅଭାବ ପୂରଣ, ହସ୍ପିଟାଲଗୁଡିକରେ ଆଧୁନିକୀକରଣ, ଉନ୍ନତ ବା କୌଶଳର ପ୍ରୟୋଗ, ଭିତିଭୂମି ବିକାଶ, ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପ୍ରତିଷ୍ଠା ପାଇଁ ବିନିଯୋଗ ହେବା ପ୍ରସ୍ତାବ ରହିଛି । ଏହା କିନ୍ତୁ ନିସନ୍ଦେହ ଯେ, ଡାକ୍ତର ଚିକିତ୍ସା କ୍ଷେତ୍ରରେ ଅଭାବ ଥିବା ସମୟରେ ଏବେ ଯେଉଁଭଳି ବିଭିନ୍ନ ମାରତ୍ମକ ରୋଗ ବ୍ୟାଧି ମାଡି ଆସୁଛି, ବ୍ୟୟ ବରାଦ ଅଧିକ ନୁହେଁ କି ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ନୁହେଁ । ଏହା ମଧ୍ୟ ନିସନ୍ଦେହ ଯେ, ସରକାର ଶିକ୍ଷା କ୍ଷେତ୍ରକୁ ବଜେଟରେ ୪୧, ୨୭୩ କୋଟି ବ୍ୟୟ ଅଟକଳ କରାଯାଇଛି । ପ୍ରତିବର୍ଷ ବ୍ୟୟ ମଧ୍ୟ ବଢି ଚାଲିଛି । ନୂତନ, ସ୍କୁଲ, କଲେଜମାନ ଗଢି ଉଠୁଛି । ଏବେ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହୋଇଛି । କିନ୍ତୁ ପ୍ରାଥମିକ ଶିକ୍ଷାର ମାନ ବଢୁନାହିଁ । ଅଷ୍ଟମ ଶ୍ରେଣୀର ପିଲାଙ୍କ ତୃତୀୟ ଶ୍ରେଣୀର ଅଙ୍କ ଆସୁନାହିଁ । ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଯଥେଷ୍ଟ ହେବା ଭଳି ରାଜ୍ୟରେ ପ୍ରାଥମିକ ଶିକ୍ଷାରମାନ ଦିନକୁ ଦିନ କମିବାରେ ଲାଗିଛି । ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ଯେଉଁଥିପାଇଁ ଉଚ୍ଚଶିକ୍ଷା ପାଇଁ ପିଲା ଅଭିଭାବକ ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ । କେବଳ ଅର୍ଥମଂଜୁର କରି ବ୍ୟୟ ବରାଦ ବଢାଇଦେଲେ ହେବ ନାହିଁ, ଶିକ୍ଷାର ମାନ ବୃଦ୍ଧି ଆବଶ୍ୟକ । ଏହାର କାରଣ ଖୋଜି ନିରାକରଣ କରାଯିବା ସହ ଭିତିଭୂମୀର ବିକାଶ ପାଇଁ ଧ୍ୟାନ ଦିଆଯିବା ଜରୁରୀ । ସରକାର ବଜେଟରେ ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି କରିଛନ୍ତି । ମାତ୍ର ଏହାର ସୁବିନିଯୋଗ ଜରୁରୀ । ରାଜ୍ୟରେ ଦୃତ ଶିଳ୍ପାୟନ ପାଇଁ ସରକାର ଲକ୍ଷ୍ୟ କରିଛନ୍ତି । ଏଥିପାଇଁ ୮୦,୮୧୫ କୋଟି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ) ପାଇଁ ୭୫,୮୮୭ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ଦେଇଛନ୍ତି । ଉତ୍କର୍ଷ ଓଡିଶା ଜରିଆରେ ୧୬ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ପାଇଛନ୍ତି । ଶିଳ୍ପପାଇଁ ବର୍ଷକୁ ହଜାରେ ଏକ ଜମି ଅଧିଗ୍ରହଣ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା କେତେ ସଫଳ ହେବ ଭବିଷ୍ୟତ କହିବ । ପୂର୍ବ ସରକାର ଷ୍ଟାଟ୍ ଅପ୍ ଜରିଆରେ ଲକ୍ଷଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ପାଇଥିଲେ, ମାତ୍ର ଏହାର କାର୍ଯ୍ୟାନ୍ୱୟନ ଅତ୍ୟନ୍ତ ନୈରାଶ୍ୟଜନକ । ଏମଏସଏମଇ କ୍ଷେତ୍ର ମଧ୍ୟ ଅନୁରୂପ । ରାଜ୍ୟରେ ବହୁ ଶିଳ୍ପାଚଂଳ ଗଢି ଉଠିଥିଲେ ମଧ୍ୟ ଏବେ ସେଠାରେ ଆଉ ଶିଳ୍ପ ନାହିଁ, ଜନବସତି ଏବଂ ବ୍ୟବସାୟିକ ଅନୁଷ୍ଠାନରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହୋଇନପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ବଜେଟରେ ନିଯୁକ୍ତି, ଲୋକଙ୍କ ଆୟବୃଦ୍ଧି, କୃଷକଙ୍କ ଆୟବୃଦ୍ଧି ନେଇ କିଛି ସୂଚନା ମିଳେ ନାହିଁ । ରାଜ୍ୟରେ ବେକାରୀ ବଢିଚାଲିଥିବାବେଳେ ଲୋକଙ୍କର କ୍ରୟ କମିବାର ସମାର୍ଥ୍ୟ କମିବାର ଲାଗିଛି । ଅନ୍ୟପକ୍ଷରେ ରାଜ୍ୟରେ କୃଷକଙ୍କ ଆୟ ଦେଶରେ ସବୁଠୁ ପଛରେ ରହିଛି । ସେହିପରି ପ୍ରତିବର୍ଷ ବଜେଟ ବ୍ୟୟବରାଦ ମଧ୍ୟ ବଢିବାରେ ଲାଗିଛି । କହିବା ବାହୁଲ୍ୟ ଯେ, ଗତ ବର୍ଷ ବଜେଟରେ ୨ଲକ୍ଷ ୬୫ହଜାର କୋଟି ବ୍ୟୟ ବରାଦ ହୋଇଥିଲା । ଗତ ଜାନୁୟାରୀ ସୁଦ୍ଧା ସେଥିରୁ ୧ଲକ୍ଷ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ଆଉ ମାତ୍ର ୨ମାସ ୨୦୨୪-୨୫ ଆର୍ଥୀକ ବର୍ଷ ଶେଷ ହେବାକୁ ଯାଉଛି । ବାକି ଅର୍ଥ ବ୍ୟୟ କରିବା ଆଦୌ ସମ୍ଭବ ନୁହେଁ । ତେବେ ଏତେ ପରିମାଣର ବଜେଟ ଆଗତ କରିବାର କାରଣ କ’ଣ ବୁଝାପଡୁନାହିଁ । ସେହିପରି ପ୍ରତିବର୍ଷ ରାଜ୍ୟ ଋଣଭାର ବଢିଚାଲିଛି । ରାଜ୍ୟର ଋଣ ବୋଝ ଏବେ ୧,୩୪,୯୧୪ କୋଟିରେ ପହଁଚିଗଲାଣି । ଯାହାକି ମୋଟ ଋଣଭାର ଓ ସକଳ ଘରୋଇ ଉତ୍ପାଦର ଅନୁପାତ ୧୨.୭ ପ୍ରତିଶତ । ୨୦୨୫-୨୬ରେ ରାଜ୍ୟ ସରକାର ପ୍ରାୟ ୪୭,୪୦୦କୋଟି ଋଣ କରିବେ ବୋଲି ବଜେଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୨୮,୭୦୫ ଟଙ୍କାରେ ପହଁଚିବା ନେଇ ଆକଳନ କରାଯାଇଛି । କ୍ଷମତା ଓ ଭୋଟ ବ୍ୟାଙ୍କ ପାଇଁ ମାଗଣା ଯୋଜନା ଏବ ରାଜନୈତିକି ଦଳଗୁଡିକର ମୁଖ୍ୟ ଅସ୍ତ୍ରରେ ପରିଣତ ହୋଇଛି । ଯେଉଁଥିପାଇଁ କି ସରକାରଙ୍କୁ ଋଣ କରିବାକୁ ପଡୁଛି ଏବଂ ଋଣ ବୋଝ ବଢିବାରେ ଲାଗିଛି । ତେବେ ଏହା ସତ୍ୱେ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ନେଇ ବଜେଟରେ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ସେଭଳି କୌଣସି ଝଲକ ନଥିବା ଭଳି ମନେହୁଏ । ବଜେଟ ହେଉଛି ବର୍ଷକ ପାଇଁ ରାଜ୍ୟର ଆୟ-ବ୍ୟୟର ହିସାବ । ବଜେଟ ଗତାନୁଗତିକ ନହୋଇ କାର୍ଯ୍ୟାନ୍ୱୟନରେ ପରିଣତ କରାଯିବା ଉଚିତ୍ । ଏଥିଲାଗି ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ଅମଲାତନ୍ତ୍ର ଯାଏ ଇଚ୍ଛାଶକ୍ତି ଦରକାର । ଅନ୍ୟଥା ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ଗଠନ ସ୍ୱପ୍ନ ହୋଇଯିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,