ବିଜେପି ସରକାର ହେଲେ ଖଣି ମାଫିଆ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର :ବିଜେପି ସରକାର ହେଲେ ଖଣି ମାଫିଆମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟରେ ଗୁଣ୍ଡାରାଜ ଧୀରେଧୀରେ ବଢିବାରେ ଲାଗିଛି । ବିଜେପି ସରକାର କ୍ଷମତାକୁ ଆସିଲେ ଓଡିଶାରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ବିଶେଷ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ । ମହାରାଷ୍ଟ୍ର ଓ ଗୁଜୁରାଟରେ ଆତଙ୍କବାଦମାନଙ୍କ ବିରୋଧରେ ଯେଭଳି ଭାବେ ଏକ ବିଶେଷ ଆଇନ ଅଛି, ସେହିଭଳି ଭାବେ ଗୁଣ୍ଡା ମାନଙ୍କୁ ଦଣ୍ଡ ଦେବା ପାଇଁ ଏହି ଆଇନ ଅଣାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦୁଝର, ତେଲକୋଇ, ପାଟଣା, ଆନନ୍ଦପୁର, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ପିପିଲି ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି ଯେ ବିଜେପି ସରକାର ଓଡିଶାରେ ଆସିବାର ତିନି ମାସରେ ଚିଟଫଣ୍ଡ ଓ ଖଣି ଚୋରମାନେ ଆଗାମୀ ତିନି ମାସ ମଧ୍ୟରେ ଜେଲକୁ ଯିବେ ବୋଲି ମୋଦି କହିଛନ୍ତି । ଏହାସହ ସନାତନ ମହାକୁଡ ଓ ପ୍ରଭାକରନଙ୍କ ଭଳି ଯେଉଁମାନେ ଓଡିଶାର ଲୋକଙ୍କ ଟଙ୍କାକୁ ଲୁଟ କରିଛନ୍ତି ବିଜେପି ସରକାର ହେଲେ ସେହି ଟଙ୍କାକୁ ବାଜ୍ୟାପ୍ତ କରାଯାଇ କେନ୍ଦୁଝରରେ ପିଇବା ପାଣି କାମରେ ଲଗାଯିବ । ଏତଦବ୍ୟତିତ ଚିଟଫଣ୍ଡ ଓ ଖଣି ମାଫିଆଙ୍କ ସମ୍ପତିକୁ ଜବତ କରାଯାଇ ସ୍କୁଲ ଓ ଡାକ୍ତରଖାନା ମଧ୍ୟ ଖୋଲାଯିବ । କେନ୍ଦୁଝର ଜିଲ୍ଲାର ଖଣି ଖାଦାନକୁ ପୂର୍ବରୁ ଦିଲ୍ଲୀର କଂଗ୍ରେସ ସରକାର ଏବଂ ଓଡିଶାର ନିରଞ୍ଜନ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସରକାର ମାଗଣାରେ ଶିଳ୍ପପତି ମାନଙ୍କୁ ଟେକି ଦେଇ ଟଙ୍କା ଚୋରୀ କରୁଥିଲେ । ଏହାର କଂଟ୍ରାକ୍ଟର ଦାୟିତ୍ୱରେ ପ୍ରଭାକରନ ଥିଲା । ଉଭୟ ସରକାର ମିଶି କେନ୍ଦୁଝରର ୬୫ ହଜାର କୋଟି ଟଙ୍କା ଚୋରୀ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏକଥାକୁ କୋର୍ଟରେ ସ୍ୱାକୀର କରିଥିବା କହିଛନ୍ତି । ନରେନ୍ଦ୍ର ମୋଦି ସରକାର ଆସିବା ପରେ ପ୍ରଥମେ ଖଣିଖାଦାନକୁ ନିଲାମୀ କରି ଭୁବନେଶ୍ୱରରେ ୭୦ ହଜାର କୋଟି ଟଙ୍କା ରଖିଲେ । ଏହାବ୍ୟତିତ କେନ୍ଦୁଝର ଜିଲ୍ଲା ଭଳି ଖଣିଖାଦାନ ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଗଠନ କଲେ । କେନ୍ଦୁଝର ଜିଲ୍ଲା ପାଇଁ ଏହି ଫଣ୍ଡରେ ଅଢେଇ ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିବା ସେ କହିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାକୁ ଆସି ମୋଦି କଣ କଲେ ବୋଲି ପ୍ରଶ୍ନ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଚାବିକାଠି ଖଣି ମାଫିଆ ପ୍ରଭାକରନ ହାତରେ ଅଛି ଏବଂ ଓଡିଶାରେ ତାମିଲନାଡୁର ଖଣି ମାଫିଆ ପ୍ରଭାକରନ କଂଗ୍ରେସ ଓ ବିଜେଡିର ମାଲିକ ବୋଲି କହିଛନ୍ତି । ରାଜ୍ୟରେ ବିଜେପି ସରକାର ହେଲେ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ ସହ ବି.ଇଡି କଲେଜ ପ୍ରତିଷ୍ଠା କରାଯିବ । ବନ୍ଦ ପଡିଥିବା ସବୁ ସ୍ପଞ୍ଜ କାରଖାନାକୁ ପନରୁଦ୍ଧାର କରାଯିବାର ନୂଆ ବ୍ୟବସ୍ଥା କରାଯିବ । ଯୁବକ ଯୁବତୀମାନଙ୍କୁ ରୋଜଗାର ଦିଆଯିବ । ସେହିରି ଏଠାକାରବାସୀଙ୍କ ଗୋଟିଏ ଷ୍ଟିଲ ପ୍ଲାଂଟର କଳ୍ପନା ଥିବାବେଳେ ଏହାକୁ ମୋଦି ସରକାର ପୂରଣ କରିବ । ଫଳରେ କେନ୍ଦୁଝର ଜିଲ୍ଲାର ଖଣିଖାଦାନ ଜିନିଷ କେବଳ ବନ୍ଦର ଦେଇ ବିଦେଶକୁ ଯିବ ନାହିଁ । ଏଠାରେ ବୃହତ କାରଖାନା ତିଆରି କରି କେନ୍ଦୁଝରର ଯୁବକଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ । ସେହିରି ଓଡିଶାରେ ମୋଦି ସରକାର ଆସିଲେ ଆଦିବାସୀ ଅଂଚଳମାନଙ୍କରେ ଅଧିକ ଏକଲବ୍ୟ ସ୍କୁଲ ଖୋଲାଯାଇ ଆଦିବାସୀ ପିଲାଙ୍କୁ ପଢେଇବାର ଯୋଜନା କରାଯିବ, ସବୁ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିରେ ପଟ୍ଟା ଦେବାର ଦାୟିତ୍ୱ ବିଜେପି ନେବ । ସେହିରି ପେସା ଆଇନକୁ ଓଡିଶାରେ କଡାକଡି ଲାଗୁ କରାଯିବ । ଫଳରେ ଆଦିବାସୀ ଲୋକଙ୍କର ବିନା ଅନୁମତିରେ କିଛି ହୋଇପାରିବ ନାହିଁ ଏବଂ ଏହାର ଦାୟିତ୍ୱ ବିଜେପି ନେବ । ଓଡିଶାରେ ଡବଲ ଇଞ୍ଜିନର ସରକାର ହେଲେ ଓଡିଶାର ୪୦ ଲକ୍ଷ ଗରିବଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର ମିଳିବ । ଏହି ଘରେ ଗ୍ୟାସ, ପାଇପ ପାଣି, ବିଜୁଳିର ସମସ୍ତ ସୁବିଧା ଦିଆଯିବ । ୧୯ ବର୍ଷ ରହିବା ପରେ ନବୀନ ବାବୁ ରୋଜଗାରର ବ୍ୟବସ୍ଥା କରିନଥିବା ବେଳେ ମୋଦି ସରକାର ହେଲେ ସବୁ ପରିବାରର ଜଣଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଆଯିବ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷରେ କଣ କରିବେ ତାହାର ହିସାବ ଦେଉନଥିବା ବେଳେ ଅପରପକ୍ଷରେ ମୋଦି ୫ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷ ପାଇଁ କଣ କରିବେ ତାହାର ହିସାବ ଦେଉଛନ୍ତି । ମୋଦି ଓଡିଶାକୁ ୧୦ ଲକ୍ଷ ଘର ଦେଇଥିବା ବେଳେ ୫୦ ଲକ୍ଷ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ପାଇଁ ପରିବାର ପିଛା ଦେଢ ଲକ୍ଷ ଟଙ୍କା ଓ ଶୌଚାଳୟ ପାଇଁ ପରିବାର ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି । ଆଜି ଗରିବ ଘରର ପୁଅ ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିବା କାରଣରୁ ଆଜି ଗରିବଙ୍କୁ ପ୍ରାଥମିକତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସୁନା ଚାମଚ ନେଇ ନେଇ ମୁହଁରେ ଜନ୍ମ ନେଇଥିବା ବେଳେ ସେ ଗରୀବଙ୍କ କଥା କଣ ବୁଝିବେ ।