ବିଜେପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ
ବରଗଡ଼ ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ପ୍ରାକ୍ ନିର୍ବାଚନୀ ହିଂସା ବି ଆରମ୍ଭ ହୋଇଯାଇଛି । ଆଜି ବିଜେପୁର ବ୍ଲକ୍ ପଡ଼ା ଗାଁରେ ମନୋରଞ୍ଜନ ମେହେର ନାମକ ଜଣେ ବିଜେପି କର୍ମୀଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଛନ୍ତି । ପୁଲିସ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ମନୋରଞ୍ଜନ ତାଙ୍କ ଜଣେ ସାଙ୍ଗଙ୍କ ସହ ସୋହେଲାରୁ ବାଇକରେ ଘରକୁ ଫେରୁଥିଲେ । ବାଟରେ ତାଙ୍କୁ ୪/୫ଜଣ ଅଜଣା ଯୁବକ ଅଟକାଇଥିଲେ । ଅଚାନକ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ଭୁଜାଲି ମାଡ଼ରେ ମନୋରଞ୍ଜନଙ୍କ ହାତ ଏବଂ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ପ୍ରଥମେ ବିଜେପୁର ଡାକ୍ତରଖାନା ଏବଂ ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ କିମ୍ବା ଆକ୍ରମଣକାରୀଙ୍କ ସଂପର୍କରେ କିଛି ସୂଚନା ମିଳିନଥିବା ପଦ୍ମପୁର ଏସ୍ଡିପିଓ ପ୍ରଦୀପ ସାହୁ କହିଛନ୍ତି । ତେବେ ମନୋରଞ୍ଜନଙ୍କ ସାଙ୍ଗରେ ଥିବା ବ୍ୟକ୍ତି ଜଣକ ସୁରକ୍ଷିତ ଅଛନ୍ତି । ଗତ ଉପନିର୍ବାଚନ ବେଳେ ମଧ୍ୟ ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଗତବର୍ଷ ଜାନୁଆରି ୭ ତାରିଖ ପଡ଼ାସ୍ଥିତ ମନୋରଞ୍ଜନଙ୍କ ବାସଗୃହ ଉପରକୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳି ମନୋରଞ୍ଜନଙ୍କ ଘର କବାଟ ଏବଂ କାନ୍ଥରେ ବାଜିଥିଲା । ତେବେ ଏଥିରେ କେହି ଆହତ ହୋଇନଥିଲେ । ଏହି ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ । ଏବେ ପୁନର୍ବାର ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିବାରୁ ଏହା ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ମାମଲାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହୁଛି ।