ବିଜେପୁର ଉପନିର୍ବାଚନ: ସକାଳ ୭ଟାରୁ ମତଦାନ ଆରମ୍ଭ
ବରଗଡ଼ : ବେଶ୍ କିଛି ଦିନ ଧରି ନିର୍ବାଚନୀ ଉଷ୍ଣତାରେ ସମୟ ଅତିବାହିତ କରିଥିବା ବିଜେପୁର ନିର୍ବାଚନମଣ୍ଡଳୀର ମତଦାତା ଆଜି ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ବୁଥକୁ ଆସିଛନ୍ତି । । ସକାଳ ୭ଟାରୁ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର ୨୮୫ ବୁଥରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ ଏବଂ ବିଜେପୁର ଆସନ କାହାର ହେବ ତାର ଫଇସଲା ହୋଇଯିବ । ଆଜି ମୋଟ୍ ୨,୩୨,୦୫୫ ଭୋଟର୍ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିରୁ ଗାଇସିଲାଟ୍ରେ ୩୬,୬୮୬ ଏବଂ ୩୪,୭୮୧ଜଣ, ବିଜେପୁରରେ ୪୨,୯୩୧ ଏବଂ ୪୦,୦୬୯, ବରପାଲିରେ ୪୦,୩୨୨ ଏବଂ ୩୭,୨୫୧ ଜଣ ଯଥାକ୍ରମେ ପୁରୁଷ ଓ ମହିଳା ଭୋଟର୍ ଅଛନ୍ତି । ମତଦାନ ପାଇଁ ଏଥର ଇଭିଏମ୍ ସହିତ ଭିଭିପାଟ୍ ମେସିନକୁ ସଂଯୋଗ କରାଯାଇଛି । ଯାହାକି ସ୍ଳିପ ପ୍ରିଣ୍ଟର ମେସିନ ଅଟେ । ଏହା ଦ୍ୱାରା ମତଦାତା କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି, ତାହା ସଫଳ ହେଲା କି ନାହିଁ ଜାଣିପାରିବେ । ମତଦାତା ତାଙ୍କ ମତଦାନର କ୍ରମିକ ନମ୍ବର, ନାମ, ସଙ୍କେତ ଆଦି ୭ ସେକେଣ୍ଡ ମଧ୍ୟରେ ଜାଣିପାରିବେ । ତେଣୁ ଯନ୍ତ୍ରପାତିରେ ତ୍ରୁଟି ରହିବ ନାହିଁ । ଯଦି କିଛି ସମସ୍ୟା ଉପୁଜେ, ତେବେ ପ୍ରତି ବ୍ଲକ୍ ମୁଖ୍ୟାଳୟରେ ନିୟୋଜିତ ଥିବା ଅଭିଜ୍ଞ ଇଂଜିନିୟର ତୁରନ୍ତ ବୁଥକୁ ପହଂଚିବେ । ଏହି ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ନିର୍ବାଚନମଣ୍ଡଳୀର ୬ଟି ବୁଥ୍ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍ ରହିଛି । ଗାଇସିଲାଟ୍ ବ୍ଲକର ଜୁବାଖୋଲ, ପରମାନନ୍ଦପୁର, ଚିନ୍ଦ୍ରାପାଲି, ସାଇ ଡୁଂଗୁରିପାଲି, ସାଲେପାଲି, କଣ୍ଟାପଡ଼ା ବୁଥ୍ ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସିଆରପିଏଫ୍ ମୋର୍ଚ୍ଚା ସମ୍ଭାଳିଛନ୍ତି । ଏସ୍ଓଜି ଯବାନମାନେ ମଧ୍ୟ ମାଓ ଗତିବିଧି ଉପରେ ନଜର ରଖିଛନ୍ତି । ମୋଟ୍ ୩୩ ପ୍ଲାଟୁନ ଫୋର୍ସ ଏବଂ ୩ କମ୍ପାନି ଯବାନ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହାବାଦ ଜିଲ୍ଲା ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୪୦ଟି ମୋବାଇଲ୍ ଟିମ୍, ୬ଟି ଲେଖାଏଁ ଷ୍ଟାଟିକ୍ ଏବଂ ସର୍ଭିଲିଏନସ୍ ଟିମ୍ ମୁତୟନ ଅଛନ୍ତି ।