ବିଜେଡ଼ି ବସ୍ତା ବ୍ଲକ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଅଭିଯୋଗ

ଭୁବନେଶ୍ୱର, ,(ଯୁଗାବ୍ଦ ନ୍ୟୁଜ) : କ୍ଷମତାର ଅପବ୍ୟବହାର କରି ସରକାରୀ ଅର୍ଥରେ ନିଜ ବାସଗୃହ ଜମି ଉପରେ ରାସ୍ତା ନିର୍ମାଣ କରିଥିବା ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭଯୋଗ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଇଛି ।
ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ଆର.ଡ଼ି. ରାସ୍ତାଠାରୁ ଦାସ ସାହି ପର‌୍ୟ୍ୟନ୍ତ ଏକ କଙ୍କ୍ରିଟ ରାସ୍ତା ନିର୍ମାଣ କରାଯାଇଛି ଏବଂ ରାସ୍ତାଟି ସରକାରୀ ଜମି ଉପରେ କରାନଯାଇ ବସ୍ତା ବ୍ଲକ ଚେୟାରମ୍ୟାନ ଶ୍ରୀ ଲକ୍ଷ୍ମୀଧର ଦାସଙ୍କ ଜମି ଉପରେ ତାଙ୍କ ବାସଗୃହ ପର‌୍ୟ୍ୟନ୍ତ ନିର୍ମାଣ କରାଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ ବସ୍ତା ବିଡ଼ିଓ ଗ୍ରାଣ୍ଟ-ଇନ୍ ଏଡ ଏବଂ ମେଣ୍ଟେନାନ୍ସ ଅଫ୍ ରୋଡ଼ ଆଣ୍ଡ ବ୍ରିଜ୍ ଅଧୀନରେ ଏକଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସୂଚନାଧିକାର କର୍ମୀ ଶ୍ରୀ ଦେବେନ୍ଦ୍ର ବିଶ୍ୱାଳ ଏହି ତଥ୍ୟ ହାସଲ କଲାପରେ ନିର୍ମିତ ରାସ୍ତାର ଖାତା ଏବଂ ପ୍ଲଟ ନଂ ତହସିଲ୍‌ଦାର ହାସଲ କରିଥିଲେ ଏବଂ ଉକ୍ତ ଜାଗା ଖାତା ନଂ- ୩୫୯ ଏବଂ ପ୍ଲଟ ନଂ ୮୬ ଲକ୍ଷ୍ମୀଧର ଦାସଙ୍କ ନାମରେ ଥିବାର ଜାଣିଥିଲେ । ତେଣୁ ଶ୍ରୀ ବିଶ୍ୱାଳ ବ୍ଲକ ଚେୟାରମ୍ୟାନ କ୍ଷମତାର ଅପବ୍ୟବହାର କରି ବସ୍ତା ବିଡ଼ିଓଙ୍କୁ ପ୍ରଭାବିତ କରି ନିଜ ଜମି ଉପରେ ରାସ୍ତା ନର୍ମାଣ କରାଇବା ବେଆଇନ୍ ଦର୍ଶାଇବା ସହ ଲୋକାୟୁକ୍ତ ନିକଟରେ ଅଭିଯୋଗ ଦାଖଲ ସହ ଉଭୟଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏହା ସହିତ ଉକ୍ତ ଏକ ଲକ୍ଷ ଟଙ୍କା ଉଭୟ ବ୍ଲକ ଚେୟାରମ୍ୟାନ ଏବଂ ବିଡ଼ିଓଙ୍କ ନିକଟରୁ ଆଦାୟ କରି ସରକାରୀ ଖାତାରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଲୋକାୟୁକ୍ତଙ୍କ ନିବେଦନ କରିଛନ୍ତି । ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଏହି ଘଟଣାର ତୁରନ୍ତ ତଦନ୍ତ ଏବଂ କାର‌୍ୟ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ